ଏକ ନିଆରା ଈଦ୍

ତୁମ କାହାଣୀ - ତସନିମ୍ ସୁଲତାନା

ଏକୋଇଶ ଜୁଲାଇ ୨୦୨୧ ତାରିଖ ଥିଲା ଆୟତ ଓ ତା’ ସାଙ୍ଗମାନଙ୍କ ପାଇଁ ଏକ ବିଶେଷ ଦିନ। କାରଣ ଗୋଟିଏ ଦିନରେ ପଡୁଛି ଈଦୁଲ ଜୁହା ଓ ରଥଯାତ୍ରାରେ ଜଗନ୍ନାଥଙ୍କ ସୁନାବେଶ। ଏହି ଦିନକୁ ସ୍ବତନ୍ତ୍ର ଭାବେ ପାଳନ କରିବା ପାଇଁ ସେମାନେ ସପ୍ତାହେ ପୂର୍ବରୁ ଯୋଜନା କରିଥିଲେ। ସଂଗୀତାର ନନାଙ୍କୁ ଆୟତ, ଦେବନା ବୋଲି ଡାକେ। ଆମେ କିନ୍ତୁ ତାଙ୍କୁ ଦେବ ନନା ବୋଲି ଡାକୁ। ଭୁବନେଶ୍ବରର ଏକ ସ୍ବେଚ୍ଛାସେବୀ ସଂସ୍ଥାରେ କାମ କରୁଥାନ୍ତି। ସେ ରବିବାରରେ ଘରକୁ ଆସି ଥିବାର ଜାଣି ଆୟତ ତାଙ୍କ ଘରକୁ ଗଲା। ଆୟତ ଓ ସଙ୍ଗୀତାକୁ,ଏକାଠି ଦେଖି ସେ ଖୁସି ହୋଇ ପଚାରି ବସିଲେ, ପିଲାମାନେ ଏଥର ଯୋଜନା ସବୁ କ’ଣ ରହିଛି । ଆୟତ କହିଲା ଦେବନା ଆପଣ ଆମକୁ ସାହାଯ୍ୟ କଲେ ଆମ ଯୋଜନା ସଫଳ ହେବ। ସଙ୍ଗୀତା ଘର ପଛ ପଟ ବାଡ଼ିରେ ଆୟତ, ସଙ୍ଗୀତା ଓ ଦେବନନା ନଡ଼ିଆ ପତ୍ର ପଟ୍ଟିରେ ବସି କଥାହେଲେ।

ଆୟତ କହିଲା ନନା -ଏଥର ଗୋଟିଏ ଦିନରେ ଈଦୁଲ୍ ଜୁହା ଓ ସୁନାବେଶ ପଡ଼ୁଛି। ଆମେ ଉଭୟ ଗାଁ ଓ ବୃଦ୍ଧାଶ୍ରମରେ ଥିବା ବୁଢ଼ାବୁଢ଼ୀଙ୍କୁ ସେଇ ଦିନ ଗୋଟିଏ ବକତ ଖାଇବାକୁ ଦେବାର ଯୋଜନା କରିଛୁ। ଏକଥା ଶୁଣି ଦେବ ନନା ବହୁତ ଖୁସି ହେଲେ। ହେଲେ ଏଥିପାଇଁ ତ ବହୁତ ପଇସା ଦରକାର। ଏତେ ପଇସା ତୁମେ ଛୋଟ ପିଲା କେଉଁଠୁ ଆଣିବ? ସଙ୍ଗୀତା କହିଲା- ନନା, ଆପଣ ବୃଦ୍ଧାଶ୍ରମର ମୁଖ୍ୟଙ୍କ ସହ ଯୋଗାଯୋଗ କରନ୍ତୁ। କେତେ ପଇସା ଖର୍ଚ୍ଚ ହେବ ଆମେ ସେଇ ଅନୁସାରେ ବ୍ୟବସ୍ଥା କରିବୁ । ଶେଷରେ ବୃଦ୍ଧାଶ୍ରମରେ ଥିବା ଷାଠିଏ ଜଣ ଓ ଉଭୟ ଶୁଆଖିଆ ଓ ଫକିରସାହିରେ ଥିବା ଚାଳିଶ , ଏହିପରି ଶହେ ଜଣ ବୁଢ଼ାବୁଢ଼ୀଙ୍କ ପାଇଁ ପନିର୍ ଓ ଭେଜ୍ ବିରିଆନିର ବ୍ୟବସ୍ଥା ହେଲା। ଏହାର ଏକ ବିବରଣୀ ତିଆରି କରି ଆୟତ ଘର ମୋବାଇଲ ନମ୍ବର ସହ ବ୍ଲକ୍ ପ୍ରେସ୍‌ କ୍ଲବର ହ୍ବାଟସ୍ଅାପ୍ ଗ୍ରୁପ୍‌ରେ ଦେବ ନନା ପଠାଇଲେ।

