ନୂଆ ବର୍ଷର ନୂଆ ସାଥୀ

ତୁମ କାହାଣୀ - ସମର୍ପିତା ପାଣିଗ୍ରାହୀ

ସୁନି, ରାନୀ, ମୀରା, ଆଉ ପରୀ ଚାରି ସାଙ୍ଗ ଥିଲେ। ସଭିଏଁ ପାଠରେ ଖୁବ ଆଗୁଆ। ମିଳିମିଶି ସବୁ କାମ କରନ୍ତି ବୋଲି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କର ଭାରି ପ୍ରିୟ। ବାପା -ମାଆମାନଙ୍କ ଭିତରେ ମଧ୍ୟ ଭାରି ଭଲ ସମ୍ପର୍କ। ପାର୍କ ପାଖରେ ରୁହେ ସୀମା। ସେ ଏମାନଙ୍କ ସହିତ ସାଙ୍ଗହେବାକୁ ଚାହେଁ କିନ୍ତୁ ଭଲ ପାଠ ପଢ଼ୁ ନ ଥିବାରୁ ମୀରା ସୀମାକୁ ଜମାରୁ ଭଲ ପାଏନା। ମଧ୍ୟାହ୍ନ ବିରତି ସମୟରେ ଚାରିଜଣ ମିଶି ଏକାଠି ଖାଉଥାଆନ୍ତି। ସୀମା ପାଖକୁ ଆସିବା ଦେଖି ମୀରା ମୁହଁ ବୁଲାଇ ଦେଲା। ସୀମା ଅଳ୍ପ ଦୂରରେ ବସି ଏକା ଏକା ଖାଇଲା। ସୁନି କହୁଥିଲା, ପରୀକ୍ଷା ତ ସରିଲା ଆଗକୁ ନୂଆବର୍ଷ ଆସୁଛି। କାଲି ଘରେ କହି ପାର୍କ ଗଲେ କେମିତି ହୁଅନ୍ତା? ସମସ୍ତଙ୍କ ମନକୁ କଥାଟା ପାଇଲା। ସ୍କୁଲ ଘଣ୍ଟି ବାଜିବାରୁ ସମସ୍ତେ ଶ୍ରେଣୀକୁ ଗଲେ।

ସ୍କୁଲରୁ ଫେରିଲା ପରେ ସୀମା ବାପାଙ୍କୁ କହି ପାର୍କ ବାହାରିଲା। ସୀମା ଦେଖିଲା ଚାରି ସାଙ୍ଗ ଭାରି ମଜା କରୁଛନ୍ତି। ଜଣେ ଦୋଳି ଖେଳିଲେ ଅନ୍ୟଜଣେ ତାକୁ ଝୁଲାଉଛି। ସୀମା ତାଙ୍କ ପାଖକୁ ଗଲା ମୀରା ଝୁଲୁଥିବା ଦୋଳିକୁ ଟିକେ ଝୁଲାଇ ଦେଲା। ମୀରାକୁ ଏ ସବୁ ଭଲ ଲାଗିଲା ନାହିଁ। ମନେ ମନେ ରାଗିଲା ସୁନି ଉପରେ। ସମସ୍ତଙ୍କୁ ଡାକି ବୋଟିଂ କରିବାକୁ ଚାଲିଲା। ସୀମା ବି ସାଥିରେ ଥାଏ। ଘାଟରେ ପହଞ୍ଚି ମୀରା ରୋ୍‌କଠୋକ୍‌ କହିଦେଲା, ସୀମା! ତୁ ଆସୁଛୁ କାହିଁକି? ବୋଟ୍‌ରେ ତ ଆମେ ଚାରିଜଣ ବସିବୁ।

ଚାରିଜଣ ବୋଟିଂ କରି ଭାରି ଖୁସି ହେଉଛନ୍ତି। ତାଙ୍କ ଖୁସି ଦେଖି ସୀମା କୂଳରେ ବସି ବି ଖୁସି ହେଉଛି। ହଠାତ ପରୀ ହାତରୁ ଖସିଯିବାକୁ ଥିବା ମୋବାଇଲକୁ ଧରିବାକୁ ଯାଇ ମୀରା ପାଣିକୁ ଖସି ଗଲା। ବୋଟକୁ ଧରି ଝୁଲି ରହିଥାଏ। ସୁନି, ପରୀ ଆଉ ରାନୀ ଜୋରରେ ଡାକୁଥାନ୍ତି। ହେଲେ ଗହଳି ଭିତରେ କେହି ଶୁଣି ପାରିଲେ ନାହିଁ। କୂଳରେ ବସି ଏ ସବୁ ଦେଖୁଥିବା ସୀମା ଦୌଡ଼ିଯାଇ ଟିକେଟ ବିକ୍ରି କରୁଥିବା ପିଲାକୁ କହିଲା। ସେ ଶୀଘ୍ର ଯାଇ ମୀରାକୁ ପାଣିରୁ କାଢ଼ି ଆଣିଲା। ଶୀତରେ ମୀରା ଥରୁଥାଏ, ତା ସହିତ ଅନ୍ୟ ତିନିଜଣ ଥରୁଥାନ୍ତି ଭୟରେ। ସୀମା ପାଖକୁ ଆସି କହିଲା, ବ୍ୟସ୍ତ ହୁଅ ନାହିଁ। ଆମ ଘର ପାଖରେ ଅଛି। ଆସ ସେଠାକୁ ଯିବା। ଫୋନ୍‌ କରି ଘରେ ଜଣାଇ ଦିଅ।

ସୀମା ଘରେ ମୀରା ଓଦା ଡ୍ରେସ୍‌ କାଢ଼ି ସୀମାର ଶୁଖିଲା ଡ୍ରେସ୍‌ ପିନ୍ଧିଲା। ସୀମା ମୀରାର ହାତ ପାଦରେ ସୋରିଷ ତେଲ ମାଲିସ କଲା। ସୀମାର ମାଆ ମୀରାର ମୁଣ୍ଡ ବାଳକୁ ତଉଲିଆରେ ପୋଛି ଶୁଖାଉ ଥିଲେ। ମୀରା ଘରୁ ତା’ ବାପା ଆସିବାରୁ ସେମାନେ ଘରକୁ ବାହାରିଲେ।

ନୂଆ ବର୍ଷ ଦିନ ସାଥିରେ ହାତ ତିଆରି ଏକ ସୁନ୍ଦର ଗ୍ରୀଟିଙ୍ଗ୍‌ କାର୍ଡ ଧରି ଚାରିଜଣ ସାଙ୍ଗ ସୀମା ଘରେ ହାଜର। ମୀରା ସୀମାକୁ କୁଣ୍ଢାଇ ଧରି କହିଲା ତୁ’ ଆଜିଠାରୁ ଆମର ନୂଆ ବର୍ଷର ନୂଆ ସାଥୀ।

ଅଷ୍ଟମ ଶ୍ରେଣୀ
ମଡ଼ର୍ଣ୍ଣ ଇଂରାଜୀ ବିଦ୍ୟାଳୟ
ଜୟପୁର, କୋରାପୁଟ

ସମ୍ବନ୍ଧିତ ଖବର