ଖୋଲା ଝରକା – ଶାକାହାରୀଙ୍କ କ୍ଲବ୍
କ୍ଲବ ନାଁ ଶୁଣିଲେ ସମସ୍ତେ ଆଧୁନିକ କଥା ହିଁ ଭାବିଥାନ୍ତି। ସାଧାରଣତଃ ଭାରତରେ ନାଇଟ୍ କ୍ଲବ୍ରେ ହିନ୍ଦୀ, ପଞ୍ଜାବୀ କିମ୍ବା ଇଂରାଜୀ ଗୀତ ବାଜିଥାଏ। ସେହିଭଳି ଅନେକ ଜାଗାରେ ତାଙ୍କ ଭାଷାର ଆଧୁନିକ ଗୀତ ହିଁ ବାଜିଥାଏ। ତେବେ ଦୁନିଆରେ ଏଭଳି ମଧ୍ୟ କ୍ଲବ୍ ଅଛି ଯେଉଁଠି ଆଧୁନିକ ଗୀତ ନୁହେଁ ରାଗ ଆଧାରିତ ଗୀତରେ ଲୋକମାନେ ନାଚିଥାଆନ୍ତି। ଏହି କ୍ଲବ୍ଟି ଆର୍ଜେଣ୍ଟିନାରେ ରହିଛି। ଏହାର ରାଜଧାନୀରେ ରହିଛି ଗ୍ରୋଭ୍ ନାମକ ଏହି ନାଇଟ୍ କ୍ଲବ୍। ଯେଉଁଠି ହିନ୍ଦୀ ଭାଷାରେ ସାଂସ୍କୃତିକ ଗୀତ ବାଜିଥାଏ। ଏହି କ୍ଲବ୍ରେ ଗଣେଶ ଚରଣଂ, ଗୋବିନ୍ଦା ଗୋବିନ୍ଦା, ଜୟ ଜୟ ରାଧା ରମଣ ହରି ଭଳି ଭଜନ ଆପଣ ଶୁଣିବାକୁ ପାଇବେ। ଏହା ଏଠିକାର କୌଣସି ଛୋଟମୋଟ କ୍ଲବ୍ ନୁହେଁ। ଏହି କ୍ଲବ୍ରେ ଏକାସଙ୍ଗରେ ୮୦୦ ଜଣ ନାଚିପାରିବେ। ଏଠାରେ ମଦ୍ୟପାନ, ନିଶା ସେବନର ମଧ୍ୟ ବ୍ୟବସ୍ଥା ନାହିଁ। ନିରାମିଷ ଖାଦ୍ୟ ମିଳିଥାଏ। ସେଥିପାଇଁ ଏହାକୁ ଲୋକମାନଙ୍କ ପାଇଁ ଶାକାହାରୀ କ୍ଲବ୍ ନାମରେ ନାମିତ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କଥା-ଫରୁଆ: ‘‘ଏକା ମାଧିଆ ବାଇଶ ପଳ’’
ପୂର୍ବେ ପଳ, ଛଟାଙ୍କି, ସେର ଆଦି ଥିଲା ଓଜନର ପରିମାପକ। ଏବେ ଯେମିତି କଠିନ ପଦାର୍ଥର ମାପ କିଲୋଗ୍ରାମ ଓ ତରଳ ପଦାର୍ଥର ମାପ ଲିଟର, ଗ୍ୟାଲନ୍ ମାଧ୍ୟମରେ କରାଯାଉଛି। ବାଇଶ ପଳ କହିଲେ ସାଧାରଣ ବିଚାରରେ ଗୋଟାଏ ଓଜନିଆ ବସ୍ତୁ। ମାଧିଆ ନାମଟି ମାଧବ ଶବ୍ଦର ଏକ ଗାଉଁଲି ଅପଭ୍ରଂଶ। ଗାଆଁ ଗହଳରେ ଗୋପଳକୁ ଗୋପାଳିଆ, ହରିହରକୁ ହରିଆ ବା ସନାତନକୁ ସନିଆ କହିବା ପରି ମାଧବକୁ ମାଧିଆ କହିବା ଏକ ସ୍ବାଭାବିକ କଥା। ମାଧିଆ ନାମଟିକୁ ଏଠାରେ ଉଦ୍ଧାର କରାଯିବାର ମୂଳ ଳକ୍ଷ୍ୟ ହେଲା ଏ ନାମଟି ଖୁବ୍ ପରିଚିତ ଓ ବ୍ୟଞ୍ଜନାସୂଚକ। ଆମେ ନିଜ ଅନୁଭବରୁ ଦେଖୁ ଯେ ପ୍ରତିଟି ମଣିଷ ଆଉ ଜଣକ ସହ ସମାନ ହେଲେ ମଧ୍ୟ ଜଣେ ଜଣେ ଖୁବ୍ ବଳଶାଳୀ, ବିଚକ୍ଷଣ ଓ ଆଗୁସାର ଥାଆନ୍ତି। ତେଣୁ ଆଲୋଚନାବେଳେ ତୁଳନାର କଥା ପଡ଼ିଲେ ଯଦି ଜଣେ ପାରିବାର ଲୋକଙ୍କ ଉଦାହରଣ ମନକୁ ଆସେ, ଆମେ କହୁ- ‘‘ଓ, ସେ ଅମୁକ! ଆରେ ସେ ତ ଏକା ମାଧିଆ ବାଇଶ ପଳ, ତାଙ୍କୁ ଏ କଥା କ’ଣ ବଳେଇ ଯିବ?’’
ଶବ୍ଦତୋଡ଼ା: ତୁଣ୍ଡବାଇଦ
ତୁଣ୍ଡ କହିଲେ ପାଟି। ସେଇଥିରୁ ତୁଣ୍ଡି ଶବ୍ଦ ବାହାରିଛି। ଯାହାକୁ ମୁହଁରେ ବାନ୍ଧି ଦେଲେ ନାଁ କିଛି ଖାଇହୁଏ ନା କିଛି କହି ହୁଏ। କରୋନା ମହାମାରୀ ଆସିବା ପରେ ମୁହଁ ଓ ନାକ ମିଶାଇ ତୁଣ୍ଡି ଭିଡ଼ିବା ସାରା ବିଶ୍ବବାପୀ ମଣିଷଙ୍କର ଏବେ ଏକ ଅଭ୍ୟାସରେ ପରିଣତ ହୋଇଛି। ହେଲେ ତୁଣ୍ଡବାଇଦ କଥାଟି କ’ଣ? ବାଇଦ ତ ବାଦ୍ୟ ବା ବାଜା। ତୁଣ୍ଡଟା ବାଇଦ ହେବ କେମିତି? ଆମେ ଯେ ପାଟିରେ ଟାକରା ଫୁଟାଇ ବା ଶୁଷୁରି ମାରି ନାନା ଶବ୍ଦ କରୁ ତାହା କ’ଣ ତୁଣ୍ଡବାଇଦ? ନା। ତୁଣ୍ଡବାଇଦ ହେଉଛି ଏକ ଚମତ୍କାର ଓଡ଼ିଆ ପ୍ରୟୋଗ। ଆଗରୁ ଲୋକମାନଙ୍କୁ ଖବର ହେବା ପାଇଁ ବାଇଦ ବଜାଇ ଆକର୍ଷିତ କରିବା ପରେ ତାହା ପରିବେଷିତ ହେଉଥିଲା। ତେଣୁ ବାଇଦ ମାଧ୍ୟମରେ ପରିବେଷଣ ହେଉଥିଲା। ଏ ଭଳି ଅନେକ କଥା ଅଛି ଯାହା ମୁହଁରୁ ବାହାରି ବିନା ବାଦ୍ୟ ସାହାଯ୍ୟରେ ବ୍ୟାପି ଯାଇପାରେ। କଥା ମୁହଁରୁ କାନ ଓ କାନରୁ ମୁହଁ ହୋଇ ଚତୁର୍ଦ୍ଦିଗ ବ୍ୟାପିଯାଇପାରେ। ତେଣୁ କଥାରେ ଅଛି ‘‘ତୁଣ୍ଡବାଇଦ ସହସ୍ରକୋଶ’’। ଅର୍ଥାତ୍ ମୁହଁର କଥା ପଦେ ତୁଣ୍ଡ ମାଧ୍ୟମରେ କୁଆଡ଼େ ନା କୁଆଡ଼େ ଖେଳିଯାଇପାରେ।