ଜହ୍ନ ନିଜର ଭୁଲ୍‌ ବୁଝିଲା

ତୁମ କାହାଣୀ - ହସିନା ବିବି

କଳା କିଟିକିଟି ଅନ୍ଧାରରେ ଆକାଶ ଲୁଚିଯାଏ। କିନ୍ତୁ କେବେ ସେ ତା’କୁ ଘୃଣା କରୁନଥିଲା। ଅନ୍ଧାର ମାଡ଼ିଆସିବା ସହିତ ଆଲୁଅର ପ୍ରଭାବ କମିଯାଉଥିଲା। ଠିକ୍‌ ଏତିକିବେଳେ ଆକାଶ ଛାତିକୁ ଡିଆଁମାରିଲା ଜହ୍ନ। ଜହ୍ନକୁ ଦେଖି ଖୁସି ହୋଇଗଲା ଆକାଶ। ଅନ୍ଧାର ବି ଏଥିରେ ଖୁସିହେଲା। ସେ ଖୁସିରେ ଡାକଛାଡ଼ିଲା- ଜହ୍ନମାମୁ, ଟିକିଏ ରହିିଯାଅ ମ! ତୁମ ରୁପା ଦେହଟିକୁ ମୁଁ ଟିକିଏ ମନଭରି ଦେଖିବି।

ହେଲେ ଏ କ’ଣ! ଅନ୍ଧାରର କଥା ଶୁଣି ଜହ୍ନ ମୁହଁ ଲୁଚାଇଦେଲା। କହିଲା- ଆରେ ହେ ଅନ୍ଧାର! ସାହସ ତ ତୋର କିଛି କମ୍‌ ନୁହେଁ। ଆଇନାରେ ନିଜ ଚେହେରା କେବେ ଦେଖିଛୁ ଟି! ଛିଃ ଛିଃ… କି କଳା ସାଲୁବାଲୁ ଦେହ। ତୁ ମୋ ପାଖକୁ ଆସେନା। ତା ନ ହେଲେ ତୋ ଛୁଆଁରେ ମୋ ଦେହ ବି କଳା ହୋଇଯିବ। ଯା ଭାଗ୍‌, ପଳା ଏଠୁ।

ଜହ୍ନର ଏ କଥାପଦିକ ଅନ୍ଧାରକୁ ଭାରି ବାଧିଲା। ତଥାପି ସେ ନରମଗଳାରେ କହିଲା- ହେଇଟି ଜହ୍ନମାମୁ, ମୋ ଶକ୍ତି ବିଷୟରେ ତୁମକୁ କିଛି ଜଣାନାହିଁ ବୋଧେ। ସେଇଥିପାଇଁ ଏମିତି କହୁଛ। ଅନ୍ଧାର କଥାଶୁଣି ଜହ୍ନ କିଛି ନ କହି ମୁହଁମୋଡ଼ି ଚାଲିଗଲା। ରାତି ବଢ଼ୁଥାଏ। ସକାଳ ହେଲା ବେଳକୁ ଅନ୍ଧାର କ’ଣ କଲାନା ଆକାଶରୁ ହଟିଗଲା। ପୃଥିବୀରୁ ନିଜକୁ ପୋଛି ନେଇଗଲା। ଏହାପରେ ଦେଖାଗଲା, ଚାରିଆଡ଼େ ଖାଲି ଆଲୁଅ ଆଉ ଆଲୁଅ। ସେଇ ଆଲୁଅରେ ଜହ୍ନ ଲିଭିଗଲା। ତା’ ରୁପାର ଆଲୁଅ ଆଉ ଝଲସିଲା ନାହିଁ। ଜହ୍ନ ଏକଦମ ଫିକା ପଡ଼ିଗଲା। ଆକାଶରେ ଜହ୍ନଟିଏ ଅଛି ବୋଲି ଜଣାପଡ଼ିଲା ନାହିଁ। ନିଜ ସୁନ୍ଦର ରୂପଟା ଲିଭିଯିବାରୁ ଜହ୍ନ ମୁହଁ ଶୁଖାଇଦେଲା।

ଆକାଶରେ ଭାସି ବୁଲୁଥିଲା ଖଣ୍ଡେ କଳାମେଘ। ସେ ଦୁହିଙ୍କ କଥା ଟିକିଏ ଆଗରୁ ଶୁଣିଥିଲା। ଜହ୍ନ ମୁହଁ ଶୁଖାଇ ବସିଥିବାର ଦେଖି ସେ ପାଟି ଖୋଲିଲା- ‘‘ଜହ୍ନରେ, ତୁ ଅନ୍ଧାରକୁ ଅପମାନ ଦେଇ କିଛି ଠିକ୍‌ କରିନୁ। ଏବେ ଦେଖିଲୁ ତ ତା’ର ପରିଣାମ। ଅନ୍ଧାର ବିହୁନେ ତୁ କେମିତି ତୋ ଆଲୁଅ ଟିକକ ବି ହରାଇ ବସିଛୁ! ଏମିତି ହେଲେ ତୋ ପାଖରେ ସୁନ୍ଦର ରୂପ ଥାଇ ମଧ୍ୟ କିଛି ଲାଭ ନାହିଁ କି କେହି ତୋତେ ଭଲ ପାଇବେ ନାହିଁ। ଏଣୁ ଅନ୍ଧାର ହିିଁ ତୋର ସାହାଭରସା।

କଳାମେଘର କଥାଶୁଣି ଜହ୍ନ ନିଜର ଭୁଲ ବୁଝିପାରିଲା। ସେ ବିକଳ ହୋଇ ଅନ୍ଧାରକୁ ଡାକିଲା। ନିଜ ଭୁଲପାଇଁ କ୍ଷମା ମାଗିଲା। ଜହ୍ନର କଥାରେ ଅନ୍ଧାରର ହୃଦୟ ତରଳିଗଲା। ସେ ଉତ୍ତର ଦେଲା- ଯିବି ଯେ, ଏବେ ନୁହେଁ। ସଂଜବେଳେ ଯିବି।

ସଂଜହେଲା। ଅନ୍ଧାର ଚାହୁଁ ଚାହୁଁ ଆକାଶ-ପୃଥିବୀକୁ ଛାଇଗଲା। ଘନ ଅନ୍ଧାର ଭିତରେ ଏଥର ନିଜର ସୁନ୍ଦର ମୁହଁଟି ଜହ୍ନ କାଢ଼ିଲା।

ଶେଖ୍‌ ବଜାର, କଟକ

ସମ୍ବନ୍ଧିତ ଖବର