ନକଲ ଠାରୁ ଅକଲ ବଡ଼

ତୁମ କାହାଣୀ - ସୁବ୍ରତ ମଲିକ

ଗୋଟିଏ ଜଙ୍ଗଲରେ ଶୁଆଟିଏ ରହୁଥାଏ। ତା’ର ଏକ ବିଶେଷ ଗୁଣ ଥିଲା ଯେ, ବୁଝୁ କି ନ ବୁଝୁ ସହଜରେ ଅନ୍ୟର ଭାଷାକୁ ଶୀଘ୍ର ନକଲ କରିପାରୁଥିଲା। ସେଥିପାଇଁ ସେ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରି ସେମାନଙ୍କ ପ୍ରିୟଭାଜନ ହୋଇପାରୁଥିଲା। କିନ୍ତୁ ତା’ ପାଖରେ ବୁଦ୍ଧି ବୋଲି ବିଶେଷ କିଛି ନ ଥିଲା। ସବୁବେଳେ ନିଜ ମନର କଥାକୁ ଶୁଣୁଥିଲା।

ସବୁ ଦିନ ସମାନ ଯାଏନି। ଏକଦା ଦଳେ ଶିକାରