ନୂଆ ସମୟ, ନୂଆ କଥା: ରୋବୋ ଚଢ଼େଇ ଏବଂ ସ୍ମରଣ ଶକ୍ତିକୁ ସକ୍ରିୟ ରଖିବ ମଲିକୁଲାର ମେକାନିଜିମ୍‌

ଜର୍ମାନୀର ଅଟୋମେଶନ୍‌ କମ୍ପାନୀ ଫେ‌ଷ୍ଟୋ ତିଆରି କରିଛି ହାଲୁକା ଏକ ରୋବୋ, ଯାହାକି ଅବିକଳ ଚଢ଼େଇ ପରି ଉଡ଼ିପାରେ। ପୂର୍ବରୁ ଏହି କମ୍ପାନୀ ରୋବୋ-ପିମ୍ପୁଡ଼ି, ରୋବୋ ପ୍ରଜାପତି, ରୋବୋ-ପେଙ୍ଗୁଇନ୍‌, ଜେଲିଫିଶ୍‌ ଏବଂ କଙ୍ଗାରୁ ତିଆରି କରିଛି। ଏହି ରୋବୋ ଚଢ଼େଇଟି ଅବିକଳ ସ୍ବିଫ୍ଟ୍‌ ନାମକ ଏକ ଚଢ଼େଇ ପରି। ସତସତିକା ଚଢ଼େଇ ପରି ଉଡ଼ିବା ପାଇଁ ରୋବୋ ଚଢ଼େଇକୁ ବହୁତ ହାଲ୍‌କା ତିଆରି କରାଯାଇଛି। ଓଜନ ମାତ୍ର ୪୨ ଗ୍ରାମ୍‌। ଏହାର ଲମ୍ବ ୧୭.୫ ଇଞ୍ଚ ଓ ଡେଣା ୨୭ ଇଞ୍ଚ ଲମ୍ବା ଅଟେ। ଡେଣା ହାଲ୍‌କା ଫୋମ୍‌ରେ ତିଆରି। ଏଥିରେ ବ୍ରଶ୍‌ଲେସ୍‌ ମୋଟର, ଦୁଇଟି ସର୍ଭୋ ମୋଟର, ଏକ ବ୍ୟାଟେରି, ଏକ ଗିୟର ୟୁନିଟ୍‌ ଏବଂ ରେଡିଓ କଣ୍ଟ୍ରୋଲ୍‌ ପାଇଁ ଅନେକ ସର୍କିଟ୍‌ ବୋର୍ଡ ରହିଛି। ଏଥିରେ ଥିବା ରେଡିଓ ବେସ୍‌ଡ ଇନ୍‌ଡୋର୍‌ ଜିପିଏସ୍‌ ସିଷ୍ଟମ୍‌ ଯୋଗୁ ରୋବୋଗୁଡ଼ିକର ସ୍ଥାନ ସମ୍ବନ୍ଧୀୟ ଜ୍ଞାନ ରହିଥାଏ। ଏହି ରୋବୋଗୁଡ଼ିକରେ ରେଡିଓ ମାର୍କର ବି ଥାଏ, ଯାହାଦ୍ବାରା ବେସ୍‌କୁ ସିଗ୍‌ନାଲ୍‌ ପଠାଇ ହୁଏ। ତେଣୁ ଏମାନଙ୍କର ଠିକ୍‌ ଲୋକେସନ୍‌କୁ ଜାଣିହୁଏ ଓ ସେମାନଙ୍କୁ ନିର୍ଦ୍ଦେଶ ଅନୁଯାୟୀ ଉଡ଼ିବା ପାଇଁ ସୂଚନା ଦେଇଥାଏ।

ସ୍ମରଣ ଶକ୍ତିକୁ ସକ୍ରିୟ ରଖିବ ମଲିକୁଲାର ମେକାନିଜିମ୍‌
ସ୍ମରଣ ଶକ୍ତିକୁ ସକ୍ରିୟ ରଖିବା ପାଇଁ ଏକ ନୂଆ ଉପାୟ ନିକଟରେ ଉଦ୍‌ଭାବିତ ହୋଇଛି। ଏ ‌େକ୍ଷତ୍ରରେ ଦୀର୍ଘଦିନର ଗବେଷଣା କରି ଶେଷରେ ସଫଳତା ହାସଲ କରିଛନ୍ତି ୟୁନିଭର୍ସିଟି ଅଫ୍‌ ବାସେଲ୍‌ର ସ୍ନାୟୁବିଜ୍ଞାନୀମାନେ। ‘ମଲିକୁଲାର ମେକାନିଜିମ୍‌’ ନା‌ମକ ପ୍ରଣାଳୀକୁ ଉପଯୋଗ କରିବା ଦ୍ବାରା ଜଣେ ବ୍ୟକ୍ତିଙ୍କର ସ୍ମରଣ ଶକ୍ତି ପୂର୍ବାପେକ୍ଷା ଆହୁରି ସକ୍ରିୟ ରହିବ ବୋଲି ସେମାନେ କହିଛନ୍ତି। ସ୍ମରଣ ଶକ୍ତି ସହ ଜଡ଼ିତ ମଲିକୁଲ୍‌ଗୁଡ଼ିକୁ ସେମାନେ ତନ୍ନ ତନ୍ନ କରି ପରୀକ୍ଷା କରି ଏପରି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କେବଳ ସେତିକି ନୁହେଁ, ସ୍ମରଣ ଶକ୍ତି ସକ୍ରିୟ ଭାବ‌ରେ କାର୍ଯ୍ୟ କରିବା ପାଇଁ ‘ଏମ୍‌ପିଏସ୍‌-୨’ ନାମକ ଜିନ୍‌ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କର ସ୍ମରଣ ଶକ୍ତିରେ ତାରତମ୍ୟତା ପରିଲକ୍ଷିତ ହୋଇଥାଏ। ଏ କ୍ଷେତ୍ରରେ ‘ମଲିକୁଲାର ମେକାନିଜିମ୍‌’ର ଭୂମିକା କ’ଣ ରହିବ ତାହା ଉପରେ ଗବେଷଣା ଜାରି ରହିଛି।

ସମ୍ବନ୍ଧିତ ଖବର