ଥରେ ଜଙ୍ଗଲରେ ନିଆଁ ଲାଗିଗଲା। ଜଙ୍ଗଲର ସମସ୍ତ ପଶୁପକ୍ଷୀ ନିଜ ଜୀବନ ବଞ୍ଚେଇବା ପାଇଁ ବିଲଆଡ଼କୁ ଦୌଡ଼ିବାକୁ ଲାଗିଲେ। ସମସ୍ତେ ଦେଖଣାହାରି ସାଜି ନିଜର ପ୍ରିୟ ବାସସ୍ଥାନକୁ ଜଳୁଥିବା ଦେଖୁଥିଲେ। ଏଥିରେ ବାଘ,ଭାଲୁ ଓ ହାତୀଠାରୁ ଆରମ୍ଭକରି ସମସ୍ତ ପକ୍ଷୀମାନେ ମଧ୍ୟ ରହିଥିଲେ। ଏଇ ସମୟରେ କୋଇଲିଟି ନିଜ କୁନି ଥଣ୍ଟରେ ପାଖ ଝରଣାରୁ କିଛି କିଛି ପାଣି ନେଇ ନିଆଁ ଲିଭାଇବାକୁ ଚେଷ୍ଟା କରୁଥିଲା। ଏହି ଦୃଶ୍ୟଦେଖି ଜଙ୍ଗଲର ଜନ୍ତୁମାନେ କୋଇଲିକୁ ଥଟ୍ଟା କରିବା ଆରମ୍ଭ କରିଦେଲେ। ହାତୀ ମୁହଁରୁ ବାହାରି ପଡ଼ିଲା ତୋର ଏଇ ଟୋପେ ଦୁଇଟୋପା ଜଳରେ କ’ଣ ଜଙ୍ଗଲର ନିଆଁ ଥମିଯିବ? କାହିଁକି ସେ ବୃଥା ଚେଷ୍ଟା କରୁଛୁ ! ଲୋକହସା ହେବା ହିଁ ସାର ।
କୋଇଲି କୋମଳ ସ୍ବରରେ କହିଲା ,ଗଜରାଜ ! ମୁଁ ଜାଣିଛି , ପାଣିରେ ହିଁ ନିଆଁ ଥମିଥାଏ। ତେଣୁ ମୁଁ ଜଙ୍ଗଲର ଗଛଲତା ଉପରେ ପାଣି ଢାଳିବା କାମ କରୁଛି। ମୋର ତ ତୁମ ଭଳିଆ ଶୁଣ୍ଢ ନାହିଁ ଯେ ଏକା ଥରକେ ପାଣି ଆଣି ବହୁତ ଗଛକୁ ନିଆଁ ଦାଉରୁ ରକ୍ଷା କରି ପାରିବି। କାଲି ଯେତେବେଳେ ଏ ମଣିଷ ଜାତି ଜଙ୍ଗଲରେ ନିଆଁ ଲାଗିବାର ଇତିହାସ ଲେଖିବ, ନିଆଁ ଲିଭାଇବାର ପ୍ରୟାସରେ ଆମ ଟିକି ଚଢ଼େଇମାନଙ୍କ ନାମ ଲେଖା ହୋଇ ରହିବ। ମଣିଷର ପର ପିଢ଼ି ଏହି କାହାଣୀକୁ ପଢ଼ି ଜାଣିବ ଯେ ଜଙ୍ଗଲରେ ହାତୀଭଳି ବିରାଟ ଜୀବ ଥାଉ ଥାଉ ନିଆଁ ଲିଭାଇବାର କୌଣସି ଚେଷ୍ଟା କଲେ ନାହିଁ। ଯାହାଫଳରେ ଜଙ୍ଗଲରେ ଥିବା ଜୀବଜନ୍ତୁ ଲୋପ ପାଇଗଲେ। ସେମାନେ ଏଥି ପାଇଁ ଆମଭଳି ଟିକି ଚଢ଼େଇମାନଙ୍କ ପାଣି ଢାଳିବାର ଛୋଟ ପ୍ରୟାସକୁ ପ୍ରଶଂସା କରିବେ, ତୁମ ଭଳି ନିନ୍ଦିବେ ନାହିଁ। ଇତିହାସର ସ୍ବର୍ଣ୍ଣାକ୍ଷରରେ ଆମ କୋଇଲି ଜାତିର ପ୍ରଚେଷ୍ଟା ସବୁଦିନ ପାଇଁ ଲେଖା ହୋଇ ରହିବ। କୋଇଲିର ଏଇ କଥା ଗଜରାଜଙ୍କ ମନକୁ ପାଇଲା। ସେ ସେଇ ବିଲରେ ଥାଇ ହାତୀ ଭାଇମାନଙ୍କୁ ଡାକିବା ପାଇଁ ଗର୍ଜନ ଛାଡିଲା। ଚାହୁଁ ଚାହୁଁ ଛୋଟ ବଡ଼ ମିଶି ହଜାରରୁ ଅଧିକ ହାତୀ ଆସି ପହଞ୍ଚି ଗଲେ। ସମସ୍ତେ ପାହାଡ଼ ତଳ ପାଖ ଝରଣାରୁ ଶୁଣ୍ଢରେ ପାଣି ଆଣି ପିଚକାରି ମାରି ଗଛ ଉପରେ ପକେଇବାକୁ ଲାଗିଲେ। ଚାହୁଁ ଚାହୁଁ ଜଙ୍ଗଲରୁ ନିଆଁ ଲିଭିଗଲା। ଜଙ୍ଗଲର ସମସ୍ତ ପଶୁପକ୍ଷୀ କୋଇଲିର ପ୍ରଶଂସା କଲେ ଓ ଗଜରାଜଙ୍କ ଜୟଗାନ କଲେ ।
ଅଷ୍ଟମ ଶ୍ରେଣୀ
କେଜିଏନ୍ ହାଇସ୍କୁଲ, କାକଟପୁର,ପୁରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/story.jpg)