ଖରାଛୁଟିରେ ସିମୁଲ ସହରରୁ ଅଜା ଘର ଗାଁକୁ ବୁଲିବାକୁ ଯାଏ। ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଗଲା। ଅଜା ଘର ପାଖରେ ଛୋଟ ନଦୀ ଟିଏ ଅଛି। ସାଙ୍ଗମାନଙ୍କ ସହିତ ସିମୁଲ ସେଇଠି ଗାଧୁଆ ପାଧୁଆ କରେ। ଅନ୍ୟ ସାଙ୍ଗମାନେ ପହଁରିବାରେ ଓସ୍ତାଦ , କାରଣ ସେମାନେ ବର୍ଷ ସାରା ସେଇଠି ଗାଧୁଆ ପାଧୁଆ କରନ୍ତି। ହେଲେ ସିମୁଲ ଅଳ୍ପ ଦିନ ପାଇଁ ଆସେ। ସହରରେ ତ ନଦୀ ପୋଖରୀରେ ଗାଧେଇବାର ବ୍ୟବସ୍ଥା ନାହିଁ, ତେଣୁ ତାକୁ ଏ ଯାଏ ପହଁରା ଆସିନାହିଁ।
ଏଥର ମନେ ମନେ ସ୍ଥିର କରିଥିଲା ଯେମିତି ହଉ ପହଁରା ଶିଖିବ। ନିଜ ସାଙ୍ଗ ମାନଙ୍କୁ ମନ କଥା ଖୋଲି କହିଲା। ସେମାନେ ରାଜି ହେଇଗଲେ। ପ୍ରଥମ ଦିନ ନଦୀ ତୁଠ ପାଖା ପାଖି ଅଳ୍ପ ପାଣିରେ ପହଁରା ଆରମ୍ଭ ହେଲା। ସିମୁଲକୁ ପ୍ରଥମେ ପ୍ରଥମେ ଭାରି ମଜା ଲାଗିଲା। ଆଉ ଧୀରେ ଧୀରେ ଅଳ୍ପ ବହୁତ ପହଁରା ଶିଖିଗଲା। ଖରା ଛୁଟି ଭିତରେ ହୋଲି ପଡ଼ିଲା , ସାଙ୍ଗମାନଙ୍କ ସହିତ ସିମୁଲ ଖୁବ ରଙ୍ଗ ଖେଳିଲା। ଗାଧେଇବା ପାଇଁ ପିଲେ ନଦୀକୁ ଗଲେ। ଗାଧୁଆ ସାଙ୍ଗରେ ପହଁରା ବି ଚାଲିଲା। ଅଜାଣତରେ ସିମୁଲ କେତେବେଳେ ଗହୀର ପାଣିକୁ ଚାଲି ଯାଇଥିଲା ଜାଣି ପାରିଲାନି। ଖଣ୍ଡି-ପହଁରା କାମ ଦେଲାନି, ତେଣୁ ଚିତ୍କାର କଲା - ବଞ୍ଚାଅ, ବଞ୍ଚାଅ। ପାଖରେ ଗାଧୋଉଥିବା ସାଙ୍ଗମାନେ ତା ପାଖକୁ ଯାଇ କୂଳକୁ ଟାଣି ଆଣିଲେ। ସିମୁଲର ଅଜା ବି ପାଟି ତୁଣ୍ଡ ଶୁଣି ଦୌଡ଼ି ଆସିଲେ। ସିମୁଲ ସେତେବେଳକୁ ପେଟେ ପାଣି ପିଇ ସାରିଥାଏ। ତା ପେଟକୁ ଚାପି ସାଙ୍ଗ ମାନେ ପାଣି ବାହାର କଲା ପରେ ସିମୁଲ ଧୀରେ ଧୀରେ ସୁସ୍ଥ ହେଲା । ଘରକୁ ଆସିଲା ପରେ ଆଈଙ୍କ ସେବା ଯତ୍ନ ପରେ ସେ ପୂରା ଠିକ ହେଇଗଲା।
ସଞ୍ଜବେଳକୁ ଅଜା ପାଖକୁ ଡାକି କହିଲେ - ତୁ ଜାଣିନୁ କି , ଅଳ୍ପ ବିଦ୍ୟା ଭୟଙ୍କର ବୋଲି। ତୁ ଏଯାଏ ଭଲକି ପହଁରା ଶିଖିନୁ, ଗହୀର ପାଣିକୁ କାହିଁକି ଯାଉଥିଲୁ? ସିମୁଲ କହିଲା - ମୁଁ ଭାବିଲି ବୋଧେ ପହଁରା ଶିଖିଗଲିଣି, ତେଣୁ ଯେତେ ପାଣିକୁ ଗଲେ ବି ପହଁରି ପାରିବି। ସେଥିପାଇଁ ଅଧିକ ପାଣିକୁ ଚାଲିଗଲି। ହେଲେ ଏବେ ମୋ ଭୁଲ ବୁଝି ପାରିଲି। କୌଣସି ବିଷୟରେ ଭଲ ଭାବେ ନ ଜାଣି, ନ ଶିଖି ସେ ବିଷୟରେ ବେଶି ଦୂର ଆଗେଇଯିବା ଭୁଲ। ଗଲେ, ଅସୁବିଧା ରେ ପଡ଼ିବା ନିଶ୍ଚିତ।
ଅଜା ଖୁସି ହୋଇ କହିଲେ-
‘‘ବୁଝି ବିଚାରି କାମ କଲେ, ବିପଦ ନ ପଡ଼ଇ ଭଲେ।’’
ତୃତୀୟ ଶ୍ରେଣୀ, ସାଉଥ ପଏଣ୍ଟ ସ୍କୁଲ
କୋଲକାତା