ଖୋଲା ଝରକା : ସବୁଠାରୁ ପୁରୁଣା ହାଣ୍ଡ୍‌ବ୍ୟାଗ୍‌

ଏକ ପୁରୁଣା ବ୍ୟାଗ୍‌ ମିଳିଛି ଯାହା ୭୦୦ ବର୍ଷ ପୁରାତନ ବୋଲି ଜଣାପଡ଼ୁଛି। ଲଣ୍ଡନର କୋର୍ଟଉଲ୍ଡ୍‌ ଗ୍ୟାଲେରିରେ ଏହାକୁ ପ୍ରଦର୍ଶିତ କରାଯାଇଥିଲା। ବ୍ୟାଗ୍‌ଟି ଉତ୍ତର ଇରାକ୍‌ର ମୋସୁଲ ସହରର ବୋଲି କୁହାଯାଉଛି। ବ୍ରାସ୍‌ର ଏହି ବ୍ୟାଗ୍‌ ଏକ କ୍ଲଚ୍‌ ବ୍ୟାଗ୍‌ ଭଳି ଦେଖାଯାଏ। ପ୍ରଥମେ ଏହି ବ୍ୟାଗ୍‌କୁ ଘୋଡ଼ାଚାଳନା କରୁଥିବା ପୁରୁଷଙ୍କର ସ୍ୟାଡଲ୍‌ବ୍ୟାଗ୍‌ ଅବା ପୁରୁଷଙ୍କର ୱାଲେଟ୍‌ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଏବେ ମିଳିଥିବା କିଛି ପ୍ରମାଣରୁ ଜଣାପଡ଼ୁଛି ଯେ, ଏହା ମହିଳାଙ୍କ ହାଣ୍ଡ୍‌ବ୍ୟାଗ୍‌। ଏଥିରେ ହୋଇଥିବା କାରୁକାର୍ଯ୍ୟ ବେଶ୍‌ ଉଚ୍ଚକୋଟିର। ଏଥିରେ ମଙ୍ଗୋଲ ଦରବାରର ଦୃଶ୍ୟ ଦେଖିବାକୁ ମିଳେ। କାରୁକାର୍ଯ୍ୟରେ ଦେଖିପାରିବେ ଦାମୀ ପୋଷାକ ପିନ୍ଧିଥିବା ପୁରୁଷ ଓ ମହିଳା ମଝିରେ ଥିବା ଖାଇବା ଟେବୁଲ୍‌ରେ ବସିଛନ୍ତି ଓ ତାଙ୍କ ଚାରିପଟେ ମଙ୍ଗୋଲ ପୋଷାକ ପିନ୍ଧିଥିବା ଆଟେଣ୍ଡାଣ୍ଟ୍‌ ତାଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଉଛନ୍ତି। ତାଙ୍କ ପାଖରେ ଜଣେ ମହିଳା ହାତରେ ଦର୍ପଣ ଧରିଥିବା ସହ ଡାହାଣ କାନ୍ଧରୁ ଛାତି ଦେଇ ବାମ ଅଣ୍ଟା ଆଡ଼କୁ ଝୁଲୁଥିବା ଏହିଭଳି ଏକ ବ୍ୟାଗ୍‌ ମଧ୍ୟ ଦେଖିବାକୁ ମିଳେ। ଏଇଥିରୁ ଅନୁମାନ କରାଯାଉଛି ଯେ, ଏହି ହାଣ୍ଡ୍‌ବ୍ୟାଗ୍‌ ମହିଳାଙ୍କର ।

