ଗୋଟେ ଗ୍ରାମରେ ପ୍ରଶାନ୍ତ ନାମରେ ଜଣେ ଚିତ୍ରକର ରହୁଥିଲା। ସ୍ୱଳ୍ପ ମାତ୍ର ରୋଜଗାରରେ ପ୍ରଶାନ୍ତ ନିଜ ପରିବାର ଗୁଜୁରାଣ ମେଣ୍ଟାଉ ଥିଲା। କାରଣ ଗ୍ରାମାଞ୍ଚଳରେ ଚିତ୍ରକଳାର ଚାହିଦା ଦିନକୁ ଦିନ କମିବାକୁ ଲାଗିଥାଏ। ରୋଜଗାର କମିବାରୁ କେଇ ଜଣ ଚିତ୍ରକର ସହର ଆଡ଼କୁ ମୁହାଁଇଲେ। ଦିନେ ଗ୍ରାମର ଜମିଦାର ଗୋଟିଏ ଡଙ୍ଗା କିଣିଲେ। ଜମିଦାର ପ୍ରଶାନ୍ତକୁ କହିଲେ ମୁଁ ତୁମକୁ ଏକ ହଜାର ଟଙ୍କା ଦେବି, ମୋ ଡଙ୍ଗାକୁ ତୁମେ ରଙ୍ଗ କରିଦେବ। ଜମିଦାରଙ୍କ କଥାରେ ପ୍ରଶାନ୍ତ ରାଜି ହୋଇଗଲା ଆଉ କାମ ସମ୍ପୂର୍ଣ୍ଣ କରିବାକୁ ଚାରିଦିନ ସମୟ ମାଗିଲା। ଜମିଦାର ବି ପ୍ରଶାନ୍ତ କଥାରେ ସମ୍ମତି ଜଣାଇଲେ।

Advertisment

ଜବାବ ମୁତାବକ ପ୍ରଶାନ୍ତ ନିଜ କାମରେ ଲାଗିପଡ଼ିଲା। ରଙ୍ଗ କରିବା ସମୟରେ ପ୍ରଶାନ୍ତ ଦେଖିଲା ଡଙ୍ଗାରେ ଏକ ଛିଦ୍ର ଅଛି। ଏ ଛିଦ୍ରଟି ଯାତ୍ରା ସମୟରେ ବିପଦ ସୃଷ୍ଟି କରିବ। ସେ ତ ଚିତ୍ରକର ହେଲେ ବୁଦ୍ଧି ଖର୍ଚ୍ଚ କରି ଡଙ୍ଗାକୁ ମରାମତି କରିବାକୁ ଲାଗିଲା। ଏଥିଲାଗି ତାକୁ ଖଣ୍ଡେ ଲୁହା ପାତ, କିଛି କଣ୍ଟା ଆଉ ତୁକୁଡ଼ା କାଠ ଖଣ୍ଡର ଆବଶ୍ୟକ ପଡ଼ିଲା। ଧାର୍ଯ୍ୟ ଦିନ ପୂର୍ବରୁ ପ୍ରଶାନ୍ତ ଜମିଦାରଙ୍କୁ ଡଙ୍ଗାକୁ ନେଇ ହସ୍ତାନ୍ତର କଲା। ଜମିଦାର ସେଦିନ କୌଣସି କାମରେ ବ୍ୟସ୍ତ ଥିବାରୁ ପ୍ରଶାନ୍ତକୁ ତା ପାଉଣା ଦେଇ ପାରିଲେ ନାହିଁ। ଡଙ୍ଗାଟି ନୂଆ ରୂପରେ ପାଇ ଜମିଦାର ବହୁତ ଖୁସି ହେଲେ। ପ୍ରଶାନ୍ତର ବିଶ୍ୱାସ ଥିଲା ଜମିଦାରଙ୍କ ଉପରେ ଏଣୁ ପାଉଣା କଥା ନ ଉଠାଇ ଲେଉଟି ଆସିଲା।

