ତୁମ କାହାଣୀ: ଗୁରୁ-ଦକ୍ଷିଣା

ମନୋଜ କୁମାର ବେହେରା

ଣେ ଯୁବକ ଜ୍ଞାନ-ପ୍ରାପ୍ତି ପାଇଁ ଋଷିଙ୍କ ପାଖକୁ ଗଲା। ବହୁତ ଦିନ ଧରି ତାଙ୍କ ସହିତ ରହି ଜ୍ଞାନ ଲାଭ କଲା। ଯେତେବେଳେ ଘରକୁ ଫେରିବାର ବେଳ ହେଲା, ତାକୁ ନିଜର ଗୁରୁଙ୍କ ଦକ୍ଷିଣା ଦେବା ପାଇଁ ମନ ହେଲା। ଗୁରୁ-ଦକ୍ଷିଣା ରୂପରେ ଋଷି ଗୋଟିଏ ଏମିତି ଜିନିଷ ମାଗିଲେ ଯାହା ପୂରା ବ୍ୟର୍ଥ ହୋଇଥିବ। ଏବେ ଶିଷ୍ୟ ବ୍ୟର୍ଥ ଜିନିଷ ଖୋଜିବା ପାଇଁ ବାହାରି ପଡ଼ିଲା।

ଶିଷ୍ୟ ଯେତେବେଳେ ମାଟି ଆଡ଼କୁ ହାତ ବଢ଼େଇଲା। ସେ ସମୟରେ ମାଟି ଚିହିଁକି ପଡ଼ି କହିଲା, ତୁମେ ମୋତେ ବ୍ୟର୍ଥ ଭାବୁଛ? ଧରା ପୃଷ୍ଠରେ ସବୁ ବୈଭବ ମୋ ଗର୍ଭରୁ ହିଁ ପ୍ରକଟ ହୋଇଥାଏ।
କିଛି ଦୂରରେ ଗୋଟିଏ ପଥର ଥିଲା, ଯେମିତି ସେ ପଥର ଆଡ଼କୁ ହାତ ବଢ଼େଇଲା ପଥର କହିଲା ତୁମେ ଜ୍ଞାନୀ ହୋଇ ମୋତେ ବେକାର ଭାବୁଛ? ଏହି ଭବନ, ନଦୀ, ନାଳ, ପର୍ବତରେ କ’ଣ ମଁୁ ନାହିଁ? ତୁମେ ମୋତେ କାହିଁକି ବ୍ୟର୍ଥ ଭାବୁଛ?

ବୁଲି ବୁଲି ଶେଷରେ ଅଳିଆ ଗଦା ମିଳିଲା। ପାଖକୁ ଗଲା ବେଳେ ତା’ ମନରେ ଘୃଣା ଭାବ ଆସିବାକୁ ଲାଗିଲା। ସେ ଅଳିଆ ଗଦା ଦିଗରେ ହାତ ବଢ଼େଇଲା ବେଳକୁ ଅଳିଆ ଗଦା କହିଲା, କ’ଣ ମୋଠୁ ଭଲ ସାର ଏ ଧରା ପୃଷ୍ଠରେ ମିଳିବ? ଏଠି ଅନ୍ନ, ଫଳ ସବୁ ଲୁକ୍‌କାୟିତ ଅଛି, ଆଉ ତୁମେ ମୋତେ ବ୍ୟର୍ଥ ଭାବୁଛ?

ସେ ଏବେ ଭାବିବାକୁ ଲାଗିଲା ମାଟି, ପଥର, ଅଳିଆ ଗଦା ଯଦି ଏତେ ମୂଲ୍ୟବାନ ତା’ହେଲେ ବ୍ୟର୍ଥ କ’ଣ? ଠିକ୍‌ ସେତିକି ବେଳକୁ ତା’ ମନରେ ଗୋଟିଏ ଶବ୍ଦ ଗୁଞ୍ଜରିତ ହେବାକୁ ଲାଗିଲା, ଏ ସୃଷ୍ଟିରେ ସବୁ ପଦାର୍ଥ ନିଜ ପାଇଁ ଉପଯୋଗୀ। ବ୍ୟର୍ଥ ଆଉ ତୁଚ୍ଛ ସେଇ ଯେ ଅନ୍ୟମାନଙ୍କୁ ବ୍ୟର୍ଥ ଆଉ ତୁଚ୍ଛ ବୁଝିଥାଏ।

ସେ ଗୁରୁଙ୍କ ପାଖକୁ ଯାଇ କ୍ଷମା ମାଗି କହିଲା, ଦକ୍ଷିଣାରେ ମଁୁ ନିଜର ଅହଂକାରକୁ ଦେବାକୁ ଆସିଛି।
ୟୁନିଟ୍‌-୯, ଭୁବନେଶ୍ବର

ସମ୍ବନ୍ଧିତ ଖବର