କଥା-ଫରୁଆ: ମାଗିଲା ତିଅଣ ସୁଡ଼ୁକେ

ତିଅଣ କହିଲେ ତରକାରି ବା ବ୍ୟଞ୍ଜନ। ଓଡ଼ିଶାରେ ପ୍ରଧାନ ଖାଦ୍ୟ ଭାବରେ ଭାତ ସାଙ୍ଗକୁ ଯେତେ ଯେତେ ଲୁଣ ପକା ବ୍ୟଞ୍ଜନ ପ୍ରସ୍ତୁତ ହୁଏ, ସେ ସବୁ ପ୍ରାୟ ତିଅଣ ଭାବରେ ଜଣା। ମାତ୍ର ତିଅଣ କହିଲେ ଯେଉଁଥିରେ ଅଣ ବା ପାଣି ଅଂଶ ଥାଏ, ଯେମିତି କି ଡାଲି, ସନ୍ତୁଳା, ବେସର, ମହୁର, ସାକର, ଝୋଳ ଇତ୍ୟାଦି। ହେଲେ ଏ ସବୁ ପ୍ରାୟ ଆମେ ଘରେ ପ୍ରସ୍ତୁତ କରୁ ବା ପଇସା ଦେଇ ଭୋଜନାଳୟରୁ କିଣି ଆଣୁ। ତେଣୁ ଯେତିକି ଆବଶ୍ୟକ ସେତିକି ଆମେ ପାଇଯାଉ। ମାତ୍ର ଯଦି ତିଅଣ କେହି ମାଗେ ତେବେ ତାହା ପ୍ରାୟତଃ ଯଥେଷ୍ଟ ହୁଏ ନାହିଁ। କିଏ ବାଣ୍ଟିବା ପାଇଁ ପ୍ରସ୍ତୁତ କରି ଘରେ ରଖିଥାଏ ଯେ ମାଗିଲେ ଦେଇପାରିବେ! ଅତଏବ ମାଗିବା ତିଅଣ ସବୁବେଳେ ଅଳ୍ପ ଓ ଅକୁଳାନ। ତେଣୁ ଯାହା ମାଗିଲେ ତାହା କେବେ ବି ଯଥେଷ୍ଟ ମିଳିନଥାଏ। ସେଇକଥାକୁ ଉପଲକ୍ଷ୍ୟ କରି କୁହାଯାଇଛି ମାଗିଲା ବା ମାଗି ଆଣିଲା ତିଅଣ ସୁଡ଼ୁକେ ବା ଗୋଟାଏ ହାପୁଡ଼ାରେ ସରିଯାଏ।

ଶବ୍ଦତୋଡ଼ା: ବାସନକୁସନ

ବାସନ ହେଉଛି ଖାଦ୍ୟପ୍ରସ୍ତୁତି ଓ ଭୋଜନ ବିତରଣ ଭଳି ବିଭିନ୍ନ କାମରେ ଉପଯୋଗ ହେଉଥିବା ନାନା ଉପକରଣ। ସେଥିରେ ଗିନା, ଗିଲାସ, ଥାଳି, ଥାଳିଆ, ଚାମଚ ଓ ଡଙ୍କିଠାରୁ ଆରମ୍ଭ କରି କେଟ୍‌ଲି, ବେଲା, ଗାଙ୍ଗୁଲା, କଂସାଯାଏ ଅନ୍ତର୍ଭୁକ୍ତ। ମାତ୍ର ବିଶେଷ ଭାବେ ବାସନ କୁସନ କହିଲେ ଭୋଜନ ସହ ଯୋଡ଼ା ଉପକରଣ ସବୁକୁ ବୁଝାଏ। ବାସନର ସିନା ଅର୍ଥ ଅଛି ହେଲେ କୁସନର କୌଣସି ଅର୍ଥ ନାହିଁ। କଥା ସହ ଲଥା ଯୋଡ଼ା ହେବା ପରି ବାସନକୁସନ ଶବ୍ଦଟି ସେଇ ବାସନର ପରିବ୍ୟାପ୍ତ ଅର୍ଥକୁ ହିଁ ବୁଝାଏ। ଅତୀତରେ କାଠ, ପଥର, ମାଟି ଏପରି କି ବିଭିନ୍ନ ଜୀବଜନ୍ତୁଙ୍କର ହାଡ଼ ଓ ଖପୁରିକୁ ବି ବାସନ ଭାବରେ ବ୍ୟବହାର କରାଯାଉଥିଲା। ନଡ଼ିଆଖୋଳ, ଲାଉଖୋଳ ଭଳି ପଦାର୍ଥ ବାସନକୁସନର ଅଂଶଭାବେ ବ୍ୟବହୃତ ହେଉଥିଲା। ନଡ଼ିଆରେ ତିଆରି ଡଙ୍କି ଏବେ ବି ଗାଁ ଗହଳରେ ବ୍ୟବହୃତ। ଏହାର ଅନ୍ୟନାମ ‘ଅଣକ’। ଏବେ କିନ୍ତୁ ଚିନାମାଟି, କାଚ, ଷ୍ଟିଲ୍‌, ପିତଳ, ତମ୍ବା ଆଦିରେ ଅଧିକାଂଶ ବାସନକୁସନ ତିଆରି। ଅତୀତରେ ରାଜା, ମହାରାଜା ଓ ଜମିଦାରମାନେ ସୁନା, ରୁପା ଭଳି ମୂଲ୍ୟବାନ ଧାତୁରେ ବାସନକୁସନ ଗଢ଼େଇ ବ୍ୟବହାର କରୁଥିଲେ।

ସମ୍ବନ୍ଧିତ ଖବର