ଜମିଦାରଙ୍କ ପରିବାର ଲୋକ ସେଦିନ ଡଙ୍ଗା ସାହାଯ୍ୟରେ ପାଖ ନଦୀରେ ଯାତ୍ରା ଆରମ୍ଭ କଲେ। ଜମିଦାର ଯେଉଁ ନାଉରି ପାଖରୁ ଡଙ୍ଗାଟିକୁ କିଣିଥିଲେ ସେ ଅଚାନକ ଘରେ ପହଞ୍ଚିଯାଇ କହିଲା ବାବୁ ମୁଁ କହିବାକୁ ଭୁଲିଯାଇଥିଲି ସେ ଡଙ୍ଗାରେ ଗୋଟେ ଛିଦ୍ର ଥିଲା। ଜମିଦାର ବାବୁ ଏକଥା ଶୁଣୁ ଶୁଣୁ ଚମକି ଉଠିଲେ। ନାଉରି ବି ନିଜ ଭୁଲ ପାଇଁ କ୍ଷମାପାର୍ଥନା କଲା। ରାଗିଲେ ଚିଡ଼ିଲେ ଏବେ ଆଉ କଣ ହେବ! ଜମିଦାର ପରିବାର ଲୋକଙ୍କ ଶୁଭ ମନାସି ଫେରନ୍ତା ବାଟକୁ ଚାହିଁ ବସିଲେ। ଯଥା ସମୟରେ ପରିବାର ବର୍ଗ କାର୍ଯ୍ୟ ସମ୍ପନ୍ନ କରି ଘରକୁ ଫେରିଲେ। ଯାତ୍ରା ସମୟରେ ବାଟରେ କିଛି ବି ବାଧାବିଘ୍ନ ନହୋଇ ଥିବା କଥା ପରିବାର ଲୋକ କହିଲେ।

ଜମିଦାର ବାବୁ ମନେ ମନେ ଦୃଢ଼ ହେଲେ ଡଙ୍ଗାରେ ଥିବା ଛିଦ୍ରଟି ନିଶ୍ଚୟ ପ୍ରଶାନ୍ତ ମରାମତି କରିଛି। ଏଥିଲାଗି ପ୍ରଶାନ୍ତକୁ ଉଚିତ ଅର୍ଥରାଶି ପ୍ରଦାନ କରିବାକୁ ହେବ। ତହିଁଆରଦିନ ଜମିଦାର ବାବୁ ପ୍ରଶାନ୍ତକୁ ଡକେଇ ପଠେଇଲେ। ପ୍ରଶାନ୍ତ ହାତକୁ ପାଞ୍ଚ ହଜାର ଟଙ୍କା ଦେଇ କହିଲେ ଇଏ ନିଅ ତୁମ ପାରିଶ୍ରମିକ। ଏତେ ଟଙ୍କା ଦେଖି ପ୍ରଶାନ୍ତ କହିଲା ବାବୁ ଆମର ତ ଏକ ହଜାର ଟଙ୍କା କଥା ହୋଇଥିଲା। ଜମିଦାର କହିଲେ ତୁମେ ଡଙ୍ଗାର ଯାହା ବି ମରାମତି କରିଛ ତା’ ପରିଶ୍ରମର କଣ କିଛି ମୂଲ୍ୟ ନାହିଁ। ପ୍ରଶାନ୍ତ କହିଲା ବାବୁ ସେଇଟା ତ ମୋ କର୍ତ୍ତବ୍ୟ ଥିଲା। ଜମିଦାର ବାବୁ କହିଲେ ତୁମ ଲାଗି ଆଜି ମୋ ପରିବାରର ଅମଙ୍ଗଳ ଟଳି ଯାଇଛି। ପୂର୍ଣ୍ଣ ମନରେ ନିଷ୍ଠାର ସହିତ ଯିଏ ପ୍ରତ୍ୟେକ କାର୍ଯ୍ୟ କରେ ସେ ଜଣେ ସଚ୍ଚୋଟ ମଣିଷ। ମଣିଷର କର୍ମ ହିଁ ତାକୁ ଦୁନିଆରେ ସ୍ୱତନ୍ତ୍ର ପରିଚୟ ଦିଏ। ନହେଲେ କାମରେ ଛୋଟ ବଡ଼ ବୋଲି କିଛି ନଥାଏ। ତୁମେ ଜଣେ ସଚ୍ଚୋଟ ମଣିଷ ଆଉ ଏ ଅର୍ଥରାଶିର ତୁମେ ପୂର୍ଣ୍ଣ ହକଦାର। ଜମିଦାରଙ୍କ ହାତରୁ ପାଉଣା ଗ୍ରହଣ କରି ପ୍ରଶାନ୍ତ ନିଜ ଘରକୁ ଲେଉଟିଲା।

ମଙ୍ଗଳାବାଗ, କଟକ-୧