ଆଜିକାଲି ଚିକିତ୍ସା ବିଜ୍ଞାନରେ ଦିନକୁ ଦିନ ନୂଆ ନୂଆ କଥା ଆବିଷ୍କାର ହେଉଛି। ସେହି ଅନୁସାରେ ରୋଗର ନିଦାନ ପ୍ରଣାଳୀ ମଧ୍ୟ ସହଜ ଓ ସରଳ ହୋଇପାରୁଛି। ନିକଟରେ ଜର୍ମାନୀର ବୈଜ୍ଞାନିକମାନେ ଏକ ହାଇଟେକ୍ ବ୍ରେସ୍ଲେଟ୍ ତିଆରି କରିଛନ୍ତି। ଏହାଦ୍ବାରା ବ୍ଲଡ୍ପ୍ରେସର୍, ରକ୍ତରେ ସୁଗାର ପରିମାଣକୁ ସହଜରେ ମାପିହେବ। ତା’ ସହ ଶରୀରର ତାପମାତ୍ରା ବିଷୟରେ ମଧ୍ୟ ଜାଣିହେବ। ଏହାକୁ ବାହୁରେ ପିନ୍ଧିବା ପରେ ତାହା ଟଚ୍ ସ୍କ୍ରିନ୍ ପରି କାମ କରିଥାଏ। ପରୀକ୍ଷାମୂଳକ ଭାବରେ ବ୍ୟବହାର କରି ଏଥିରୁ ସଫଳତା ମିଳିଛି ବୋଲି ପ୍ରସ୍ତୁତକାରୀ ବୈଜ୍ଞାନିକମାନେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
ଷ୍ଟାର୍ ନୋଜ୍ଡ ମୋଲ୍
ଏହି ଜୀବଟିର ନାଁ ଟି ବେଶ୍ କୌତୁକିଆ। ‘‘ତାରା ନାକୁଆ ଚୁଚୁନ୍ଦ୍ରା’’। ନାଁରୁ ହିଁ ଜାଣିହୁଏ ସେ କେତେ ଅଜବ ହୋଇଥିବ। ଏହି ପ୍ରାଣୀର ମୁହଁଟି ବେଶ୍ ଅଜବ। ମୁହଁଟି ଦେଖିବାକୁ ଏକ ଫୁଲ ଭଳି। ଏହାର ଏକ ଖାସ୍ ଗୁଣ ରହିଛି। ସେ ଏହି ଅଦ୍ଭୁତ ମୁହଁ ସାହାଯ୍ୟରେ ପ୍ରତି ସେକେଣ୍ଡ୍ରେ ୧୩ଟି ଶିକାରର ଚିହ୍ନଟ କରିପାରେ। ଏତିକି ସମୟରେ ଗୋଟେ ମଣିଷ ମାତ୍ର ଜଣେ କିମ୍ବା ଦୁଇଜଣଙ୍କୁ ଅନେକ କଷ୍ଟରେ ଚିହ୍ନିପାରିବ।