ଅନେକ ସମୟରେ ଆମେ ଚିହ୍ନା ମୁହଁକୁ ଅତି ସହଜରେ ଚିହ୍ନି ପାରିଥାଉ। ସେମାନଙ୍କ ମୁହଁ ଦୂରରୁ ଅସ୍ପଷ୍ଟ ଦେଖାଯାଉଥିଲେ ବି ଆମେ ଚିହ୍ନୁ। ଥରେ ଜଣଙ୍କୁ ଦେଖିଦେଇଥିଲେ ତା’କୁ ମନେ ରଖିଥାଉ। କିନ୍ତୁ ଏପରି କାହିଁକି ହୋଇଥାଏ? ଏହାର କାରଣ ଖୋଜିବାକୁ ପ୍ରୟାସ କରିଥିଲେ ରକ୍ଫେଲର ୟୁନିଭର୍ସିିଟିର ମନୋବିଜ୍ଞାନୀମାନେ। ସେମାନେ କହିଛନ୍ତି, ମସ୍ତିଷ୍କର ଏକ ନେଟ୍ୱାର୍କ ଏରିଆ ରହିଛି। ଏହା ଠିକ୍ ଭାବରେ କାର୍ଯ୍ୟ ସମ୍ପାଦନ କଲେ ତାହା ବ୍ୟକ୍ତି ଓ ନିଜେ ସବୁବେଳେ ବ୍ୟବହାର କରୁଥିବା ଜିନିଷକୁ ଅତି ସହଜରେ ମନେ ରଖିପାରେ। ତେଣୁ ଚିହ୍ନା ବ୍ୟକ୍ତିଙ୍କୁ ଆମେ ସହଜରେ ଜାଣିପାରିଥାଉ। ରକ୍ଫେଲର୍ ୟୁନିଭର୍ସିଟିର ଲାବୋରେଟୋରି ଅଫ୍ ନ୍ୟୁରାଲ୍ ସିଷ୍ଟମ୍ର ମୁଖ୍ୟ ୱିନ୍ରିଚ୍ ଫ୍ରିୱାଲ୍ଡ୍ ପ୍ରଥମେ ପଶୁମାନେ କିପରି ନିଜ ପରିଚିତ ପଶୁମାନଙ୍କୁ ଚିହ୍ନିପାରନ୍ତି ସେ ନେଇ ଗବେଷଣା କରିଥିଲେ। ଏ ସମ୍ପର୍କରେ ସେ କୁହନ୍ତି, ‘ପଶୁମାନଙ୍କର ମସ୍ତିଷ୍କକୁ ତିନି ଭାଗରେ ବିଭକ୍ତ କରି ତାହାକୁ ତନ୍ନତନ୍ନ କରି ପରୀକ୍ଷା କରାଯାଇଥିଲା। ସେମାନେ ନିଜର ପରିଚିତ ପଶୁଙ୍କୁ ଭଲ ଭାବେ ଚିହ୍ନି ପାରିଥାଆନ୍ତି କାରଣ ସେମାନଙ୍କର ମସ୍ତିଷ୍କର ନେଟ୍ୱାର୍କ ଏରିଆ ଖୁବ୍ ସକ୍ରିୟ ଥାଏ। ମଣିଷମାନଙ୍କ ମସ୍ତିଷ୍କରେ ଡିକ୍ଲାରେଟିଭ୍ ମେମୋରି ରହିଛି, ଯେଉଁଥିପାଇଁ ସେମାନେ ପରିଚିତ ଲୋକଙ୍କୁ ଚିହ୍ନି ପାରିଥାଆନ୍ତି।
ସବୁଠାରୁ ଅଧିକ କ୍ୟାମେରା ସଂଗ୍ରାହକ
ମୁମ୍ବାଇର ଦିଲିଶ ପାରେଖ୍, ପେସାରେ ଜୁଏଲର୍ କିନ୍ତୁ ଜଣେ ସୌଖୀନ୍ ଫଟୋଜର୍ଣ୍ଣାଲିଷ୍ଟ୍। ତାଙ୍କର ସଉକ କ୍ୟାମେରା ସଂଗ୍ରହ କରିବା। ଏହି ସଉକ ପାଇଁ ସେ ଗିନିଜ୍ ୱାର୍ଲଡ ରେକର୍ଡସରେ ବି ସ୍ଥାନ ପାଇପାରିଛନ୍ତି। କାରଣ ତାଙ୍କ ପାଖରେ ଅଛି ସର୍ବାଧିକ ୪,୪୦୦ରୁ ଅଧିକ କ୍ୟାମେରା। ସେଥିରେ ଅନେକ ବିରଳ ଓ ବହୁ ପୁରୁଣା ଭିଣ୍ଟେଜ୍ କ୍ୟାମେରା ବି ଅଛି। ସେ ଏହି ସଂଗ୍ରହ ୪୫ ବର୍ଷ ପୂର୍ବେ ଆରମ୍ଭ କରିଥିଲେ। ତାଙ୍କ ଜେଜେବାପା ବି ଜଣେ କ୍ୟାମେରା ସଂଗ୍ରାହକ ଥିଲେ। ଏହାପରେ ତାଙ୍କର କ୍ୟାମେରା ସଂଗ୍ରହ ନିଶା ବଢ଼ିଯାଇଥିଲା। ଏବେ ତାଙ୍କ ପାଖରେ ୪,୪୨୫ଟି କ୍ୟାମେରା ଅଛି। ଆଉ ସେ ଦୁଇ ଦୁଇ ଥର ଗିନିଜ୍ ୱାର୍ଲଡ ରେକର୍ଡସ୍ରେ ଓ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ବି ସ୍ଥାନ ପାଇଛନ୍ତି। ତାଙ୍କ ପାଖରେ ରୋଲିଫ୍ଲେକ୍ସ୍, ଲେଇକା ଏମ୍୩ ପରି ଭିଣ୍ଟେଜ୍ କ୍ୟାମେରା ରିଷ୍ଟ୍ ୱାଚ୍, ଲାଇଟର୍, ମିଲିଟାରିରେ ବ୍ୟବହାର କରାଯାଉଥିବା ମାଇନକ୍ସ କ୍ୟାମେରା ଆଦି ବି ଅଛି।