ଅମାନିଆ କୁନି

ତୁମ କାହାଣୀ - ସ୍ବପ୍ନାନନ୍ଦ ସେଠୀ

କୁନି ର ବାପା ପୁରୀ ସହରରେ ବ୍ୟାଙ୍କ୍‌ ଚାକିରି କରନ୍ତି। କୁନି ପଞ୍ଚମ ଶ୍ରେଣୀରେ ପଢ଼େ ତାଙ୍କ ଘର ପାଖ ସ୍କୁଲରେ। ଏବେ କରୋନା ମହାମାରୀ ପାଇଁ ସ୍କୁଲ ବନ୍ଦ। ଅନଲାଇନ୍‌ ରେ ପଢ଼ା-ପଢ଼ି ଯାହା ହଉଚି। କୁନିକୁ ଏ ଅନଲାଇନ୍‌ ପଢ଼ା ଜମ୍ମା ଭଲ ଲାଗେନି। ସ୍କୁଲ, ସାଙ୍ଗ-ସାଥୀ, ସେମାନଙ୍କ ମେଳରେ ଟିଫିନ୍‌ ଖିଆ, ଖେଳକୁଦ ଏ ସବୁ ବହୁତ ମନେ ପଡ଼ୁଛି ତା’ର। କିନ୍ତୁ ବାପା-ବୋଉଙ୍କ ତାଗିଦ ଘରୁ ଯେମିତି ଗୋଡ଼ ନ କାଢ଼ିବ। ଦିନେ ତା ବାପା ବ୍ୟାଙ୍କ୍‌ ଯାଇଥାନ୍ତି। ବୋଉ କହିଲେ ମୁଁ ଏଇ ପାଖ ଦୋକାନରୁ ଟିକେ ସଉଦା ନେଇ ଆସେ, ତୁ ଘରେ ଥା। କୁଆଡ଼େ ଯିବୁନି। କୁନି ଅନେକ ଦିନରୁ ଏମିତି ସୁଯୋଗ ଅପେକ୍ଷାରେ ଥିଲା ବୋଉ ଯେମିତି ଯାଇଛି ସେ ସଂଗେ ସଂଗେ ଗେଟ୍‌ ଖୋଲି ସମୁଦ୍ର କୂଳ ଆଡ଼େ ବୁଲିବାକୁ ପଳେଇଲା। ସମୁଦ୍ର କୂଳ ରେ ଲୋକ ଆଦୌ ନଥିଲେ , ସେ ଏକୁଟିଆ ଦୌଡ଼ା ଦୌଡ଼ି କଲା। ଏତିକି ବେଳେ ଗୋଟେ ପୋଲିସ ଗାଡ଼ି ସାଇରନ୍‌ ମାରି ସେପଟେ ଆସିବାର ଦେଖିପାରି କୁନି ଡରିଗଲା। ପାଖରେ ଥିବା ଗୋଟେ ମାଛ ଧାରା ଡଙ୍ଗା ଭିତରେ ଯାଇ ଲୁଚିଗଲା।

ଏଣେ ତେଣେ ଦୌଡ଼ା ଦୌଡ଼ି କରି ଥକି ଯାଇଥିବାରୁ ତାକୁ କେତେବେଳେ ନିଦ ଆସି ଯାଇଛି ଆଉ ସେ ସେଇଠି ଶୋଇପଡ଼ିଚି। ଏପଟେ କୁନିର ବୋଉ ଘରକୁ ଫେରି ଦେଖିଲେ ବାହାର କବାଟ ମୁକୁଳା। କୁନି ଘରେ ନାହିଁ। ସଂଗେ ସଂଗେ କୁନି ବାପାଙ୍କୁ ଖବର ଦେଲେ , ପୋଲିସକୁ ମଧ୍ୟ ଖବର ଦିଆହେଲା। କୁନିର ସ୍କୁଲ ସାଙ୍ଗସାଥୀମାନଙ୍କ ଘରକୁ ଫୋନ କରାହେଲା ହେଲେ କୁନି କଣ ମିଳିଲା ? ଏଣେ ଧୀବରମାନେ ଯେଉଁ ଡଙ୍ଗାରେ କୁନି ଶୋଇ ପଡ଼ିଥିଲା ସେଇ ଡଙ୍ଗାକୁ ଦରିଆ ଭିତରେ ମେଲି ଦେଇଥିଲେ। ସେମାନଙ୍କ ନଜର ବି କୁନି ଉପରେ ପଡ଼ି ନଥିଲା।

