ଥରେ ଗୋଟେ ସୁନ୍ଦରୀ ନାମକ ଗାଈ ପଡ଼ିଆେର ଚରୁ ଚରୁ ବାଟବଣା ହୋଇ ଜଙ୍ଗଲରେ ପଶିଗଲା। ହଠାତ୍ ଦେଖିଲା ତା ସାମନାରେ ଗୋଟେ ବାଘ ଆସି ଠିଆ ହୋଇଛି। ସୁନ୍ଦରୀକୁ ଦେଖି ବାଘ କହିଲା, ମୁଁ ତୋତେ ଖାଇବି। ସୁନ୍ଦରୀ ଡରି ମରି ତା’ ଦେହ ଥରି ଉଠିଲା। କିନ୍ତୁ ନିଜର ବୁଦ୍ଧି ଖଟେଇ କହିଲା, ଆପଣ ହେଲେ ଏ ଜଙ୍ଗଲର ରାଜା। କେତେ ଜୀବଜନ୍ତୁଙ୍କୁ ଖାଉଛନ୍ତି ହେଲେ ପାଟି କୁଳି କରୁ ନାହାନ୍ତି କି ଦାନ୍ତ ଘଷୁ ନାହାନ୍ତି। ଆଗେ ଯାଆନ୍ତୁ ପ୍ରଥମେ ଝରଣା ପାଣିରେ ମୁହଁ ଧୋଇବେ ଓ ଝରଣା କୂଳରେ ଥିବା ପଥରରେ ଦାନ୍ତ ଘଷି ଆସିବେ।
ଏତିକି ଶୁଣି ବାଘ ସଙ୍ଗେ ସଙ୍ଗେ ପଳେଇଲା। ଏହାର ମଉକା ନେଇ ସୁନ୍ଦରୀ ବି ସେଠାରୁ ଚାଲିଗଲା। ଯାଇ ଯାଇ ଗୋଟେ ଗୁମ୍ଫାରେ ଆଶ୍ରୟ ନେଲା। ସେଇଟା ଥିଲା ପୁଣି ସିଂହର ଘର। ସିଂହ ସେମିତି ତା’ ଘରକୁ ପଶିଲା ସେ ଦେଖିଲା କାହାର ଆଖି ଦୁଇଟି ଚକ୍ ଚକ୍ କରୁଛି। ନିଶ୍ବାସ ଜୋର୍ ଜୋର୍ ଶୁଭୁଛି। ଗର୍ଜନ କରି ପଚାରିଲା କିଏ ରେ ତୁ? ମୋ ଗୁମ୍ପାରେ ପଶି କ’ଣ କରୁଛୁ? ସୁନ୍ଦରୀ ସେତେବେଳେ ସିନା ଚାଲାକ କରି ବାଘ କବଳରୁ ମୁକୁଳିଥିଲା ଏଥର କ’ଣ କରିବ? ଗୋଟେ ଉପାୟ ପାଞ୍ଚି କହିଲା, ମୁଁ ଧପ୍ ଧପ୍ ରାଜା, ମୋ ଶିଙ୍ଗ ଦି’ଟା ଗୋଜା, ଏକ ଶିଙ୍ଗରେ ଗଛକୁ ଭାଙ୍ଗେ, ଦ୍ବିତୀୟ ଶିଙ୍ଗରେ ସିଂହକୁ ମାରେ।’’ ଏହା ଶୁଣି ସିଂହ ପ୍ରାଣ ବିକଳରେ ସେଠାରୁ ଯାଇ ଆଉ ପାଞ୍ଚଟା ସିଂହକୁ ଧରି ଆସିଲା। ତାଙ୍କ ଗର୍ଜନରେ ଗୁମ୍ଫା ଥରି ଉଠୁଥାଏ। ଏହା ଦେଖି ସୁନ୍ଦରୀ ବି ଥରି ଉଠୁଥାଏ। ତଥାପି ନ ଡରି କହିଲା, ଏ ସିଂହ ତୋତେ ଦଶଟା ସିଂହ ଆଣିବାକୁ କହିଥିଲି, ତୁ କ’ଣ ପାଞ୍ଚଟା ଆଣିଛୁ? ଆସେ ତତେ ଆଗ ଖାଇବି।
ଏତିକି ଶୁଣି ସିଂହମାନେ ଭାବିଲେ, ଏଇ ସିଂହ ଆମକୁ ଏଠାକୁ ମାରିବା ପାଇଁ ଆଣିଛି। ଯିଏ ଯେଉଁଆଡ଼େ ପାରିଲେ ପ୍ରାଣ ବିକଳରେ ଧାଇଁଲେ। ସକାଳ ହେବାରୁ ସୁନ୍ଦରୀ ଘରକୁ ଫେରିଲା। ନିଜର ଉପସ୍ଥିତ ବୁଦ୍ଧି ଯୋଗୁ ସୁନ୍ଦରୀ ନିଜକୁ ବଞ୍ଚାଇ ପାରିଲା।
ବଳରାମପୁର, ଯାଜପୁର