ନଅ କି ଦଶ ବର୍ଷ ହେବ। ନାଁଟି ତାର କୁନା। ବହୁତ ଚଗଲା। ପାଟି ଖୋଲିଲେ ମିଛ କୁହେ। ସେଥିପାଇଁ ସଭିଏଁ ତା ଉପରେ ରାଗିବା ସହ ଏପରି ଗୁଣ ପାଇଁ ଦିନେ ହଇରାଣ ହେବୁ ବୋଲି ସୂଚେଇ ଦିଅନ୍ତି।
ଦିନେ ରବିବାର ହେତୁ ସେ ମାଛ ଧରିବା ପାଇଁ ସାଙ୍ଗମାନଙ୍କୁ ଡାକି ଗାଁ ପାଖ ଛୋଟ ନାଳକୁ ବାହାରିପଡ଼ିଲା। ସାଙ୍ଗମାନଙ୍କ ସହିତ ସେ ବି ମାଛ ଧରିବାରେ ବ୍ୟସ୍ତ ଥିଲା। ଏତିକିବେଳେ କୁଚିଆଟେ ଧରି ପକେଇ ସାପ ସାପ ବୋଲି ଚିଲେଇବାରୁ ସାଙ୍ଗମାନେ ମାଛ ଧରା ଛାଡ଼ି ତା’ ପାଖକୁ ଦଉଡ଼ି ଆସିଲେ। ସାଙ୍ଗମାନଙ୍କ ଏମିତି ଭୟାଳୁ ଅବସ୍ଥା ଦେଖି ସେ ଜୋରରେ ଠୋ ଠୋ କରି ହସିବାକୁ ଲାଗିଲା।
କୁନା ସେମାନଙ୍କୁ ବୋକା ବନାଉଥିବାର ଜାଣି ସେମାନେ ପୁଣି ମାଛ ଧରିବାରେ ଲାଗିଲେ। କିଛି ସମୟ ପରେ କୁନା ସତକୁ ସତ ଗୋଟିଏ ସାପ ଧରି ପକେଇ ପୂର୍ବ ଥର ପରି ସାପ ସାପ କହି ଚିଲେଇଲା। କିନ୍ତୁ ଏଥର କେହି ବି ତା’ କଥା ଶୁଣିଲେନି। ଭାବିଲେ ସେ ଆମ ସହ ପୁଣି ଥଟ୍ଟା କରୁଚି। ଅଧିକ ସମୟ ଧରି ରଖିବାରୁ ସାପଟି ତା’ର ହାତକୁ ଚୋଟଟେ ମାରିଲା। ସେ ଚିତ୍କାର କରି ହାତକୁ ଛାଟିଦେବାରୁ ସାପଟି ଖଣ୍ଡେ ଦୂରରେ ପଡ଼ି କୁଆଡ଼େ ପଳାଇଗଲା।
ଚିତ୍କାର ଶୁଣି ସାଙ୍ଗମାନେ କୁନା ପାଖକୁ ଦୌଡ଼ି ଆସି କ’ଣ ହେଲା ବୋଲି ପଚାରିବାରୁ ସେ ସବୁ କଥା କହି ଛାନିଆରେ ବେହୋସ ହୋଇଗଲା। ସେମାନେ ଆଉ ଡେରି ନ କରି ତାକୁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ନେଇଗଲେ। ଡାକ୍ତର ବାବୁଙ୍କ ଆଶୁ ଚିକିତ୍ସା ପରେ କୁନା ଭଲ ହୋଇଗଲା। ସେ ନିଜର ଭୁଲ୍ ପାଇଁ କ୍ଷମା ମାଗିବା ସହ ଧୀରେ ଧୀରେ ସତ କହିବା ଆରମ୍ଭ କଲା।
କୋରୁଆ ,ଭଦ୍ରକ