ଖୋଲା ଝରକା : ଅଶୁଭ ସଂଖ୍ୟା

ଶୁଭ ଓ ଅଶୁଭ ସଂଖ୍ୟାକୁ ନେଇ ଲୋକମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ବିଶ୍ବାସ ରହିଛି। କିଛି ସଂଖ୍ୟାକୁ ଲୋକେ ଶୁଭ ମଣୁଥିବାବେଳେ ଆଉ କିଛି ଅଶୁଭ ବୋଲି ଭାବନ୍ତି। ଚୀନ୍‌, ଜାପାନ୍‌, ଇଟାଲୀ ଓ ବ୍ରିଟେନ୍‌ ଭଳି ଦେଶମାନଙ୍କରେ କିଛି ସଂଖ୍ୟାକୁ ଅଶୁଭ ବୋଲି ବିଶ୍ବାସ କରାଯାଏ। ଲୋକମାନେ ଏହି ସଂଖ୍ୟାଗୁଡ଼ିକୁ ସେମାନଙ୍କର ଦୈନନ୍ଦିନ ଜୀବନଚର୍ଯ୍ୟାରେ ଯଥାସମ୍ଭବ ବ୍ୟବହାର ନ କରିବାକୁ ଚେଷ୍ଟା ଚଳାଇଥାନ୍ତି। ଚୀନ୍‌ରେ ୪କୁ ଅଶୁଭ ବୋଲି କୁହାଯାଏ। ୪କୁ ଇଂରାଜୀରେ ଫୋର୍‌ କୁହାଯାଏ। ସ୍ଥାନୀୟ ଭାଷାରେ ଫୋର୍‌କୁ ମୃତ୍ୟୁ ସହ ସମାନ ବୋଲି କୁହାଯାଏ। ତେଣୁ ଚୀନ୍‌ରେ ଅନେକ ଅଟ୍ଟାଳିକାରେ ତୃତୀୟ ମହଲା ପରେ ପଞ୍ଚମ ମହଲା ଆସିଥାଏ। କୌଣସି ଗଳି କିମ୍ବା କୋଠାରେ ୪ ସଂଖ୍ୟା ଲେxଖାଯାଇ ନଥାଏ। ଜାପାନ୍‌ରେ ମଧ୍ୟ ସଂଖ୍ୟା ୪ ଓ ୯କୁ ଅଶୁଭ ବୋଲି କୁହାଯାଏ। ୯କୁ ଇଂରାଜିରେ ନାଇନ୍‌ କହନ୍ତି। ଜାପାନୀ ଭାଷାରେ ଯାହାର ଅର୍ଥ ରୋଗ ବା ମୃତ୍ୟୁ। ଏଥିପ‌ାଇଁ ଏଠାରେ ୯କୁ ଅଶୁଭ ବୋଲି କୁହାଯାଏ। ସେହିଭଳି ଅନେକ ଦେଶରେ ସଂଖ୍ୟା ୧୩କୁ ଅଶୁଭ ବୋଲି ଲୋକମାନେ ବିଶ୍ବାସ କରନ୍ତି। ୟୁରୋପରେ ଅଧିକାଂଶ ହୋଟେଲ୍‌ରେ ୧୩ ନମ୍ବର ରୁମ୍‌ ଓ ୧୩ତମ ମହଲା ଦେଖିବାକୁ ମିଳିବ ନାହିଁ। ଇଟାଲୀରେ ୧୭କୁ ଅଶୁଭ ଧରାଯାଏ। ସେହିଭଳି ଇସ୍‌ଲାମିକ୍‌ ଦେଶରେ ୩୯କୁ ଅଶୁଭ କୁହାଯାଏ। ୫୩୬କୁ କିଛି ଦେଶର ଲୋକମାନେ ଅଶୁଭ ମଣିଥାନ୍ତି।

