ଖୋଲା ଝରକା: ଭୟାବହ ଭାଇରସ୍‌

ସାରା ବିଶ୍ବ ଏବେ ଚୀନ୍‌ର କରୋନା ଭାଇରସ୍‌କୁ ନେଇ ଆତଙ୍କିତ ହୋଇପଡ଼ିଛି। ଏହିପରି ବହୁବର୍ଷ ପୂର୍ବରୁ ଭାଇରସ୍‌ କାରଣରୁ ଲୋକେ ନିଜ ଜୀବନ ହାରିଛନ୍ତି। ୧୯୧୮-୧୯୨୦ର ଇତିହାସ ପୃଷ୍ଠାକୁ ଲେଉଟାଇଲେ ଜଣାଯାଏ ଯେ, ସାରା ପୃଥିବୀ ଏକ ଭୂତାଣୁଜନିତ ସଂକ୍ରମଣ କାରଣରୁ ଖୁବ୍‌ ଭୟଭୀତ ଥିଲା। ଏହି ଭୂତାଣୁ ଦ୍ବାରା ପ୍ରାୟ ଶହେ କୋଟିରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ। ସେତେବେଳେ ବିଶ୍ବର ଅଧିକାଂଶ ଦେଶ ପରାଧୀନ ଥିଲା। ୧୯୧୮ରେ ସାରା ବିଶ୍ବରେ ଇନ୍‌ଫ୍ଲୁଏଞ୍ଜା ନାମକ ଏକ ଭାଇରସ୍‌ ବ୍ୟାପିଥିଲା।

ଏହାର ନାଁ ସ୍ପାନିସ୍‌ ଫ୍ଲୁ ଥିଲା। ଭାଇରସ୍‌ଟି ଏତେ କ୍ଷତିକାରକ ଥିଲା ଯେ କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ୬ ଲକ୍ଷ ୭୫ ହଜାର ଲୋକଙ୍କ ଜୀବନ ହାନି ହୋଇଥିଲା। ଫିଲାଡେଲ୍‌ଫିଆ ମହାନଗରରେ କେବଳ ୩୬ଟି ଶବ ବାହନ ଥିଲା ସତ କିନ୍ତୁ ହଜାର ହଜାର ଲୋକଙ୍କ ମୃତ୍ୟୁ ହେବା କଥା ଶୁଣାଯାଏ। ସେଥିପାଇଁ ସରକାରଙ୍କ ଦ୍ବାରା ଅସ୍ଥାୟୀ ଭାବେ ଶବଘର ତିଆରି କରାଯାଇଥିଲା। ୧୯୧୮-୨୦ର ଏହି ରୋଗ ଇତିହାସର ସବୁଠୁ ଘାତକ ମହାମାରୀ ବୋଲି କୁହାଯାଏ।

କଥା-ଫରୁଆ: ‘କହି ଜାଣିଲେ କଥା ସୁନ୍ଦର’

ପୂରା କଥାଟି ହେଉଛି, ‘‘କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ବେଣୀ ସୁନ୍ଦର’’। ଏ ପଦଟିରେ ଆମର କଥା କହିବାର ମଧୁରତା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଅନେକ ସମୟରେ ସାଧାରଣ କଥା ପଦେ ହିଁ ତର୍କ ବିତର୍କ ଓ ଚରମ ବିଦ୍ବେଷର କାରଣ ପାଲଟିଯାଏ। କଥାରେ ଥାଏ ଶବ୍ଦ ଓ ତା’ର ଉଚ୍ଚାରଣ ଶୈଳୀ। ଟାଆଁସା ଶବ୍ଦ ଓ ଅନୁପଯୁକ୍ତ ଢଙ୍ଗର ଅଭିବ୍ୟକ୍ତି ଅନେକ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିଥାଏ। ହିନ୍ଦୀରେ ସେଥିପାଇଁ କହନ୍ତି, ‘‘ମିଠା ବୋଲି ବୋଲ୍‌’’, ମାନେ ମିଠା କଥା କହ। ନାରୀମାନଙ୍କ ମଥାରେ ଅନେକ କେଶ ଥାଏ, ତେଣୁ ସହଜରେ ଅଲରା ହୋଇଯାଏ, ସେ ଲାଗି ତା’କୁ ଯତ୍ନରେ ବାନ୍ଧିବାକୁ ପଡ଼େ ବା ବେଣୀ ପକାଯାଏ। ଯତ୍ନକରି କହିଲେ ଯେମିତି ଯେ କୌଣସି କଥା ସୁନ୍ଦର ହୋଇଥାଏ ସେମିତି ଉପଯୁକ୍ତ ଢଙ୍ଗରେ ବାନ୍ଧିଲେ ମୁଣ୍ଡର ବେଣୀ ସୁନ୍ଦର ପାଲଟିଥାଏ। ଅତଏବ କୁହାଯାଏ- ‘‘କହି ଜାଣିଲେ କଥା ସୁନ୍ଦର/ ବାନ୍ଧି ଜାଣିଲେ ବେଣୀ ସୁନ୍ଦର।’’

