ବନ୍ଧୁତା ଗଢ଼ିବା ଗୁଣ ପରଖି

ତୁମ କାହାଣୀ - ଦେବେନ୍ଦ୍ର କର

ଈଶାନେଶ୍ୱର ଗ୍ରାମରେ ମୁକ୍ତିକାନ୍ତ ନାମରେ ଜଣେ ଜମିଦାର ଥିଲେ। ସେ ଦୟାଳୁ ଓ ଶାନ୍ତ ସ୍ବଭ‌ାବର ମଣିଷ । ଜମିଦାର ନିଜର ଏକମାତ୍ର ପୁତ୍ର ପ୍ରିୟବ୍ରତର କାର୍ଯ୍ୟକଳାପରେ ଆଦୌ ସନ୍ତୁଷ୍ଟ ନଥିଲେ। ସାଙ୍ଗସାଥୀଙ୍କ ସହିତ ଖିଆପିଆ ବୁଲାବୁଲିରେ ପ୍ରିୟବ୍ରତ ର ପୂରା ଦିନ ବିତି ଯାଉଥିଲା। ଅନେକ ସମୟରେ ପ୍ରିୟବ୍ରତ ବନ୍ଧୁ ଗୃହରେ ରାତ୍ରିଯାପନ କରୁଥିଲା। ବନ୍ଧୁମାନଙ୍କୁ ଘଡ଼ିଏ ନ ଦେଖିଲେ ପାଗଳଙ୍କ ପରି ଆଚରଣ କରୁଥିଲା। ଘର ଖାଦ୍ୟ ତା’କୁ ଆଗପରି ଆଉ ରୁଚୁ ନଥିଲା। ମଉଜ ମଜଲିସରେ ଦିନ କାଟିବା ଧୀରେ ଧୀରେ ପ୍ରିୟବ୍ରତର ଅଭ୍ୟାସରେ ପରିଣତ ହୋଇଗଲା। ସେ ଦିନକ ପାଇଁ ଘର ଦାୟିତ୍ୱ ନେଉ ନଥିଲା କି ନିଜ ପିତାଙ୍କୁ ତାଙ୍କ କାମରେ କେବେ ସାହାଯ୍ୟ ସହଯୋଗ କରୁଥିଲା। ପ୍ରିୟବ୍ରତ ସମୟର ମହତ୍ତ୍ୱ ବୁଝୁ ନଥିବାରୁ ଉଭୟ ପିତାମାତା ଚିନ୍ତିତ ରହୁଥିଲେ। ଅନେକ ପ୍ରକାର ବୁଝେଇଲା ପରେ ବି ତା’ର ସ୍ବଭାବରେ ସାମାନ୍ୟ ବି ପରିବର୍ତ୍ତନ ହେଉ ନଥାଏ।

ଦିନେ ଜମିଦାର ଏ ବାବଦରେ ଜଣେ ସନ୍ଥଙ୍କଠାରୁ ପରାମର୍ଶ ନେଲେ। ସବୁକଥା ଶୁଣି ସନ୍ଥ କହିଲେ ଦିନେ ପ୍ରିୟବ୍ରତ କୁ ମୋ ପାଖକୁ ପଠାନ୍ତୁ ମୁଁ ଏହାର ସମାଧାନର ବାଟ କାଢ଼ିବି। ପିତାଙ୍କ ଆଦେଶ ପାଇ ପ୍ରିୟବ୍ରତ ଦିନେ ସନ୍ଥଙ୍କ ନିକଟରେ ପହଞ୍ଚିଲା। ପ୍ରିୟବ୍ରତ ସନ୍ଥଙ୍କ ପାଦସ୍ପର୍ଶ କରି ପ୍ରଣାମ କଲା। ସନ୍ଥ ପ୍ରିୟବ୍ରତକୁ ନିଜ କୁଟୀର ପଛପଟକୁ ଡାକିନେଇ ତିନୋଟି ଅନାବନା ଗଛକୁ ଦେଖାଇଲେ। ଗୋଟିଏ ଛୋଟ ଆଉ ଗୋଟିଏ ତା’ଠାରୁ ଟିକେ ବଡ଼ ଆଉ ଅନ୍ୟଟି ଆଉଟିକେ ବଡ଼।

