ଶେଷରେ ମୂଷା ଧରାହେଲା

ତୁମ କାହାଣୀ - ବିସ୍ମୟ ବୈଚାରିକ

ମୁଁ ପଢ଼ୁଥିବା ସମୟରେ ହଠାତ୍‌ ମାମା ଡାକ ପକେଇଲେ, ଶୀଘ୍ର ଆସ୍‌, ରୋଷେଇ ଘରେ ଗୋଟେ ମୂଷା ପଶିଛି। ମାମା କଥା ଶୁଣି, ମୁଷା ଦେଖିବା ପାଇଁ ମୁଁ ଦୌଡ଼ିଲି। ମୁଷାକୁ ମାରିବା ପାଇଁ ହାତରେ ଗୋଟେ ବାଡ଼ି ବି ନେଇଥିଲି। ଦେଖିଲି, ଚୁଇଁ ମୁଷାଟିଏ ଚିଇଁଚିଇଁ ହୋଇ ଏପଟ ସେପଟ ଦୌଡ଼ୁଛି। ମାମା ତା ପଛେ ପଛେ ଗୋଡ଼ାଉଥାନ୍ତି। ମୁଁ ବି ବାଡ଼ି ଧରି ତା ପଛେ ପଛେ ଗୋଡେ଼ଇଲି। ହେଲେ ସେ ମୂଷାଟା ରୋଷେଇ ଘରର ଏ କନ୍ଦି ସେ କନ୍ଦି ଗଳି ଯାଉଥାଏ। ମୁଁ ଯେତେ ବାଡ଼ାଉଥାଏ, ମୋ ବାଡ଼ି ପାହାର ସବୁ ତଳେ ବାଜୁଥାଏ। ତା’ପରେ ମୁଁ ଗୋଟେ କୁଲା ଧରିଲି, ମୂଷା ଉପରେ ପକେଇ ଦେଇ ତାକୁ କାବୁ କରିବା ପାଇଁ। ହେଲେ ମୂଷା ଆମ ରୋଷେଇ ଘରର ଡବା ଗୁଡ଼ିକର କନ୍ଦିରେ ଗଳିଗଲା।

ମୂଷା ପୁଣି ବାହାରି ଅଟା ବାଲ୍‌ଟି ପଛରେ ଲୁଚିଗଲା। ମୁଁ ଅଟା ବାଲ୍‌ଟି କାଢ଼ିଦେବାରୁ ମୂଷା ଆମ ପରିବା ପାଛିଆ ପଛକୁ ଚାଲିଗଲା। ମୂଷାକୁ ଦେଖି ମୁଁ କୁଲା ପକେଇ ଦେଉଥାଏ, ହେଲେ କୁଲା କାଢ଼ିବା ବେଳକୁ ତା ତଳ ଖାଲି ଥାଏ। ମୁଷା ଖସି ଯାଉଥାଏ। ଆମେ ମାମା ଓ ମୁଁ ମୂଷାକୁ ଗୋଡେ଼ଇ ଗୋଡେ଼ଇ ହାରିଗଲୁ। ସେତେବେଳକୁ ଆମ ରୋଷେଇ ଘର ଅବସ୍ଥା ପୂରା ଅସଜଡ଼ା ହୋଇଯାଇଥାଏ।

ସ˚ଜ ବେଳକୁ ବାବା ଆସିବାରୁ ମୁଁ ତାଙ୍କୁ ମୂଷା କଥା କହିଲି। ଠିକ୍‌ ସେତିକି ବେଳେ ରୋଷେଇ ଘରେ ପୁଣି ଥରେ ସେହି ଚୁଇଁ ମୁଷାଟା ଦେଖାଗଲା। ମାମା ଡାକ ଛାଡ଼ିବାରୁ ବାବା ଓ ମୁଁ ରୋଷେଇ ଘରକୁ ଗଲୁ। ମୁଁ ମୋ ବାଡ଼ିଟା ପୁଣି ସାଙ୍ଗରେ ନେଇଥାଏ। ମୋ ସାନ ଭାଇ ମୂଷାକୁ ଦେଖି ଭାରି ଖୁସି ହେଉଥାଏ। ମୂଷାକୁ କାବୁ କରିବା ପାଇଁ ବାପା ହାତରେ ଗୋଟେ ବଡ଼ ଅଖା ଧରିଥିଲେ। ମୂଷା ଦୌଡ଼ି ଯାଇ ପୁଣି ରୋଷେଇ ଘର ଜିନିଷ ଗୁଡ଼ିକ ପଛରେ ଲୁଚିଗଲା। ମୂଷାକୁ ମାରିବା ପାଇଁ ମୋ ଜିଦି ବଢ଼ିଯାଇଥାଏ। ଏଡ଼ିକି ବକଟେ ମୂଷା ମୋତେ କେତେ ହଇରାଣ କଲାଣି! ମୁଁ ରୋଷେଇ ଘର ଜିନିଷ ଗୁଡ଼ିକୁ କାଢ଼ିବାରୁ ମୂଷା ବାହାରକୁ ଚାଲି ଆସିଲା। ସେ ଦୌଡ଼ି ପଳାଉଥିବା ସମୟରେ ବାବା ତା ଉପରେ ଅଖାଟା ପକେଇ ଦେଲେ। ମୂଷା ଅଖା ଭିତରେ ରହିଗଲା। ଆଉ ବାହାରି ପାରିଲା ନାହଁି। ବାବା ଅଖା ସହିତ ମୂଷାକୁ ମାଡ଼ିବସିଲେ। ମୁଁ ବାଡ଼ି ଉଠେଇ ମୂଷାକୁ ଏକା ପାହାରକେ ମାରିଦେବାକୁ ବସିଥିଲି।

ହେଲେ ବାବା କହିଲେ, ମୂଷାକୁ ମାରିବା ନାହିଁ। ଚୁଇଁ ମୂଷାଟାକୁ କାହିଁକି ମାରିବା? ବାବାଙ୍କ କଥା ଶୁଣି ମୋର ବି ଆମ ସାମାଜିକ ବିଜ୍ଞାନ ବହିରେ ପଢ଼ା ହୋଇଥିବା କଥା ମନେପଡ଼ିଗଲା। ଏ ପୃଥିବୀର ସବୁ ଜୀବଙ୍କର ବଞ୍ଚିବାର ଅଧିକାର ଅଛି। ସବୁ ଜୀବମାନେ ଆମକୁ ଭିନ୍ନ ଭିନ୍ନ ବାଟରେ ସାହାଯ୍ୟ କରିଥାନ୍ତି। ବାବାଙ୍କ କଥା ଓ ଆମ ପାଠ ବହିର କଥା ମନେପଡ଼ିବାରୁ ମୁଁ ଆଉ ମୂଷାକୁ ମାରିବାକୁ ଚାହଁିଲି ନାହଁି। ବାବା ମୂଷାକୁ ଅଖା ସହିତେ ଧରି ନେଇ ବାହାରେ ଛାଡ଼ି ଦେଲେ। ମୂଷା ଚିଇଁଚିଇଁ ହୋଇ ଦୌଡ଼ି କୁଆଡ଼େ ପଳେଇଗଲା।

ଚତୁର୍ଥ ଶ୍ରେଣୀ,ନିଉ ଲାଇଫ୍‌ ଇଙ୍ଗ୍‌ଲିସ୍‌ ମିଡ଼ିୟମ ସ୍କୁଲ୍‌
ବିଷମ କଟକ, ରାୟଗଡ଼ା

ସମ୍ବନ୍ଧିତ ଖବର