ହୁତ୍ ହୁତ୍ ହୋଇ ଜଲୁଥିଲା ଜଙ୍ଗଲ ।
ସମସ୍ତେ ଭୟଭୀତ ହୋଇ ଦୌଡ଼ୁଥିଲେ। ପ୍ରାଣଟା ବଞ୍ଚିଯାଉ ହେ ପ୍ରଭୁ । ଜଙ୍ଗଲ ଶେଷରେ ଯେଉଁ ଛୋଟିଆ ପୋଖରୀ ପରି ସ୍ଥିର ଆବଦ୍ଧ ଜଳରାଶି ଅଛି ତାହା ଜନବସତିର ପାଖାପାଖି। ପୋଖରୀରେ ପାଣି କମ୍ ପଙ୍କ ବେଶୀ । ସେଠାରେ ଗୋମାତାଟିଏ ଜଳପାନ ଉଦ୍ଦେଶ୍ୟରେ ଆସି ପୋଖରୀ ଭିତରକୁ ପଶିଯାଇଛି ଯେ ଆଉ ବାହାରି ପାରୁନି ।
ଜଙ୍ଗଲର ରାଜା ସିଂହ ଦୌଡ଼ୁ ଦୌଡ଼ୁ ଆସି ପହଞ୍ଚିଲେ ସେଇ ପୋଖରୀ ପାଖରେ । ସେଠାରେ ଗୋମାତାକୁ ଦେଖି ତାଙ୍କ ଭିତରେ ଶିକାରୀ ଜାଗି ଉଠିଲା । ଗୋମାତାର ମାଂସ ଲୋଭ ତାଙ୍କୁ ଲାଗିଲା । ସିଂହ ପୋଖରୀ ଭିତରକୁ ଲମ୍ଫ ପ୍ରଦାନ କଲେ। ପୋଖରୀର ପଙ୍କ, ରାଜା ପ୍ରଜା ସମସ୍ତଙ୍କ ପାଇଁ ସମାନ । ପଙ୍କ ଦାଉରୁ ସିଂହ ଅବା କେମିତି ରକ୍ଷା ପାଇଥାନ୍ତେ ? ଗୋମାତା କହିଲେ ହେ ଜଙ୍ଗଲର ରାଜା ଏବେ ଆମେ ଦୁହେଁ ଏଇ ପଙ୍କର କବଳରୁ କେମିତି ରକ୍ଷା ପାଇବା ସେଇକଥା ଚିନ୍ତା କଲେ ଦୁହିଁଙ୍କ ପାଇଁ ଲାଭଦାୟକ ହେବ ।”
ସିଂହ କହିଲେ “ତୁ ମୋ ଶିକାର, ତୋତେ ଉଦ୍ଧାର କରିବି ବୋଲି କେମିତି ଭାବୁଛୁ ଯେ ? ଜଣେ ଶିକାରୀ ତାର ଶିକାରକୁ ତ୍ୟାଗ କରି ତାକୁ ସାହାଯ୍ୟ କରିବା କେବେ ଶୁଣିଛୁ ? ମୁଁ ତୋ ହାଡ଼ ମାଂସକୁ ଖାଇ ଯେଉଁ ଆନନ୍ଦ ଲଭିବି ତାହା ଭାବି ମୁଁ ଅନେକ ଆନନ୍ଦିତ ଏବଂ ଖୁସି।
ଯେହେତୁ ସେ ଜଙ୍ଗଲର ରାଜା, ତେଣୁ ସିଂହର ଅହଂ ତାକୁ ହାର ମାନିବାକୁ ଦେଉନଥାଏ। ସିଂହ ରାଜା ଆହୁରି ଚେଷ୍ଟା କଲେ, ଖୁବ୍ ବଳ ଲଗାଇଲେ କିନ୍ତୁ କିଛି ଫଳ ହେଲାନି । ସେ ଆହୁରି ପଙ୍କ ଭିତରେ ଫସିଲେ। ଏବେ ବେକ ଯାଏ ପାଣି। ସିଂହରାଜାଙ୍କ ଏ ପ୍ରୟାସ ଦେଖି ଗୋମାତା ମଧ୍ୟ ଜୀବନ ବିକଳରେ ଅନୁରୂପ ପ୍ରୟାସ କରିବାକୁ ଲାଗିଲେ ..କିନ୍ତୁ ଫଳ କିଛି ହେଲାନି। ଏବେ ଦୁଇଜଣ ପଙ୍କ ଭିତରେ ବେକ ଯାଏଁ ଫସି ରହିଲେ।