କଥା ଫରୁଆ – ଶୁଖିଲାରେ ନାଆ ପେଲିବା

ନାଆ ବା ନଉକା ପାଣିରେ ଚାଲେ। ଶୁଖିଲାରେ ଅର୍ଥାତ ପାଣି ନ ଥିବା ସ୍ଥାନରେ। ‘ପେଲିବା’ ଶବ୍ଦଟି ‘ଠେଲିବା’ କାର୍ଯ୍ୟକୁ ବୁଝାଇଥାଏ। ଏଠାରେ ନାଆ ପେଲିବା ଅର୍ଥ ଡଙ୍ଗା ବାହିବା। ହେଲେ ପାଣି ନ ଥିବା ସ୍ଥାନରେ ଡଙ୍ଗା ବାହିବାର ଅର୍ଥ କ’ଣ? ଯେହେତୁ ନାଆ ବାହିବା ନଦୀମାତୃକା ଓଡ଼ିଶାରେ ଏକ ସାଧାରଣ ଦୃଶ୍ୟ ତେଣୁ କିଛି ଗୂଢ଼ କଥାକୁ ବୁଝାଇବା ଲାଗି ଏ କଥାଫରୁଆ ପଦଟି ବ୍ୟବହୃତ ହୋଇଛି। ଅନେକ ସମୟରେ ଦେଖାଯାଏ ଯେ ହାତରେ ଯଥେଷ୍ଟ ସମ୍ବଳ ନ ଥିଲେ ମଧ୍ୟ କିଛି ଲୋକ କଷ୍ଟକରି ଜୀବନ ଚଳେଇ ନିଅନ୍ତି। ସେଇଭଳି କେତେକ କ୍ଷେତ୍ରରେ କିଛି ଲାଭ ମିଳିବାର ସୁରାକ ନ ଥିଲେ ମଧ୍ୟ କେତେକ ପ୍ରଚେଷ୍ଟା ଜାରି ରଖିଥାଆନ୍ତି। ଏ ଉଭୟ କ୍ଷେତ୍ରରେ ଇଙ୍ଗିତ କରି କୁହାଯାଏ ସେ ଅମୁକ ‘‘ଶୁଖିଲାରେ ନାଆ ପେଲୁଛି।’’

ଶବ୍ଦତୋଡ଼ା – ଦାନାପାଣି

Media India Group

ଏହା ଦୁଇଟି ଶବ୍ଦର ସମାହାର। ଯଥା ଦାନା ଓ ପାଣି। ସାଧାରଣଭାବେ ଦାନା ବୋଲି କହିଲେ ଆମେ ଶସ୍ୟକୁ ବୁଝିଥାଉ। ମାତ୍ର ଦାନାକୁ ଖାଦ୍ୟ ଭାବରେ ଘୋଡ଼ା ସହ ଅଧିକ ଯୋଡ଼ା ଯାଇଥାଏ। ଘୋଡ଼ାର ଖାଦ୍ୟକୁ କୁହାଯାଏ ଘୋଡ଼ା ଦାନା। ସେଥିପାଇଁ କୁଳବୃଦ୍ଧ ମଧୁସୂଦନ ଦାସ ଲେଖିଥିଲେ- ‘‘ଟାଣେ କିରେ ଗାଡ଼ି ଦାନାର ତୋବଡ଼ା ଘୋଡ଼ା ମୁହେଁ ବନ୍ଧାଥିଲେ?’’ ମାତ୍ର ଦାନା ଓ ପାଣି ଦୁଇଟିଯାକ ଶବ୍ଦକୁ ଗୋଟିଏ କରି ଦେଖିଲେ ତା’ର ଅର୍ଥ ଅଲଗା ହୋଇଯାଏ। ପାଣି ପ୍ରତ୍ୟେକ ଜୀବନ ପାଇଁ ଏକ ଅତ୍ୟାବଶ୍ୟକ ପଦାର୍ଥ। ସେହିଭଳି ଖାଦ୍ୟ ବା ଦାନା। ଦାନା ଏଠାରେ ଯେ କୌଣସି ବ୍ୟକ୍ତିର ସାଧାରଣ ଖାଦ୍ୟର ପ୍ରତୀକ ଭାବରେ ବ୍ୟବହାର କରାଯାଇଛି। ଅତଏବ ଦାନାପାଣି କହିଲେ ଜଣେ ବ୍ୟକ୍ତିର ମୌଳିକ ଖାଇବା ପିଇବା ଆବଶ୍ୟକତାକୁ ବୁଝାଇଥାଏ। । ସେଥିପାଇଁ ଯେତେବେଳେ କାହାର ଘୋର ଅଭାବ ପଡ଼େ ଓ ସେ ଖାଇବା ପିଇବାକୁ ପାଏ ନାହିଁ ସେତେବେଳେ କୁହାଯାଏ ସେ ଅମୁକର ଦାନାପାଣି ସୁଦ୍ଧା ନାହିଁ ସେ ଚଳିବ କେମିତି? ଅତଏବ ‘ଦାନାପାଣି’ର ଅର୍ଥ ମୌଳିକ ଖାଦ୍ୟପେୟ।

ସମ୍ବନ୍ଧିତ ଖବର