କୁମ୍ଭୀର ବନିଲା ବୋକା

ତୁମ କାହାଣୀ - ଶିବ ପ୍ରସାଦ ରାଉତ

ନଈକୂଳରେ ଜାମୁ ଗଛଟାଏ। ବିଲୁଆ ଚାରିଆଡ଼େ ବୁଲୁଛି। ଏଇ ବାଟ ଦେଇ କେତେଥର ଯିବା ଆସିବା କରୁଛି। ହେଲେ ଫଳନ୍ତି ଜାମୁଗଛଟା ତା’ ନଜରକୁ ଆସିନି। ଆହାର ଟିକେ ପାଇଁ କେତେ ବୁଦାକନ୍ଦି ବୁଲିବାକୁ ପଡ଼ୁଛି। ଯଦି ଏକା ଏଇ ଗଛର ପାଚିଲା ଜାମୁକୋଳି ଖାଏ, ତେବେ ତା’ର ଦୁଇମାସ ଖାଦ୍ୟକଷ୍ଟ ରହିବନି। ବିଲୁଆ ଗଛମୂଳରେ ପଡ଼ିଥିବା ବଡ଼ ବଡ଼ ପାଚିଲା କୋଳି ଖାଇଲା। ଆହା! କି ସୁଆଦ! ପେଟେ ଜାମୁକୋଳି ଖାଇ ନଈରୁ ପାଣି ପିଇ ଗଛମୂଳରେ ଟିକେ ଥକ୍କା ନେଲା। ଗଛମୂଳିଆ ନଈ କୂଳିଆ ଧୀର ପବନ, ଛାଡ଼ିଯିବାକୁ ନ ହୁଏ ମନ। ଏଣୁ ବିଲୁଆର ଆଖି ଲାଗିଆସିଲା। ସେ ଆରାମରେ ଶୋଇଗଲା।

ବିଲୁଆର ନିଦ ଚାଉଁକିନା ଭାଙ୍ଗିଗଲା। ତା’ ପଛ ଗୋଡ଼କୁ କିଏ ଗୋଟେ ଜୋର୍‌ରେ ଜାବୁଡ଼ି ଧରିଛି। ସେ ଆଖି ଖୋଲି ଦେଖିଲା ନଈପାଣିରୁ ଅଧା ଉପରକୁ ଉଠି ଆସିଛି ଗୋଟିଏ ବିରାଟ କୁମ୍ଭୀର। ତା’ ଗୋଡ଼କୁ କାବୁ କରି ଧରିଛି ଆଉ ଛାଡ଼ିବାର ନୁହେଁ। ବିଲୁଆ ଜାଣିନେଲା, ତା’ର ମୃତ୍ୟୁ ସୁନିଶ୍ଚିତ। ଏଣୁ କ’ଣ କରିବ କିପରି ନିଜର ଜୀବନ ରକ୍ଷା କରିବ ସେଇ କଥା ଚିନ୍ତା କରିବାରେ ଲାଗିଲା। ହଠାତ୍‌ ତା’ ମୁଣ୍ଡକୁ ଗୋଟେ ବୁଦ୍ଧି ଜୁଟିଲା। ସେ ବିଳମ୍ବ ନ କରି କହିଲା- ‘‘ହେ କୁମ୍ଭୀର ଭାଇ। ତୁମର ସେଇ ରୋଗ ଗଲାନି। ତୁମେ ଯାହା ଦେଖିବ ସେଇ ପାଣି ଭିତରେ। ପାଣି ଉପରକୁ ତୁମ ଆଖି ତ ଖାଲି କାନ୍ଦିଲା, ତୁମେ ଦେଖିବ କିପରି? ଆରେ ଭାଇ ମୋ ଗୋଡ଼ଟାକୁ ନ ଧରି ଜାମୁଗଛର ଚେରଟାକୁ ଧରିଛ କାହିଁକି?’’ କୁମ୍ଭୀର ଭାବିଲା, ମଁୁ ଯଦି ବିଲୁଆ ଗୋଡ଼କୁ ଧରିଥାନ୍ତି, ସେ ଏତେ ସାହସର ସହିତ କଥା କହିପାରିଥାନ୍ତା ନାହିଁ। ଆଉ କ’ଣ ମଁୁ ଭୁଲ୍‌ରେ ତା’ ଗୋଡ଼କୁ ନ ଧରି ଗଛ ଚେରକୁ ଧରିଛି? ସେ ଚଟ୍‌କରି ଗୋଡ଼କୁ ଛାଡ଼ିଦେଲା, ଗଛ ଚେରକୁ ଧରି ପକେଇଲା।

ବିଲୁଆ ଧଡ଼କରି ଉଠିପଡ଼ି ଖଣ୍ଡେ ଦୂରକୁ ଘୁଞ୍ଚି ଆସି କହିଲା- ‘‘ଧରିଥା, ଧରିଥାରେ ପୁଅ, ଖୁବ୍‌ ଜୋର୍‌ରେ ଧରିଥା। ବୁଦୁ କୋଉଠିକାର! ପୁଣି ମୋ ପାଖରେ କୌଶଳ! କୁମ୍ଭୀର ଜାଣିଲା ବିଲୁଆ ତାକୁ ଠକି ଦେଇଛି। ସେ ପ୍ରଥମେ ବିଲୁଆ ଗୋଡ଼କୁ ଧରିଥିଲା। ବିଲୁଆ କଥାରେ ପଡ଼ି ଜାମୁ ଚେରକୁ ଧରିଲା। ନିଜର ବୋକାମୀ ଯୋଗଁୁ ତାକୁ ବଡ଼ ଲାଜ ଲାଗିଲା। ବିଲୁଆକୁ ଆଉ ମୁହଁ ଦେଖାଇ ନ ପାରି ଚଟ୍‌ କରି ପାଣିରେ ବୁଡ଼ିଗଲା।

ବିପଦବେଳେ ଧୈର୍ଯ୍ୟ ନ ହରାଇ ବୁଦ୍ଧି ଖଟେଇବା ଦରକାର।

ଜଗନ୍ନାଥପୁର, ଭଦ୍ରକ

ସମ୍ବନ୍ଧିତ ଖବର