ଗୋମାତା କହିଲେ “ଯେତେ ଚେଷ୍ଟାକଲେ ବି ଏବେ କିଛି ଲାଭ ନାହିଁ ରାଜା। ହେଲେ ଗୋଟିଏ କଥା ମୋତେ କହିବେ? ଆପଣଙ୍କ ପ୍ରଭୁ କିଏ? ସେ କଣ ଆପଣଙ୍କୁ ଉଦ୍ଧାର କରିପାରିବେନି ?” ସିଂହ ରାଜା କହିଲେ “ ମୁଁ ଜଙ୍ଗଲର ରାଜା ମୋର ପୁଣି ପ୍ରଭୁ କିଏ? ଏଇ ଜଙ୍ଗଲର ସମସ୍ତ ବନ୍ୟପ୍ରାଣୀ ମୋର ଅନୁଗାମୀ।
ଗୋମାତା କହିଲେ “କିନ୍ତୁ ମୋର ମାଲିକ ହେଉଛନ୍ତି ମୋର ପ୍ରଭୁ । ସେ ଭାରି ଯତ୍ନବାନ ଏବଂ ଦାୟିତ୍ୱବାନ। ମୁଁ ଘରକୁ ନ ଫେରିବା ଦେଖି ସେ ନିଶ୍ଚୟ ମୋତେ ଖୋଜି ଖୋଜି ଆସିବେ ଆଉ ମୋତେ ଉଦ୍ଧାର କରି ନେଇଯିବେ। ଇତିମଧ୍ୟରେ ଗୋମାତା ଘରକୁ ଫେରିବା ଡେରି ହେବା ଦେଖି ତାଙ୍କ ମାଲିକ ଖୋଜା ଖୋଜି କରୁଥିଲେ। ଜଙ୍ଗଲରେ ନିଆଁ ଲାଗିବାର ଦେଖି ଡାକ ଛାଡ଼ିଲେ। ଲୋକମାନେ ଜଙ୍ଗଲ ଆଡ଼କୁ ଧାଁ ଧପଡ଼ କଲେ।
ଗୋମାତାଙ୍କ ମାଲିକ ଖୋଜି ଖୋଜି ଆସି ପହଞ୍ଚିଲେ ସେଇ ପୋଖରୀ ପାଖେ। ଗୋମାତାଙ୍କୁ ଉଦ୍ଧାର କରିବାକୁ ଉପାୟ ପାଞ୍ଚିଲେ। ପାଖରେ ସିଂହରାଜାକୁ ଦେଖି ସେ ଭୟଭୀତ ଥିଲେ କିନ୍ତୁ ସେ ଚିନ୍ତାକଲେ ଯଦି ସିଂହରାଜା ତାଙ୍କ ବଳ ଲଗେଇ ପୋଖରୀ ପଙ୍କରୁ ଉଦ୍ଧାର ପାଇ ପାରିଥାନ୍ତେ ତାହେଲେ ଗୋମାତାଙ୍କୁ ତ ସେ କେତେବେଳରୁ ଶିକାର କରିସାରିଥାନ୍ତେ!! ଏଯାଏଁ ସେମିତି କିଛି ହୋଇନାହିଁ। ତେଣୁ ସେ ଭୟଭୀତ ନ ହୋଇ ଅନ୍ୟମାନଙ୍କ ସାହାଯ୍ୟ ନେଇ ଗୋମାତାକୁ ଉଦ୍ଧାର କଲେ। ବିଚରା ସିଂହରାଜା ସେମିତି ପଙ୍କ ଭିତରେ ଫସି ରହି “ମୋର ପ୍ରଭୁ କିଏ” ବୋଲି ଚିନ୍ତିତ ଥିଲେ।
ସିମୁଳିଆ, ବାଲେଶ୍ବର