ବେଶ୍‌ କିଛି ସମୟପରେ କୁନିର ନିଦ ଭାଙ୍ଗିଲା। ସେତେବେଳକୁ ପ୍ରବଳ ଭୋକ। ଶୋଇଥିବା ଜାଗାରୁ ବାହାରକୁ ଆସି ଦେଖିଲା ଡଙ୍ଗା ମଝି ଦରିଆରେ। ଧୀବରମାନେ ବି ଅଜଣା ପିଲାଟିକୁ ଦେଖି ତାଟକା। ଏସବୁ ଦେଖି କୁନି ବଡ଼ ପାଟିରେ କାନ୍ଦିବାକୁ ଲାଗିଲା। ଧୀବର ମାନେ ତାକୁ ବୁଝା-ଶୁଝା କରି ସବୁ ଘଟଣା ଶୁଣିଲେ। ତାଙ୍କ ପାଖରେ ଥିବା ଖାଇବା ପିଇବା ଜିନିଷ ତାକୁ ଦେଲେ। ଏବେ ତିନି ଚାରି ଦିନ ଦରିଆରେ ରହିବାକୁ ପଡ଼ିବ ଓ କୂଳକୁ ଫେରିଲେ ତାକୁ ନେଇ ତାଙ୍କ ଘରେ ଛାଡ଼ି ଦେଇ ଆସିବେ ବୋଲି କୁନିକୁ ବୁଝେଇ କହିଲେ। ପୋଲିସ ଏଣେ କୁନି ର ବାପା-ବୋଉଙ୍କୁ କୁନି ନ ମିଳିବା ବିଷୟ ଜଣେଇବା ପରେ କୁନିର ମା କାନ୍ଦି କାନ୍ଦି ବିଛଣା ଧରିଥିଲେ। ଦରିଆ ଭିତରୁ ଫୋନ ଯୋଗେ କୁନି ର ବାପା-ବୋଉଙ୍କୁ ଯୋଗାଯୋଗ କରିବା କୌଣସି ମତେ ସମ୍ଭବ ହେଲାନାହିଁ ।

ତେବେ ସେ ଧୀବରମାନେ କୁନିକୁ ବୁଝେଇ ଶୁଝେଇ ଦରିଆ ଭିତର ର ଦୃଶ୍ୟ , ମାଛ ଧରା ଇତ୍ୟାଦି ଦେଖେଇ ତାକୁ ତୁନି କରେଇଲେ। ପ୍ରାୟ ଚାରି ଦିନ ପରେ ତାଙ୍କ ଡଙ୍ଗା କୂଳକୁ ଫେରିଲା। ସେମାନେ କୁନିକୁ ନେଇ ତାଙ୍କ ଘରେ ଛାଡି ଆସିଲେ। ଗଲାବେଳେ ଧୀବରମାନେ କୁନିକୁ କହିଲେ – ବାପା ବୋଉଙ୍କ କଥା ନ ମାନିବା ଫଳ ତ ଏବେ ପାଇଲୁ , ଆଗକୁ ଯେମିତି ଏ ଭୁଲ ନକରୁ ।

ରାଧେଶ ବିଶ୍ୱାଳ
ତୃତୀୟ ଶ୍ରେଣୀ, ସାଉଥ ପଏଣ୍ଟ ସ୍କୁଲ, କୋଲକାତା-୧୯

ସମ୍ବନ୍ଧିତ ଖବର