ବ୍ଲାକ୍‌ ଇଗ୍ରେଟ୍‌ ହେଉଛି ଆଫ୍ରିକାର ହେରନ୍ ନାମକ ଏକ ପ୍ରକାର ପକ୍ଷୀର ପ୍ରଜାତି। ଏହି ପକ୍ଷୀର ଏକ ସ୍ବତନ୍ତ୍ର ପ୍ରକାରର ଶିକାର କରିବା ପଦ୍ଧତି ରହିଛି, ଯାହା ବେଶ୍‌ କୌତୂହଳମୟ। ଚଢ଼େଇଟି ଅଗଭୀର ଜଳରେ ଧୀରେ ଧୀରେ ଆସି ନିଜର ଦୁଇ ଡେଣାକୁ ଶରୀର ଚାରିପଟେ ଏଭଳି ପ୍ରସାରିତ କରି ରଖେ ଯେ, ତା’ର ଶରୀର ଦେଖାଯାଏ ନାହିଁ। ଆଉ ସେ ସମ୍ପୂର୍ଣ୍ଣଭାବେ ଏକ ଛତା ଭଳି ଦେଖାଯାଏ। ଛୋଟ ମାଛଗୁଡ଼ିକ ନିଜକୁ ପରଭକ୍ଷୀଙ୍କଠାରୁ ରକ୍ଷା କରିବା ପାଇଁ ସେହି ଛତାକୁ ସୁରକ୍ଷିତ ସ୍ଥାନ ଭାବି ଭିତରକୁ ଚାଲି ଆସନ୍ତି। ଆଉ ଚଢ଼େଇଟି ନିଜର ଲମ୍ବା ଥଣ୍ଟରେ ଆରାମରେ ସେହି ଛୋଟ ମାଛକୁ ଖାଇଦିଏ। ଏହି ପଦ୍ଧତିକୁ ‘କ୍ୟାନୋପି ଫିଡିଂ’ ବୋଲି କୁହାଯାଏ।

Advertisment

publive-image

ବଳୁଆ କଙ୍କଡ଼ା
ବିଭିନ୍ନ ପ୍ରକାରର କଙ୍କଡ଼ା ରହିଛି। ସେଥି ମଧ୍ୟରୁ ଏହି ବଳୁଆ କଙ୍କଡ଼ା ଅନ୍ୟତମ। ଦକ୍ଷିଣ ପଶ୍ଚିମ ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗରରେ ଏହା ଦେଖିବାକୁ ମିଳେ। ଏହାକୁ ଅନେକ ଦୈତ୍ୟ କଙ୍କଡ଼ା ବି କହନ୍ତି। ଉକ୍ତ କଙ୍କଡ଼ାର ଲମ୍ବ ୧ ମିଟର ହୋଇଥିବା ବେଳେ ଓଜନ ୪.୫ କିଗ୍ରା ହୋଇଥାଏ। ଏହାର ଗୋଡ଼ ବହୁତ ଶକ୍ତ। ଏହି କଙ୍କଡ଼ା ନଡ଼ିଆର ବାହାର ଆବରଣକୁ ଭାଙ୍ଗିପାରେ। ନଡ଼ିଆ ଗଛ ଉପରକୁ ଚଢ଼ି ନଡ଼ିଆ ତୋଳିବା ସହିତ ନଡ଼ିଆକୁ ଭାଙ୍ଗି ବି ଦିଏ। ତେଣୁ ଏହାକୁ କୋ‌କୋନେଟ୍‌ କ୍ରାବ୍‌ ମଧ୍ୟ କୁହାଯାଏ। ଏହାର ଗୋଡ଼ ଏତେ ଶକ୍ତ ଯେ, ମଣିଷର ହାଡ଼କୁ ବି ଭାଙ୍ଗି ଦେଇପାରେ। ଏହି କଙ୍କଡ଼ା ଦେହରେ ୩୩୦୦ ନ୍ୟୁଟନ୍‌ ବଳ ଥାଏ। କଙ୍କଡ଼ାଟିର ବିଶେଷତ୍ବ ହେଉଛି ବୟସ ଅନୁସାରେ ଏହା ରଙ୍ଗ ବଦଳାଇଥାଏ। ଯୁବା ଅବସ୍ଥାରେ ମାଟିଆ ରଙ୍ଗ ଥିଲାବେଳେ ବୟସ୍କ ହେଲେ ବାଇଗଣୀ ରଙ୍ଗର ହୋଇଥାଏ। ଏହି କଙ୍କଡ଼ା ପଚାଶଢ଼ା ଖାଦ୍ୟ ଖାଇ ବଞ୍ଚେ। ଏମାନେ ରାତିରେ ହିଁ ଖାଦ୍ୟ ଅନ୍ବେଷଣରେ ବାହାରିଥାଆନ୍ତି। ଏହି କଙ୍କଡ଼ାକୁ ଅନେକ ଚୋର କଙ୍କଡ଼ା ବି କହନ୍ତି।