ସାନର ବୁଦ୍ଧି

ତୁମ କାହାଣୀ - ରାଧେଶ ବିଶ୍ୱାଳ

ସମୁଦ୍ର ଭିତରେ ଗୋଟେ ମାଛ କଲୋନିରେ ଛୋଟ ବଡ଼ ବେଶ୍ କିଛି ମାଛ ସପରିବାର ରହୁଥିଲେ। ସେମାନଙ୍କର ସର୍ଦ୍ଦାର ଗୋଟେ ବଡ଼ ମାଛ ଥିଲା। ସର୍ଦ୍ଦାର ମାଛ ଖୁବ୍ ଭଲ, ସେ ତାଙ୍କ କଲୋନିର ସବୁ ମାଛଙ୍କୁ ଖୁବ୍ ସ୍ନେହ କରୁଥିଲା ଓ ବିପଦ ଆପଦରେ ମଧ୍ୟ ରକ୍ଷା କରୁଥିଲା। ମୋଟାମୋଟି କହିବାକୁ ଗଲେ ସେଇ କଲୋନିର ସଭିଏଁ ଖୁବ୍ ଆନନ୍ଦରେ ରହୁଥିଲେ।

ଦିନକର କଥା। କୁଆଡୁ ଗୋଟେ ବଡ଼ ଶାର୍କ ମାଛ ଆସି ସେ କଲୋନିରେ ପହଞ୍ଚିଲା। ଛୋଟ ବଡ଼ ବହୁତ୍ ମାଛ ଖାଇ ପୁଣି କୁଆଡ଼େ ଚାଲି ଗଲା। ପର ଦିନ ପୁଣି ଆସିଲା ଓ ସେମିତି କଲୋନି ର ମାଛ ଶିକାର କରିବାକୁ ଲାଗିଲା। ଏଇଟା ଗୋଟେ ନିତି ଦିନିଆ ଘଟଣା ହେଇ ଗଲା। ଧୀରେ ଧୀରେ କଲୋନିର ମାଛ ସଂଖ୍ୟା ହ୍ରାସ ପାଇବାରେ ଲାଗିଲା। ଦିନେ ସନ୍ଧ୍ୟାରେ ସର୍ଦ୍ଦାର ମାଛ କଲୋନିରେ ମିଟିଂ ଡାକିଲେ। ମିଟିଂରେ ଆଲୋଚନା ହେଲା ସେ ଦୁଷ୍ଟ ଶାର୍କ ମାଛ କବଳରୁ କେମିତି ରକ୍ଷା ମିଳିବ। ବଳରେ ତାକୁ ପାରିବା ମୁସ୍କିଲ ଥିଲା ତେଣୁ ଛଳରେ କେମିତି ଶାର୍କକୁ ଘଉଡ଼ାଇବେ ସେ ବିଷୟରେ ଆଲୋଚନା ହେଲା।

ଗୋଟେ ସାନ ଅଥଚ ବୁଦ୍ଧିମାନ ମାଛ କହିଲା – ସଭିଏଁ ଲକ୍ଷ କରୁଥିବେ ସେ ଶାର୍କ ମାଛ ସବୁଦିନ ନିର୍ଦ୍ଦିଷ୍ଟ ସମୟରେ ହିଁ ଆସୁଚି ଆଉ ଦଶ ପନ୍ଦର ମିନିଟ୍ ଭିତରେ ଶିକାର ସାରି ଫେରି ଯାଉଚି। କାଲି ଠାରୁ ଆମେ ସମସ୍ତେ ସତର୍କ ରହିବା। ସେ ଆସିବାର ଠିକ୍ ଆଗରୁ ବାଲିରେ ଛୋଟ ଛୋଟ ଗାତ କରି ସମସ୍ତେ ଲୁଚିଯିବା । ସେ ଆସି କୌଣସି ମାଛ ନପାଇ ଫେରିଯିବ। ଏମିତି ଯଦି ଆମେ ଦୁଇ ଚାରି ଦିନ କଷ୍ଟ କରି ଠିକ୍ ସେ ଆସିବା ଆଗରୁ ବାଲି ଗାତରେ କିଛି ସମୟ ପାଇଁ ଲୁଚି ଯିବା ଆଉ ସେ ଗଲା ପରେ ବାହାରି ଆସିବା, ସେ ଆମକୁ ଖାଇ ପାରିବ ନାହିଁ। ଆଉ କିଛି ଦିନ ବିନା ଶିକାର ରେ ଫେରିବା ପରେ ସେ ଭାବିବ ବୋଧେ ଏ କଲୋନିର ମାଛ ମନେ ଏ ଜାଗା ଛାଡ଼ି ଆଉ କୁଆଡ଼େ ପଳେଇ ଗଲେଣି। ତା ପରେ ସେ ଆଉ ଏଠିକି ଆସିବା ବନ୍ଦ କରି ଦେବ। ଆମ ଉପରୁ ବିପଦ ଟଳି ଯିବ, ଆମେ ପୁଣି ପୂର୍ବ ଭଳି ହସ ଖୁସିରେ କାଳାତିପାତ କରିବା।

ବୁଦ୍ଧିମାନ ମାଛର କଥା ସଭିଙ୍କ ମନକୁ ପାଇଲା। ପର ଦିନ ସେମାନେ ସେମିତି ହିଁ କଲେ, ଶାର୍କ ମାଛ ଆସିବା ଆଗରୁ ବାଲି ଗାତରେ ଲୁଚି ଗଲେ। ସାରା କଲୋନିରେ ଗୋଟିଏ ବି ମାଛ ନପାଇ ଶାର୍କ ବିଚରା ମୁହଁ ଶୁଖାଇ ଫେରିଗଲା। ସେ ଗଲା ପରେ ସବୁ ମାଛ ଗାତ ମାନଙ୍କରୁ ବାହାରି ଆସିଲେ।

ଏମିତି କିଛି ଦିନ ଚାଲିଲା। ଶେଷକୁ ଶାର୍କ ମନରେ ଭାବିଲା, ବୋଧେ ଆଉ କେହି ବଡ଼ ମାଛ ଆସି ଏ କଲୋନିର ସବୁ ମାଛ ଖାଇ ଦେଇଛି ବା ଏ କଲୋନି ମାଛ ଆଉ କୁଆଡ଼େ ପଳେଇଛନ୍ତି। ସବୁ ଦିନ ଏଠିକି ଆସି ଖାଲି ହାତରେ ଫେରିବା ଅପେକ୍ଷା ନୂଆ ମାଛ କଲୋନି ଠାବ କରିବା ବୁଦ୍ଧିମାନ କାମ ହେବ। ଆଉ ତା’ ପର ଦିନଠୁ ସେ ମାଛ କଲୋନିକୁ ଆସିବା ବନ୍ଦ କରିଦେଲା।

ତୃତୀୟ ଶ୍ରେଣୀ
ସାଉଥ ପଏଣ୍ଟ୍‌ ସ୍କୁଲ
କୋଲକାତା-୧୯

ସମ୍ବନ୍ଧିତ ଖବର