ସନ୍ଥ କହିଲେ ଏବେ ମତେ ତୁମେ ତିନିଟିଯାକ ଗଛ ଉପାଡ଼ିକି ଦିଅ। ପ୍ରିୟବ୍ରତ ସଙ୍ଗେ ସଙ୍ଗେ ଛୋଟ ଗଛଟିକୁ ଉପାଡ଼ି ଦେଲା। ଦ୍ବିତୀୟ ଗଛଟିକୁ ସାମାନ୍ୟ ବଳ ପ୍ରୟୋଗ କରିବାକୁ ପଡ଼ିଲା। ହେଲେ ବଡ଼ ଗଛଟିକୁ ଆଦୌ ଉପାଡ଼ି ପାରିଲା ନାହିଁ। ସନ୍ଥ କହିଲେ ଶେଷ ଗଛଟିକୁ ଉପାଡ଼ି ପାରିଲନି କାରଣ ମାଟି ଓ ଗଛର ବନ୍ଧୁତା ତୁମ ବଳ ଠାରୁ ଅଧିକ ଶକ୍ତ ଥିଲା। ମଣିଷ ସମାଜରେ ବି ବନ୍ଧୁତାର ଦୃଢ଼ତା ଅବିକଳ ମାଟି ଓ ଗଛ ପରି। ଜୀବନରେ ବନ୍ଧୁତାର ଆବଶ୍ୟକତା ତ ରହିଛି ହେଲେ ବନ୍ଧୁତା ଆଢୁଆଳରେ ନିଜ କର୍ତ୍ତବ୍ୟକୁ ଏଡ଼ାଇ ଦେବା ଆଦୌ ଗ୍ରହଣୀୟ ନୁହେଁ। ସୁଗୁଣରେ ପରିପୂର୍ଣ୍ଣ ବନ୍ଧୁଟି ଜୀବନର ମାର୍ଗକୁ ପ୍ରଶସ୍ତ କରେ ଆଉ ଦୁଷ୍ଟ ପ୍ରକୃତିର ବନ୍ଧୁ ଜୀବନକୁ ନର୍କରେ ପରିଣତ କରିଦିଏ। ସମୟକ୍ରମେ ଦୁଷ୍ଟ ପ୍ରକୃତିର ବନ୍ଧୁଠାରୁ ହାତ ଛଡ଼ାଇବା କାଠିକର ପାଠ। ଏଣୁ ଗୁଣ ପରଖି ବନ୍ଧୁତ୍ୱ ଗଢ଼ିବା ନିହାତି ଜରୁରି। ପ୍ରିୟବ୍ରତ ନିଜ ଭୁଲ ସ୍ୱୀକାର କରି ସନ୍ଥଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ। ଧୀରେ ଧୀରେ ପୁରୁଣା ସାଙ୍ଗସାଥୀଙ୍କ ଠାରୁ ଦୂରେଇ ଉଭୟ ଗୃହକାର୍ଯ୍ୟ ଓ ପିତାଙ୍କର ଦାୟିତ୍ୱ ନିଜ କାନ୍ଧକୁ ନେବାକୁ ଲାଗିଲେ।

ଜମିଦାର ମୁକ୍ତିକାନ୍ତ ପୁତ୍ରର ମନ ପରିବର୍ତ୍ତନ ହୋଇ ଥିବାରୁ ସନ୍ଥଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କଲେ।

ମଙ୍ଗଳାବାଗ, ନିୟୋଗି କଲୋନୀ,
କଟକ-୧

ସମ୍ବନ୍ଧିତ ଖବର