ଅଳସୁଆ ଭୀମ

ତୁମ କାହାଣୀ - ପ୍ରଶାନ୍ତ କୁମାର ନାଥ

ଗୋଟେ ଗାଆଁରେ ଜଣେ ବଡ ବ୍ୟବସାୟୀ ଥିଲେ। ତାଙ୍କର ଚାରୋଟି ପୁଅ ଥିଲେ-ରାମ,ଭୀମ,ଦାମ,ଶାମ। ସମସ୍ତେ ବାପାଙ୍କୁ ବ୍ୟବସାୟରେ ସହଯୋଗ କରନ୍ତି। ଭୀମ କିନ୍ତୁ କେବେବି ବାପାଙ୍କୁ ସାହାଯ୍ୟ କରେନି। ଓଲଟି ସବୁବେଳେ ପଇସା ନେଇ ଖର୍ଚ୍ଚ କରେ। ଅନ୍ୟ ତିନି ଭାଇ ଯେତେ ବୁଝେଇଲେ ବି ଜମା ଶୁଣେନି। ରାମର ବାହାଘର ସରି ଯାଇଥିଲା। ଅନ୍ୟ ଦୁଇ ଭାଇ ମଧ୍ୟ ବିବାହ ବୟସରେ ଉପନୀତ ହୋଇ ସାରିଥିଲେ। ଭୀମ ବାହା ହୋଇ ନଥିବାରୁ ସେମାନେ ମଧ୍ୟ ବାହା ହୋଇ ପାରୁନଥିଲେ। କିନ୍ତୁ ଆଜିକାଲି ଜଣେ ନିଜେ ଆତ୍ମନିର୍ଭରଶୀଳ ନହେଲେ କିଏବା କାହିଁକି ଝିଅ ଦେବ? ସବୁବେଳେ ଘରେ ଅଶାନ୍ତି ଲାଗିରହୁଥିଲା।

ଦିନକୁ ଦିନ ଅଶାନ୍ତି ବଢ଼ିବାରୁ ଆଉ ମଧ୍ୟ ବୟସ ହୋଇଯିବାରୁ ବାପା ଭାବିଲେ ବ୍ୟବସାୟ ଆଉ ସଞ୍ଚିତ ଧନ ସମ୍ପତ୍ତିକୁ ସବୁ ପୁଅମାନଙ୍କୁ ସମାନ ଭାବରେ ବାଣ୍ଟିଦେବେ। ଭିନ୍ନ ଭିନ୍ନ ଚାରୋଟି ଜାଗାରେ ଚାରୋଟି ଦୋକାନ କରି ପୁଅମାନଙ୍କୁ ଦେଇଦେଲେ। ଆଉ ସବୁ ସମ୍ପତ୍ତି ମଧ୍ୟ ସମାନ ଭାବରେ ବାଣ୍ଟିଦେଲେ। ସମସ୍ତେ ନିଜ ନିଜର ବ୍ୟବସାୟ ବୁଝିବା ସହିତ ନିଜ ନିଜର ବ୍ୟବସାୟ ବଢ଼ାଇବାରେ ଲାଗିଲେ। କିନ୍ତୁ ଭୀମ ନିଜେ କିଛି କାର୍ଯ୍ୟ ନକରି ଲୋକମାନଙ୍କ ଦ୍ୱାରା ଦୋକାନ ଚଳାଉଥିଲା। ଆଉ ସନ୍ଧ୍ୟାବେଳେ ଘରକୁ ଆସି ସବୁ ହିସାବ ଦେଇଯିବାକୁ କହୁଥିଲା।

ସମସ୍ତେ ଦିନକୁ ଦିନ ଉନ୍ନତି କରୁଥିବା ବେଳେ ଭୀମର ସବୁବେଳେ କ୍ଷତି ହିଁ ହେଉଥିଲା। କାହିଁକି ନା କେଉଁଠୁ ଜିନିଷ ଆସୁଛି କେତେ ପଇସାରେ ଆସୁଛି ଆଉ କେତେ ପଇସାରେ ବିକ୍ରି ହେଉଛି ତାହା ଭୀମକୁ କିଛି ଜଣା ନଥିଲା।

ଦୋକାନର ଦାୟିତ୍ୱ ନେଇଥିବା ଲୋକଟି ବହୁତ ବୁଦ୍ଧିମାନ ଥିଲା। ଆଉ ନିଜେ ଏକ ଦୋକାନ କରିବା ପରେ ଭୀମ ପାଖରୁ କାମ ଛାଡ଼ି ଦେଇଥିଲା। ଅନ୍ୟକିଛି ଉପାୟ ନପାଇ ଭୀମ ଦୋକାନକୁ ଯିବା ଆରମ୍ଭ କରଦେଲା। କିନ୍ତୁ ଅଳସୁଆ ଭୀମ ଦ୍ୱାରା ଦୋକାନ ସମ୍ଭାଳିବା ସମ୍ଭବ ହେଲାନି। କେତେବେଳେ ଦୋକାନ ଖୋଲିଲା ତ କେତେବେଳେ ବନ୍ଦ ରହିଲା। ଫଳରେ ତା’ର ଗରାଖ ମାନେ ଅନ୍ୟଆଡ଼େ ଚାଲିଗଲେ। ଆଉ ଭୀମ ମଧ୍ୟ ଖାଇ ଖାଇ ଶେଷରେ ନିଜ ଦୋକାନକୁ ବିକିଦେଲା।

ପାଖରୁ ଯେତେବେଳେ ପଇସା ସରିଗଲା ସେ ବହୁତ ହଇରାଣ ହେଲା। ଭାଇମାନଙ୍କ ପାଖରେ ହାତ ପତେଇଲା। କିନ୍ତୁ ଭାଇମାନେ ତା’ର ଗୁଣ ଆଗରୁ ଜାଣିଛନ୍ତି, କିଏବା କାହିଁକି ତାକୁ ସାହାଯ୍ୟ କରିିବ! ଏମିତି କିଛି ଦିନ ଭୋକ ଉପାସରେ ରହିଲା ପରେ ତା’ର ମୁଣ୍ଡରେ ବୁଦ୍ଧି ପଶିଲା ଯେ ଅଳସୁଆ ହୋଇ ବସି ଖାଇଲେ ମଣିଷ ଯେତେ ଧନ ସମ୍ପତ୍ତି ସଞ୍ଚିଥିଲେ ଶୁଦ୍ଧା ନିଅଣ୍ଟ ପଡ଼ିବ। ଶେଷରେ ସାନ ଭାଇ ପାଖରୁ କିଛି ପଇସା ଋଣ ଆକାରରେ ଆଣି ସେ ଗାଆଁ ଗାଆଁ ବୁଲି ବେପାର କଲା।

ସୁନ୍ଦରପୁର,ଯାଜପୁର

ସମ୍ବନ୍ଧିତ ଖବର