ଶାନ୍ତି ନଗରରେ ଜଣେ ସାଧୁ ଥିଲେ। ଦିନେ ରାସ୍ତାରେ ଯାଉଥିବା ବେଳେ ଟଙ୍କାଟିଏ ପାଇଲେ। ଆଖପାଖରେ ଥିବା ସମସ୍ତଙ୍କୁ ପଚାରିଲେ, ଟଙ୍କାଟି କାହାର? ହେଲେ ସମସ୍ତେ ମନା କରିଦେଲେ। ଲୋକଙ୍କ ସଚ୍ଚୋଟପଣିଆ ଦେଖି ସାଧୁ ଅତି ଖୁସି ହେଲେ। କୌଣସି ଦରିଦ୍ର ଦେଖିଲେ, ଏହି ଟଙ୍କାଟି ତାଙ୍କୁ ଦେଇଦେବେ। ଏହା ଭାବି ନିଜ ମୁଣିରେ ପଇସା ରଖିଲେ। ହେଲେ ଶାନ୍ତି ନଗରରେ ସମସ୍ତେ ପରିଶ୍ରମୀ ଥିବାରୁ ଜଣେ ହେଲେ ଦରିଦ୍ର ବ୍ୟକ୍ତି ପାଇଲେ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଗୋଟିଏ ଦିନ ସାଧୁ ଜଣକ ଦେଖିଲେ, ସୈନ୍ୟ-ସାମନ୍ତ ଧରି ରାଜା ବିରାଟ ପଟୁଆର ନେଇ ବାହାରିଛନ୍ତି। ଆଶ୍ରମରୁ ବାହାରି ଜଣେ ସୈନ୍ୟକୁ ପଚାରିଲେ। ରାଜା କୁଆଡ଼େ ବାହାରିଛନ୍ତି। ସୈନ୍ୟ ଜଣକ କହିଲେ, ଆମ ରାଜା ପଡ଼ୋଶୀ ରାଜ୍ୟକୁ ଆକ୍ରମଣ କରିବାକୁ ଯାଉଛନ୍ତି। ଏହି କଥାବାର୍ତ୍ତା ଭିତରେ ରାଜା ସାଧୁଙ୍କ ପାଖକୁ ଆର୍ଶୀବାଦ ନେବା ପାଇଁ ଆସି ଯାଇଥିଲେ। ରାଜା, ସାଧୁଙ୍କୁ ନମସ୍କାର କରି କହିଲେ, ହେ ସାଧୁ ମୋତେ ଯୁଦ୍ଧରେ ବିଜୟୀ ହେବା ପାଇଁ ଆର୍ଶୀବାଦ କରନ୍ତୁ। ମୋ ରାଜ୍ୟ ଆହୁରି ବିସ୍ତାର ହେବ। ସାଧୁ ମୁଣିରୁ ସେହି ଟଙ୍କାଟି ବାହାର କରି ରାଜାଙ୍କ ହାତକୁ ବଢ଼ାଇ ଦେଲେ। ଏହା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ସାଧୁ ମହାରାଜ ମୁଁ ଏ ଦେଶର ରାଜା। ଅଚଳାଚଳ ସମ୍ପତିର ମାଲିକ। ଟଙ୍କାଟିଏ ଦେଇ ଆପଣ କ’ଣ କହିବାକୁ ଚାହୁଁଛନ୍ତି।
ସାଧୁ ଜଣକ ଅତି ବିନମ୍ର ଭାବରେ କହିଲେ, ଦୀର୍ଘ ଦିନ ହେବ ମଁୁ ଜଣେ ଦରିଦ୍ର ଖୋଜୁଥିଲି। ରାସ୍ତାରୁ ମିଳିଥିବା ଏହି ଟଙ୍କାକୁ ଦାନ କରିବା ପାଇଁ। ଭାବୁଛି ଆପଣ ହେଉଛନ୍ତି ସେହି ଦରିଦ୍ର ବ୍ୟକ୍ତି ଯିଏ ଏହି ଟଙ୍କାର ଅସଲ ହକ୍ଦାର। ରାଜା ସାଧୁଙ୍କ କଥା ବୁଝି ପାରିଲେ ନାହିଁ। ସାଧୁ ଜଣକ କହିଲେ ସବୁ ଥିବା ସତ୍ତ୍ବେ ଆଉ ଗୋଟିଏ ରାଜ୍ୟ ଅଧିକାର କରିବାକୁ ଆପଣ ଆତୁର। ରାଜା ସାଧୁଙ୍କ କଥାର ମର୍ମ ବୁଝି ପାରି ନିଜ ରାଜବାଟୀ ଫେରିଗଲେ।
ଝାରପଡ଼ା, ଭୁବନେଶ୍ବର