କାଲି

ପ୍ରଶାନ୍ତ କୁମାର ନାଥ - ତୁମ କାହାଣୀ

ମର, ପିଲାଟି ବେଳରୁ ଅଳସୁଆ। ଯେ କୌଣସି କାମ ଦେଲେ କୁହେ କାଲି କରିବି। ବିଦ୍ୟାଳୟରେ ହୋମୱାର୍କ ଦେଲେ ମଧ୍ୟ କୁହେ କାଲି କରିବି। ସନ୍ଧ୍ୟା ହେଲେ ବିଛଣା ଧରେ। ପରଦିନ ଶିକ୍ଷକ ବହୁତ ପିଟନ୍ତି। ମାଡ଼ ଖାଇ ଖାଇ ତାହା ତା’ର ଦେହସୁଆ ହୋଇ ପଡ଼ିଲାଣି। ସବୁବେଳେ କହୁଥାଏ ମଁୁ କାଲି କରି ଆଣିବି। ପୁଣି ପରଦିନ ପଚାରିଲେ କୁହେ କାଲି। କିନ୍ତୁ ମଣିଷ ଜୀବନରେ କାଲି କେବେ ବି ଆସେନି। ଯେବେ ବି ଦେଖିଲେ ଆଗକୁ ଥିବ ସେହି କାଲି। ଥରେ ଯିଏ ସେହି କାଲିର ପାଲରେ ପଡ଼ିଗଲା ସେଥିରୁ ସହଜରେ ମୁକୁଳି ପାରେନି। ସେଇଥିପାଇଁ ତ ମହାତ୍ମାଗାନ୍ଧୀ କହିଥିଲେ କାଲି କାମ ଆଜି କର ଆଉ ଆଜି କାମ ଏବେ।

ଏହି କାଲି ଯୋଗଁୁ ତାକୁ ବହୁତ ହଇରାଣ ହେବାକୁ ପଡ଼ୁଛି। ତଥାପି ସିଏ ସେହି କାଲିକୁ ଛାଡ଼ି ପାରିନି। ସ୍କୁଲ ଫର୍ମ ପୂରଣ ପାଇଁ ତିନୋଟି ତାରିଖ ଧାର୍ଯ୍ୟ କରାଯାଇଥିଲା। ପ୍ରଥମ ଦିନ ଅମର ଭାବିଲା କାଲି ପୂରଣ କରିବି। ପରଦିନ ଭାବିଲା ଆହୁରି ଗୋଟେଦିନ ଅଛି ଏତେ ତର ତର ହୋଇ ଲାଭ କ’ଣ, କାଲି ଫର୍ମ ପୂରଣ କରିବି। ତହିଁ ଆରଦିନ ତାର ଦେହ ଖରାପ ହେଲା ସିଏ ଆଉ ବିଛଣାରୁ ଉଠିପାରିଲା ନାହିଁ। ଯଦି ସିଏ ପ୍ରଥମ ଦୁଇଦିନ ସମୟ ନଷ୍ଟ ନ କରି ଫର୍ମ ପୂରଣ କରିଦେଇଥାନ୍ତା ତା’ହେଲେ କ’ଣ ତାକୁ ଏତେ ଅସୁବିଧା ଭୋଗିବାକୁ ପଡ଼ିଥାନ୍ତା? ପୁଣି ଗୋଟାଏ ବର୍ଷ ସେହି ଶ୍ରେଣୀରେ ତାକୁ ପାଠ ପଢ଼ିବାକୁ ପଡ଼ିଲା।

ସେଦିନ ସାଙ୍ଗମାନଙ୍କ ସହିତ ମେଳା ବୁଲିବାକୁ ଯାଇଥିଲା। ଫେରୁ ଫେରୁ ସଂଧ୍ୟା ହୋଇଗଲା। ଅନ୍ଧାର ଘୋଟି ଆସିଲା। ବାଟରେ ଆସୁ ଆସୁ ତା’ର ଗୋଡ଼କୁ ସାପ କାମୁଡ଼ିଦେଲା। ଘରକୁ ଆସିଲା ଘରେ କାହାକୁ କିଛି କହିଲାନି। ମନେ ମନେ ଭାବିଲା କାଲି ଯାଇ ଡାକ୍ତରଙ୍କୁ ଦେଖେଇବି। ଆସି ଘରେ ଶୋଇ ପଡ଼ିଲା। କିଛି ସମୟ ପରେ ତା ’ଦେହରେ ବିଷ ଚରିଗଲା। ଦେହସାରା ଜ୍ବଳନ ହେବାରେ ଲାଗିଲା। ପାଟିରୁ ଲାଳ ବାହାରିଲା। ଘରଲୋକ ବହୁତ ବ୍ୟସ୍ତ ହୋଇପଡ଼ିଲେ। ଡାକ୍ତରଙ୍କ ପାଖକୁ ନେଇଗଲେ। ଭଗବାନଙ୍କ ଦୟାରୁ ତା’ର ଦେହ ଭଲ ହୋଇଗଲା। ଡାକ୍ତର କହିଲେ ଯଦି ଆଉ ଅଧଘଣ୍ଟା ଡେରି ହୋଇଥାନ୍ତା ଆଉ ‌ବ‌େଞ୍ଚଇ ହୋଇନଥାନ୍ତା।

ତାକୁ ଲାଗିଲା ଯେମିତି ସିଏ ଯମଙ୍କ ଦର୍ଶନ କରି ପୁଣି ଫେରି ଆସିଛି। ସେହି ଦିନ ହିଁ ସିଏ ବୁଝିପାରିଥିଲା ଯେ ଅଳସପଣରେ କୌଣସି କାମକୁ କାଲିକୁ ନ ଟାଳିବା ଉଚିତ।
ସୁନ୍ଦରପୁର, ଯାଜପୁର

ସମ୍ବନ୍ଧିତ ଖବର