ଜାପାନ୍‌ରେ ଏଭଳି ଏକ ପେନ୍‌ ତିଆରି ହୋଇଛି, ଯାହାକୁ ପେନ୍‌ ସଂଗ୍ରହକାରୀମାନେ ପସନ୍ଦ କରିବେ। କାରଣ ଏହି କଲମରେ ଏକ ଛୋଟ କାଚର ଟ୍ୟାଙ୍କ୍‌ ଅଛି, ଯେଉଁଥିରେ ଲମ୍ବା ଜୀବନ୍ତ କୃମି ରଖାଯାଇଛି। ସାଧାରଣତଃ ଏହି କୃମି ମାଛର ଗ୍ୟାଷ୍ଟ୍ରୋ ଇଣ୍ଟେଷ୍ଟାଇନ୍‌ ଟ୍ରାକ୍ଟରେ ଇନ୍‌ଫେକ୍ସନ୍‌ କରିଥାନ୍ତି। ତା’ ସହ କଞ୍ଚା ତଥା ଅଳ୍ପ ସିଝା ହୋଇଥିବା ସାମୁଦ୍ରିକ ଜୀବ ଖାଉଥିବା ଲୋକ ବି ଏହି କୃମି ପାଇଁ ଇନ୍‌ଫେକ୍ସନ୍‌ର ଶିକାର ହୋଇଥାଆନ୍ତି। ତେଣୁ ଅନେକେ ଏହି କୃମିକୁ ଆଖପାଖରେ ବି ଦେଖିବାକୁ ଚାହିଁବେ ନାହିଁ। ହେଲେ ଏହି ପେନ୍‌ରେ ରହିଛି ସେହି ଇନ୍‌ଫେକ୍ସନ୍‌ ସୃଷ୍ଟି କରୁଥିବା କୃମି। ଆଶ୍ଚର୍ଯ୍ୟର କଥା ଏହି ବଲ୍ ପଏଣ୍ଟ୍‌ ପେନ୍‌ର ଚାହିଦା ଜାପାନ୍‌ରେ ବହୁତ ରହିଛି।

Advertisment

publive-image

ଶହେ ଭାଷା କହିପାରୁଥିବା ରୋବୋଟ୍‌
ଇରାନ୍‌ର ତେହେରାନ୍‌ ବିଶ୍ବବିଦ୍ୟାଳୟ ଏଭଳି ଏକ ରୋବୋଟ୍‌ ତିଆରି କରିଛି ଯାହା ଶହେଟି ଭିନ୍ନ ଭିନ୍ନ ଭାଷା ବୁଝିପାରିବା ସହ ଅନୁବାଦ ବି କରିପାରୁଛି। କେବଳ ଏତିକି ନୁହେଁ ଏହା ମୁହଁ ଚିହ୍ନିବା ସହ ଫୁଟ୍‌ବଲ୍‌କୁ କିକ୍‌ ମାରିପାରେ। ଆଇଆର୍‌ଆଇବି ଟିଭି ରିପୋର୍ଟ ଅନୁସାରେ, ବିଶ୍ବବିଦ୍ୟାଳୟର ଏକ ଟିମ୍‌ ଚାରି ବର୍ଷ ଧରି ଏହି ରୋବୋଟ୍‌କୁ ତିଆରି କରିଥିଲେ। ଏହାର ନାଁ ‘ସୁରେନା’। ରିପୋର୍ଟ ଅନୁସାରେ ଏହି ରୋବୋଟ୍‌ ଯେ କୌଣସି ଜିନିଷକୁ ଉଠାଇପାରିବ। ଖାଲି ସେତିକି ନୁହେଁ, ଲୋକମାନଙ୍କ ସହ ହାତ ମିଳାଇ ଅଭିନନ୍ଦନ ଜଣାଇପାରିବ। ସୂତ୍ର ଅନୁସାରେ, ୧୭୦ ସେଣ୍ଟିମିଟର୍‌ ଲମ୍ବ ଏବଂ ୭୦ କିଲୋଗ୍ରାମ୍‌ ଓଜନର ସୁରେନା ଘଣ୍ଟା ପ୍ରତି ୦.୭ କିଲୋମିଟର୍‌ ଗତିରେ ଚାଲିବାକୁ ସକ୍ଷମ ଏବଂ ଆବଡ଼ା-ଖାବଡ଼ା ଜାଗାରେ ଆଗପଛ ତଥା ବାମ-ଡାହାଣକୁ ମୁହଁ ବୁଲାଇପାରିବ।