ଗୋଟିଏ ଜଙ୍ଗଲରେ ଏକ ବିଲୁଆ ବାସ କରୁଥିଲା। ଜଙ୍ଗଲରେ ଯାହା ମିଳେ ବିଲୁଆ ତାକୁ ଖାଇ ସୁଖ ଶାନ୍ତିରେ ଜୀବନ କାଟୁଥିଲା। ଦିନେ ବିଲୁଆ ବୁଲୁ ବୁଲୁ ଗୋଟିଏ ବଡ଼ ପଣସ ପାଇଲା। ସେଇଟାକୁ ସେ ଲୁଚାଇ ରଖିଲା। ସେଥିରୁ ପ୍ରତିଦିନ କିଛି କିଛି ଅଂଶ ଖାଏ ଓ ଅବଶିଷ୍ଟ ରଖିଦିଏ ପର ଦିନ ଖାଇବା ପାଇଁ।
ଏପରି ପ୍ରତିଦିନ ପଣସକୁ ସାଇତି ରଖି ଖାଇବାରୁ ତାକୁ ଖାଦ୍ୟ ଖୋଜିବାକୁ ବାହାରକୁ ଯିବାକୁ ପଡ଼ିଲାନି। କେବଳ ଘରେ ବସିରହି ତାକୁ ଖାଇଲା। ସାଙ୍ଗମାନଙ୍କ ସହିତ ଖେଳିବାକୁ ବି ଗଲା ନାହିଁ। ଦିନେ ହଠାତ୍ ଦେଖାଗଲା ବିଲୁଆ ବିକଳ ହୋଇ ବାହାରେ ଗଡ଼ୁଛି। ଏହା ଦେଖି ଭାଲୁ ତା’ ପାଖକୁ ଧାଇଁଗଲା। ତାକୁ ଉଠାଇ ପଚାରିବାରୁ ସେ କହିଲା- ମୋର ପେଟ କ’ଣ ହୋଇଯାଉଛି। ଭାଲୁକୁ ବୁଦ୍ଧିବାଟ କିଛି ଦେଖାଗଲା ନାହିଁ। କିପରି ତାକୁ ଡାକ୍ତରଖାନା ନେବ ଚିନ୍ତା କଲା। କେହି କୁଆଡ଼େ ନାହିଁ। ଏତିକିବେଳେ ତା’ ନାକରେ ପଣସର ବାସ୍ନା ବାଜିଲା। ସେ ଚାରିଆଡ଼କୁ ଚାହିଁ ଦେଖେ ତ ବିଲୁଆ ବସାରେ ଗୋଟେ ପଚା ପଣସ। ଭାଲୁ ଜାଣିଗଲା ଯେ ପଚା ପଣସ ହିଁ ବିଲୁଆ ପେଟ ଖରାପର ମୂଳ କାରଣ। ଡାକ୍ତର ନ ଦେଖାଇ ଔଷଧ ଦେବା ଠିକ୍ ହେବ ନାହିଁ।
ସେ ତେଣୁ କାଳବିଳମ୍ବ ନ କରି ବିଲୁଆକୁ ନେଇ ଡାକ୍ତଖାନା ଗଲା। ଗଧିଆ ଡାକ୍ତର ତାକୁ ପରୀକ୍ଷା କରି କହିଲା- ବିଷାକ୍ତ ଖାଦ୍ୟ ଖାଇବା କାରଣରୁ ତା’ର ଏପରି ଅବସ୍ଥା ହୋଇଛି। ବିଲୁଆ ବି ସବୁ ସତକଥା ମାନିଗଲା। ଗଧିଆ ଡାକ୍ତର ତାକୁ କିଛି ଔଷଧ ଦେଲା ଏବଂ ପଚା ଖାଦ୍ୟ ନ ଖାଇବା ଲାଗି ପରାମର୍ଶ ଦେଲା। ତା’ପରେ ସେମାନେ ବିଲୁଆ ବସାକୁ ଗଲେ। ସେଠାରେ ସେ ପଚା ପଣସକୁ ଦେଖି ଏହାକୁ ନ ଖାଇବାକୁ କହିଲେ। ବିଲୁଆ ପଣସ ପାଇବା ଦିନଠାରୁ ବୁଲାବୁଲି ନ କରିବାରୁ ଅଳସୁଆ ହୋଇ ଯାଇଥିଲା। ତେଣୁ ତାକୁ ବ୍ୟାୟାମ ସହିତ ଚଲାବୁଲା କରିବାକୁ ବି ପରାମର୍ଶ ଦିଆଗଲା।
ମେନ୍ରୋଡ୍, ରଣପୁର