ତା’ ଆର ଦିନ ପିଲାମାନଙ୍କ ଏହି ମହତ ଉଦ୍ଦେଶ୍ୟର କାହାଣୀ ସମସ୍ତ ଖବର କାଗଜରେ ପ୍ରକାଶ ପାଇଲା। ସୁନାବେଶ ଓ ଈଦୁଲ ଜୁହାକୁ ଆଉ ଛଅ ଦିନ ବାକି ଥାଏ। ଖବରକାଗଜରୁ ଏସବୁ ପଢ଼ି ଆଖ ପାଖ ଗାଁ ସମେତ ସହରରେ ଥିବା ଅନେକ ସ୍ବେଚ୍ଛାସେବୀ ଯୁବକ,ପିଲାଙ୍କ ଏଭଳି ମହତ କାର୍ଯ୍ୟରେ ସାମିଲ ହେବାକୁ ଫୋନ କରି ନିଜ ନିଜର ସହମତି ଜଣେଇଲେ। କିଛି ଅନାଥ ଆଶ୍ରମ ଓ ମଦ୍ରାସାର ମୁଖ୍ୟ ଏଥିରେ ତାଙ୍କ ଗରିବ ଓ ନିରାଶ୍ରୟ ପିଲାଙ୍କୁ ସାମିଲ କରିବା ପାଇଁ ଅନୁରୋଧ ମଧ୍ୟ କଲେ। ଏଥି ପାଇଁ ବ୍ଲକ୍‌ର ପ୍ରେସ୍‌ କ୍ଲବ୍‌ ତରଫରୁ ଅନ୍‌ଲାଇନ୍‌ ଭର୍ଚୁଆଲ ମିଟିଂର ବ୍ୟବସ୍ଥା କରାଗଲା । ପିଲାଙ୍କ ମହତ କାର୍ଯ୍ୟକୁ ସଫଳ କରିବା ପାଇଁ ଶହ ଶହ ଯୁବକ ସମୟ ଦେବାକୁ ଓ ଟଙ୍କା ପଇସା ସାହାଯ୍ୟ କରିବାକୁ ଆଗେଇ ଆସିଲେ। ଅନେକ ପରିବା ଦୋକାନି ବିଭିନ୍ନ ପ୍ରକାରର ପରିବା ନେଇ ଯାଉଛନ୍ତି ବୋଲି ଫୋନ୍‌ କଲେ। ଚାହୁଁ ଚାହୁଁ ପରିବାର ପାହାଡ଼ ଗଦା ହୋଇଗଲା । ପୁଣି ଭର୍ଚୁଆଲ୍‌ ବୈଠକ ହେଲା। ରାଉରକେଲା, ଭୂବନେଶ୍ବର ଓ କଟକର ମୋଟ ଦଶଟି ଅନାଥ ଆଶ୍ରମ, ବୃଦ୍ଧାଶ୍ରମ ,ମଦ୍ରାସା ସହ ଫକିରସାହି ଓ ଶୁଆଖିଆ ସହ ଆଖପାଖ ଦଶଟି ଗ୍ରାମରେ ପ୍ରତି ପଚାଶ ଜଣରେ ଗୋଟିଏ ଦଳ ଗଠନ ହେବ। ସେମାନଙ୍କ ଦାୟିତ୍ବରେ ଯେଉଁମାନେ ରହିବେ ତା’ର ଏକ ତାଲିକା ସେମାନଙ୍କ ଫୋନ ନମ୍ବର୍‌ ସହ ଗୋଟିଏ ଗୋଟିଏ ହ୍ବାଟସ୍‌ଆପ୍‌ କରି ଜଣେଇ ଦିଆଯିବ ବୋଲି ନିଷ୍ପତ୍ତି ନିଆଗଲା।

ଶେଷରେ ସେଇ ଦିନଟି ଆସିଲା। ଏଇଭଳି ଏଥରର ଈଦୁଲ ଜୁହା ଓ ସୁନାବେଶରେ ହଜାରରୁ ଅଧିକ ବୁଢ଼ାବୁଢ଼ୀ, ଅନାଥ ଓ ନିରାଶ୍ରୟ ପେଟଭରି ଭୋଜନ କଲେ । ଏସବୁ ଆୟତ ଓ ସଙ୍ଗୀତା ଭଳି ପିଲାଙ୍କ ଯୋଗୁଁ ସଫଳହୋଇଥିବାରୁ ତାଙ୍କ ପ୍ରସଂଶାରେ ସମସ୍ତେ ଶତମୁଖ ହେଲେ। କିନ୍ତୁ ଆୟତ ଓ ସଙ୍ଗୀତା ଏକସ୍ବରରେ କହିଉଠିଲେ ଏହା ଥିଲା ଆଲ୍ଲା ଓ ଜଗନ୍ନାଥଙ୍କ ଏକାନ୍ତ ଇଚ୍ଛା। ସତରେ ଏମିତ ଏକ ନିଆରା ଈଦ୍ ଓ ସୁନାବେଶ ପ୍ରତି ବର୍ଷ ଆସନ୍ତା ନି !

ଅଷ୍ଟମଶ୍ରେଣୀ
କାକଟପୁର ବାଳିକା ନୋଡାଲ୍‌ ଉଚ୍ଚବିଦ୍ୟାଳୟ, କାକଟପୁର

ସମ୍ବନ୍ଧିତ ଖବର