ଆଜିକାଲି ସମସ୍ତଙ୍କ ଘରେ ଘରେ ବାଇକ ଅଛି। କିନ୍ତୁ ଏପରି ଗୋଟେ ବାଇକ୍ ଅଛି ଯାହାକୁ କେହି ଦେଖି ନଥିବେ। ଏହା ହାତ ପାପୁଲିରେ ରହିଯାଏ। ହେଲେ ଏହା କାର୍ଯ୍ୟକ୍ଷମ। ‘ସ୍ମଲ୍ ଟୋ’ ନାମକ ଏହି ବାଇକ୍ର ଓଜନ ମାତ୍ର ୧.୦୮ କି.ଗ୍ରା। ଉଚ୍ଚତା ୨.୫ ଇଞ୍ଚ ଓ ଲମ୍ବ ୪.୫ ଇଞ୍ଚ। ଏହା ଘଣ୍ଟା ପ୍ରତି ୨ କି.ମି ବେଗରେ ଗତି କରିପାରେ। ଟମ୍ ୱିମ୍ବର୍ଗ ଏହାକୁ ତିଆରି କରିଛନ୍ତି। ତେବେ ଏଥିରେ ଲାଇଟ୍ ନାହିଁ, ଗିୟର୍ ନାହିଁ, ବ୍ରେକ୍ ୟୁନିଟ୍ ବି ନାହିଁ। ଏଥିରେ ଲାଗିଛି ଏକ ସିଙ୍ଗଲ୍ ଗିୟର୍ ମୋଟର, ଯାହାର କେବଳ ଫରୱାଡ୍ ଟ୍ରାନ୍ସ୍ମିସନ୍ ଅଛି। ଷ୍ଟାର୍ଟିଂ ୟୁନିଟ୍ ବି ନାହିଁ। ଏହା ବାହ୍ୟ ମୋଟର ଦ୍ବାରା ଷ୍ଟାର୍ଟ ହୁଏ। ଛୋଟ ଆକାର ଲାଗି ଏଥିରେ ସାଧାରଣ ଭାବେ ବସି ହୁଏନା। ତଥାପି ‘‘ଟମ୍’’ ବାଇକ୍ର ଦୁଇ ପାର୍ଶ୍ବରେ ଥିବା ରଡ୍ ଉପରେ ସ୍ବତନ୍ତ୍ର ଜୋତା ପିନ୍ଧି ବସି ଏହାକୁ ଚଳାଇବାରେ ସକ୍ଷମ ହୋଇଥିଲେ। ଆଉ ୩୨.୮ ଫୁଟ୍ ପର୍ଯ୍ୟନ୍ତ ଏହି ବାଇକ୍କୁ ଚଳାଇଥିଲେ।
/sambad/media/post_attachments/wp-content/uploads/2021/11/nua-samaya2.jpg)
ସବୁଠୁ ବଡ଼ ବାଇସାଇକେଲ୍
ଗ୍ରାହକଙ୍କ ଚାହିଦା ମୁତାବକ ହାଲ୍କା ସାଇକେଲ୍ ଏବେ ତିଆରି କରାଯାଉଛି। ଏଠାରେ ଯେଉଁ ସାଇକେଲ୍ କଥା କୁହାଯାଉଛି ତାହା ହେଉଛି ପୃଥିବୀରେ ସବୁଠାରୁ ଓଜନିଆ ଓ ବଡ଼ ସାଇକେଲ। ଏହା ଏତେ ବଡ଼ ଯେ, ଟ୍ରକ୍ରେ ନେବାକୁ ହୁଏ। ଏହାର ଚକର ବ୍ୟାସ ୫ ଫୁଟ୍ ହୋଇଥିବାବେଳେ ଓଜନ ୯୪୦ କି.ଗ୍ରା। ଏହାକୁ ତିଆରି କରିଛନ୍ତି ଜର୍ମାନୀର ଫ୍ରାଙ୍କ୍ ଡୋଜ୍। ସେ ଏହାକୁ ସ୍କ୍ରାପ୍ ମେଟାଲ୍ ବ୍ୟବହାର କରି ତିଆରି କରିଛନ୍ତି। ଚକ ଦୁଇଟିକୁ ସେ ଚାଷ ପାଇଁ ବ୍ୟବହାର କରାଯାଉଥିବା ମକ୍ ସ୍ପ୍ରେଡର୍ରୁ ଆଣିଛନ୍ତି। ତେବେ ସାଇକେଲ୍ଟି ଏତେ ବିରାଟକାୟ ଓ ଓଜନଦାର ହୋଇଥିଲେ ହେଁ ଏହାକୁ ଚଲାଇ ହୁଏ।