ବ୍ରିଟେନ୍ରେ ପ୍ରଥମ ସମ୍ପୂର୍ଣ୍ଣ ସୌରଶକ୍ତି ଗୃହ ରହିଛି। ଏହାର ଦାମ୍ ପ୍ରାୟ ୧.୨ ନିୟୁତ ପାଉଣ୍ଡ । ରିସେଷ୍ଟରଶାୟାର୍ର ଗ୍ରେଟ୍ ଗ୍ଲେନ୍ଠାରେ ଥିବା କାଠ ଫ୍ରେମ୍ର ଏହି ଗୃହରେ ସୌର ବିଦ୍ୟୁତ୍ ଶକ୍ତି, ବର୍ଷା ଜଳ ସଂରକ୍ଷଣ ଓ ଟ୍ରିପଲ୍ ଗ୍ଲେଜିଂ ଝରକା, ବର୍ଷା ଟାଙ୍କି ସମେତ ଅନେକ ’ଜିରୋ କାର୍ବନ୍ ଫିଚର୍’ ଅଛି। ଏହାର ଛାତରେ ହାଇବ୍ରିଡ୍ ପ୍ୟାନେଲ୍ ରହିଛି ଯାହା ସୌର ଓ ଥର୍ମାଲ୍ ଶକ୍ତି ସଂଗ୍ରହ କରେ। ଏହା ବିଭିନ୍ନ ସଂରଜାମ ଚଳାଇବାରେ ସହାୟକ ହୋଇଥାଏ।
ହାତଘଡ଼ିରୁ ଜଣାପଡ଼ିବ ଆୟୁଷ
ବୈଜ୍ଞାନିକମାନେ ଏକ ଡିଜିଟାଲ୍ ହାତଘଡ଼ି ପ୍ରସ୍ତୁତ କରିଛନ୍ତି। ଯାହା ଆପଣଙ୍କ ଆୟୁଷ ବିଷୟରେ ଠିକ୍ ତଥ୍ୟ ଦେଇପାରିବ। କେଉଁ ବର୍ଷ, କେଉଁ ମାସ, କେତେ ମିନିଟ୍ ଓ କେତେ ସେକେଣ୍ଡ୍ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବ, ଏହି ଘଡ଼ିରୁ ଜଣାପଡ଼ିବ। ଏହାର ନାମ ‘ଟିକ୍କର’ ରଖାଯାଇଛି। ତେବେ ଟିକ୍କରକୁ ପିନ୍ଧିଥିବା ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ଇତିହାସ ଓ ବୟସ ବିଷୟକ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ଏହି ତଥ୍ୟକୁ ଆଧାର କରି ଘଡ଼ି ମୃତ୍ୟୁ ସମୟ ଆକଳନ କରିବ। ମଣିଷ ଜୀବନରେ ଅନେକ ସମୟ ତୁଛାଟାରେ ନଷ୍ଟ କରିଥାଏ। ସମୟର ମୂଲ୍ୟ ବୁଝୁଥିବା ମଣିଷ ଏ ଦୁନିଆରେ ଖୁବ୍ କମ୍। ତେଣୁ ଜୀବନର ମୂଲ୍ୟବାନ ସମୟ ନଷ୍ଟ ନ କରିବାକୁ ଲୋକଙ୍କୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଏହି ଘଡ଼ି ପ୍ରସ୍ତୁତ କରାଯାଇଛି। ନିଜର ମୃତ୍ୟୁ ବିଷୟରେ ଆଗୁଆ ଜାଣିଥିବା ବ୍ୟକ୍ତି ପ୍ରତିଟି ମୁହୂର୍ତ୍ତର ଗୁରୁତ୍ବ ବୁଝିବା ସହିତ ଭଲ କାମ କରି ଭଲ ମଣିଷ ହେବାକୁ ଚେଷ୍ଟା କରିଥାନ୍ତି ବୋଲି ନିର୍ମାତା ଫ୍ରେଡିକ୍ କଲ୍ଟିଂ କହିଛନ୍ତି। ଘଡ଼ି ସହିତ ଏକ ପ୍ରଶ୍ନାବଳୀ ‘ଏବାଉଟ୍ ଟାଇମ୍’ ବୁକ୍ଲେଟ୍ ମିଳୁଛି, ଯାହା ଟିକ୍କର ପିନ୍ଧାଳୀଙ୍କ ହାତରେ ଥିବା ସମୟ ହିସାବ କରିବାରେ ସହାୟକ ହୁଏ।