ନୂଆ ସମୟ ନୂଆ କଥା : ଯନ୍ତ୍ର ମାନବ ରୋବୋ ଏବଂ ସ୍ମାର୍ଟ ବ୍ରେନ୍‌

ଅବସାଦଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଏଣିକି ଏଥିରୁ ରକ୍ଷା ପାଇବା ପାଇଁ ବୈଜ୍ଞାନିକମାନେ ଏକ ନୂଆ ଉପାୟ ଅବଲମ୍ବନ କରିଛନ୍ତି। ଜଣକଙ୍କର ସହାୟତାରେ ଏଭଳି ସମସ୍ୟାରୁ କେତେକାଂଶରେ ଉପଶମ ମିଳିବ ବୋଲି ପ୍ରକାଶ କରିଛନ୍ତି ଜାପାନ୍‌ର ବୈଜ୍ଞାନିକ। ତାହା ହେଲା, ଯନ୍ତ୍ର ମାନବ ରୋବୋ। ଅର୍ଥାତ୍‌, ଜାପାନ୍‌ର ବୈଜ୍ଞାନିକଗଣ ଏଭଳି ଏକ ରୋବୋ ତିଆରି କରିଛନ୍ତି ଯିଏ ଅବସାଦ ଦୂର କରିପାରିବ। ଉକ୍ତ ରୋବୋରେ ସଂଯୁକ୍ତ ଏକ ତାରଯୁକ୍ତ ଡିଭାଇସ୍‌କୁ ଅବସାଦଗ୍ରସ୍ତ ବ୍ୟକ୍ତିଙ୍କ ବାହୁରେ ବାନ୍ଧି ଦେବା ପରେ ତାହା ସଂପୃକ୍ତ ବ୍ୟକ୍ତି ମନରେ ନୂଆ ପୁଲକ ସୃଷ୍ଟି କରିବା ସହ ମାନସିକତାକୁ ସକାରାତ୍ମକ କରିଥାଏ। ଫଳରେ ସେହି ବ୍ୟକ୍ତି ଅବସାଦ କବଳରୁ ଧୀରେ ଧୀରେ ନିଜକୁ ମୁକ୍ତ କରିଥାଆନ୍ତି।

ସ୍ମାର୍ଟ ବ୍ରେନ୍‌
ମନୁଷ୍ୟ ଶରୀରରେ ଆଜିକାଲି କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଲଗାଯାଇ ପାରୁଛି। ଏ କ୍ଷେତ୍ରରେ ଆଉ ପାଦେ ଆଗେଇଛନ୍ତି ୟୁନିଭର୍ସିଟି ଅଫ୍‌ ଲଣ୍ଡନ୍‌ର ସ୍ନାୟୁଶଲ୍ୟ ବିଶେଷଜ୍ଞମାନେ। ଦୀର୍ଘ ପାଞ୍ଚବର୍ଷର ଗବେଷଣା ପରେ ସେମାନେ ଏକ ସ୍ମାର୍ଟ ବ୍ରେନ୍‌ ପ୍ରସ୍ତୁତ କରିଛନ୍ତି। ଏହା ଦେଖିବାକୁ ମନୁଷ୍ୟର ବ୍ରେନ୍‌ ପରି। ଏଥିରେ ଏଭଳି ତାର ସଂଯୋଗ କରାଯାଇଛି ଯାହା ସ୍ନାୟୁ ପରି କାମ କରିବ। ଏହାକୁ କାର୍ଯ୍ୟକ୍ଷମ କରିବାକୁ ଏକ ସୂକ୍ଷ୍ମ ବ୍ୟାଟେରି ସେଥିରେ ସଂଯୋଗ କରାଯାଇଛି। ପରୀକ୍ଷାମୂଳକ ଭାବରେ ସେଇଟିକୁ ଏକ ମୂଷା ସହ ସଂଯୋଗ କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ଏହି ସ୍ମାର୍ଟ ବ୍ରେନ୍‌ କେତେକାଂଶରେ କାମ କରିବା ଆରମ୍ଭ କରିଥିଲା। ଯେହେତୁ ଏହାକୁ ନେଇ ପରୀକ୍ଷା ନିରୀକ୍ଷା ଚାଲିଛି ତେଣୁ ଏହା ମନୁଷ୍ୟମାନଙ୍କ ପାଇଁ ଶତ ପ୍ରତିଶତ ଉପକାରୀ ସାବ୍ୟସ୍ତ ହେବାର ଆଶା ରଖିଛନ୍ତି ପ୍ରସ୍ତୁତକାରୀ ବିଶେଷଜ୍ଞମାନେ।

ସମ୍ବନ୍ଧିତ ଖବର