ଭିଟିଲିଗୋ ବା ଲ୍ୟୁକୋଡର୍ମା, ଏକ ଏଭଳି ଚର୍ମରୋଗ ଯେଉଁଥିରେ ଚର୍ମର କିଛି କିଛି ଭାଗର ପିଗ୍ମେଣ୍ଟ୍ ବା ବର୍ଣ୍ଣ କୋଷିକା ମୃତ କିମ୍ବା କାର୍ଯ୍ୟ କରିବାରେ ଅସମର୍ଥ ହୋଇ ଧଳା ଧଳା ଚିହ୍ନ ହୋଇଯାଏ। ଏଭଳି ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ହେଲେ ଏଥିରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସମାଜ ଏକ ଭିନ୍ନ ଦୃଷ୍ଟିରେ ଦେଖିଥାଏ। ବ୍ରାଜିଲ୍ର ୬୪ ବର୍ଷୀୟ ଜୋଆଓ ଷ୍ଟାଙ୍ଗନେଲି ମଧ୍ୟ ଏହି ରୋଗରେ ଆକ୍ରାନ୍ତ। ସେ ଚାକିରିରୁ ଅବସର ନେବା ପରେ କିଛି ହବି ଅାପଣେଇ ସମୟ ଅତିବାହିତ କରିବାକୁ ଚାହିଁଲେ। ସେ ଉଲ୍ ଓ କ୍ରୁସ୍ରେ ବୁଣାବୁଣି ଆରମ୍ଭ କଲେ। ଯଦିଓ ପ୍ରଥମେ ଏହା କଷ୍ଟକର ହୋଇଥିଲା, ପରେ ସେ ଏହାର ପ୍ରେମେର ପଡ଼ିଗଲେ। ଆଉ କ୍ରୁସ୍ବୁଣା କଣ୍ଢେଇ ତିଆରି କରିବାକୁ ଲାଗିଲେ। ପ୍ରଥମ କଣ୍ଢେଇଟି ସେ ନିଜ ନାତୁଣୀକୁ ଦେବା ପାଇଁ ତିଆରି କରିଥିଲେ। ଆଉ ତାକୁ ନିଆରା କରିବା ପାଇଁ କଣ୍ଢେଇକୁ ନିଜ ଭଳି ଲ୍ୟୁକୋଡର୍ମାରେ ଆକ୍ରାନ୍ତ ଲୁକ୍ ଦେଲେ। ଯେଉଁଥିରେ ଧଳା ପ୍ୟାଚ୍ ଥିଲା। ଏହାପରେ ସେ ଏଭଳି ଅନେକ କଣ୍ଢେଇ ତିଆରି କଲେ। ଉଦ୍ଦେଶ୍ୟ ଥିଲା ଏହି ରୋଗରେ ଆକ୍ରାନ୍ତ ପିଲାମାନେ ଏଭଳି କଣ୍ଢେଇ ଦେଖି ଖୁସି ହେବେ ଓ ନିଜ ସ୍ଥିତିକୁ ନେଇ ଦୁଃଖ କରିବେ ନାହିଁ।
ବିଲେଇ ମଠ
ମଠରେ କିଛି ସମୟ ବିତାଇଲେ ମିଳିଥାଏ ଅପାର ଶାନ୍ତି। ତେବେ ଜାପାନର କ୍ୟୋଟୋରେ ଏମିତି ଏକ ମଠ ଅଛି, ଯେଉଁଠି ଶାନ୍ତି ସହ ଅାନନ୍ଦ ଓ ଏକ ନିଆରା ଅନୁଭୂତି ମିଳିବ। ତା’ ଛଡ଼ା ବିଲେଇଙ୍କୁ ଭଲ ପାଉଥିବା ବ୍ୟକ୍ତିଙ୍କୁ ତ ଏହା ସ୍ବର୍ଗ ପରି ଲାଗିବ। କାରଣ ଏ ହେଉଛି ଏକ ବିଲେଇ ମଠ, ଯାହାର ନାମ ‘ନ୍ୟାନ୍ ନ୍ୟା ଜି’ ବା ‘ମିଉ ମିଉ ମଠ’। ଏଠାରେ ବିଲେଇ ସାଧୁ ଥାଆନ୍ତି। ଏହାର ମୁଖ୍ୟ ସାଧୁ ବି ଏକ ବିଲେଇ, ଯାହାର ନାଁ କୋୟୁକି। ସେ ଏକ ମାଈ ବିଲେଇ। ଏହାବାଦ୍ ୱାକା, ଚିନ୍, ଅରୁଜି, ରେନ୍, କୋନାସୁ ଏବଂ ଚିଛି ନାମରେ ଆହୁରି ୬ଟି ବିଲେଇ ସାଧୁ ଅଛନ୍ତି। ଏଠାକୁ ଯେଉଁ ପର୍ଯ୍ୟଟକ ଆସନ୍ତି ଏହି ବିଲେଇଙ୍କ ସହ ଖେଳନ୍ତି ଓ ଏଠାରେ ବିଲେଇଙ୍କୁ ନେଇ ହୋଇଥିବା କଳାକୃତିକୁ ଉପଭୋଗ କରନ୍ତି।