ଶବ୍ଦତୋଡ଼ା: ଖଟ ପଲଙ୍କ

Amazon.in

ଖଟ ପଲଙ୍କ ଗୋଟିଏ ଯୋଡ଼ାଶବ୍ଦ, ମାତ୍ର ଖଟର ଅର୍ଥ ଅଲଗା ଓ ପଲଙ୍କର ଅର୍ଥ ଅଲଗା। ଶୋଇବା ଲାଗି ଦୁଇଟି ଯାକ ପଦାର୍ଥ ବ୍ୟବହୃତ ହେଉଥିଲେ ମଧ୍ୟ ଦୁଇଟିରେ ଫରକ ଅନେକ। ଚାରି ଖୁରା ଓ ଉପରେ ପଟା। ତେବେ ସେଥିରେ ଥିବା ନିଆରାପଣ ଦୁଇପଦାର୍ଥର ସ୍ବରୂପ ପ୍ରଦାନ କରିଥାନ୍ତି। ଖଟ ପାଇଁ ସାଧାରଣ ଚାରିଗୋଟି ଗୋଡ଼ ଓ ତା’ ସହ ସଂଯୋଜିତ ଚାରିଗୋଟି ବାହି ଉପରେ କନା, କେରପାଲ ବା ପଟାର ବିସ୍ତାର ରହିବା ଆବଶ୍ୟକ। ଆଗରୁ ଫିତା, ଦଉଡ଼ି, ତାର ଓ ଲୁହାପାତ ବ୍ୟବହାର କରି ଖଟ ତିଆରି କରାଯାଉଥିଲା।

ଆଜିକାଲି ଅନେକ ଖଟ ଲୁହା ଓ ଆଲୁମିନିୟମ୍‌ ଦେଇ ମଧ୍ୟ ତିଆରି କରାଯାଉଛି। ମାତ୍ର ପଲଙ୍କ ଏକ ବିଶେଷ ଧରଣର ଖଟ ଅଟେ। ଏଥିରେ ମୂଳକଥାଟି ହେଲା କୁଟିକମ। ଖୁରାଠାରୁ ଆରମ୍ଭ କରି, ବାହି ଓ ଦୁଇପଟର ବାଡ଼ାରେ ନାନା କାରୁକାର୍ଯ୍ୟ ଭରି ପଲଙ୍କ ପ୍ରସ୍ତୁତ କରାଯାଏ। ଆଗରୁ ରାଜା ମହାରାଜାମାନେ ମୂଲ୍ୟବାନ ଚନ୍ଦନ ଓ ଶିଶୁକାଠରେ ପଲଙ୍କ କରୁଥିଲେ ଓ ସେଥିରେ ହାତୀଦାନ୍ତର କାରୁକାର୍ଯ୍ୟ ମଧ୍ୟ ଭରି ଦେଉଥିଲେ। ପଲଙ୍କ ଥିଲା ଏକ ବିଳାସପୂର୍ଣ୍ଣ ସାମଗ୍ରୀ। ‘‘ଗଜଦନ୍ତ ପଲଙ୍କ’’ ସେ ଭିତରେ ପ୍ରସିଦ୍ଧ। ଏହି ପଲଙ୍କ ଶବ୍ଦରୁ ଆସିଥିଲା ପାଲିଙ୍କି।

ସମ୍ବନ୍ଧିତ ଖବର