ନୂଆ ସମୟ ନୂଆ କଥା: ସବୁଠାରୁ ଲମ୍ବା ସାଇକେଲ୍‌ ଏବଂ ନିଆରା କାରିଗରି

ସାଧାରଣତଃ ଗୋଟିଏ ସାଇ‌କେଲ୍‌ର ଲମ୍ବା ଅତିବେଶିରେ ୨ ମିଟର। କିନ୍ତୁ ଗୋଟିଏ ସାଇକେଲ୍‌ ୪୧ ମିଟରରୁ ଅଧିକ ଲମ୍ବା ହୋଇଥିବା ଆଶ୍ଚର୍ଯ୍ୟର କଥା। ଏପରି ଗୋଟିଏ ସାଇକେଲ୍‌ ଅଛି ଯାହା ଗିନିଜ୍‌ ୱାର୍ଲ୍ଡ ରେକର୍ଡ ଅନ୍ତର୍ଭୁକ୍ତ ହୋଇପାରିଛି। ଏହି ସାଇକେଲ୍‌ଟି ଅ‌େଷ୍ଟ୍ରଲିଆର ଆଡିଲେଡ୍‌ଠାରେ ଗ୍ୟାସ୍‌ ଆଣ୍ଡ୍‌ ଅଏଲ୍‌ କମ୍ପାନୀ ସାଣ୍ଟୋ ସହିତ ଦକ୍ଷିଣ ଅ‌େଷ୍ଟ୍ରଲିଆର ୟୁନିଭର୍ସିଟିଙ୍କ ମିଳିତ ଉଦ୍ୟମରେ ତିଆରି କରାଯାଇଛି। ଏହାକୁ ତିଆରି କରିବା ପାଇଁ ପ୍ରାୟ ୯ ମାସ ସମୟ ଲାଗିଥିଲା। ଏହାର ଲମ୍ବା ହେଉଛି ୪୧.୪୨ ମିଟର ବା ୧୩୫ ଫୁଟରୁ ଅଧିକ। ଅଷ୍ଟ୍ରେଲିଆର ଏହି ସାଇକେଲଟିକୁ ଜଣେ ଚାହିଲେ ଚଲାଇ ପାରିବ ନାହିଁ। ଅତି କମ୍‌ରେ ଏହାକୁ ଚଲାଇବା ପାଇଁ ସାତ ଜଣରୁ ଅଧିକ ଲୋକଙ୍କର ଆବଶ୍ୟକତା ପଡ଼ିଥାଏ।

ନିଆରା କାରିଗରି
ନିତିଦିନିଆ ଜୀବନରେ ଆମେ କାର୍ଡବୋର୍ଡର ବହୁଳ ବ୍ୟବହାର ଦେଖୁଛେ। ଜିନିଷ ସାଇତି ରଖିବା ଲାଗି ହେଉ ବା ପିଲାମାନଙ୍କ ଆର୍ଟ ଏବଂ କ୍ରାଫ୍ଟ୍‌ ପ୍ରସ୍ତୁତ କରିବା ପାଇଁ ଆମେ ଏହି ସାଧାରଣ ବସ୍ତୁକୁ ବ୍ୟବହାର କରିଥାଉ। ତେବେ ଜାପାନ୍‌ର ମୋନାମୀ ଓହନୋ ନାମକ ଜଣେ ମହିଳା ଏହି କାର୍ଡ ବୋର୍ଡକୁ ବ୍ୟବହାର କରି ପ୍ରସ୍ତୁତ କରୁଛନ୍ତି ବିଭିନ୍ନ କଳା ସ୍ଥାପତ୍ୟ। ମୋନାମୀ ଜାପାନ୍‌ର ଓସାକା ସ୍କୁଲ୍‌ ଅପ୍‌ ଆର୍ଟରେ ପଢ଼ୁଥିବା ସମୟରେ ନିଜର ଏକ ପ୍ରୋଜେକ୍ଟ୍‌ ପ୍ରସ୍ତୁତ କରିବା ପାଇଁ ଏହି କାର୍ଡବୋର୍ଡକୁ ବ୍ୟହାର କରିଥିଲେ। ଏହାପରେ ତାଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ପ୍ରୋଜେକ୍ଟ୍‌କୁ ବହୁଳ ପ୍ରଶଂସା ମିଳିଥିଲା। ତାଙ୍କର ଏହି କଳାକୃତିମଧ୍ୟରେ ରହିଛି ଘଣ୍ଟା, ମୋଟରସାଇକେଲ୍‌, କାର୍‌, ରୋବୋ ଓ ଟ୍ୟାଙ୍କ୍‌ ଇତ୍ୟାଦି।

ସମ୍ବନ୍ଧିତ ଖବର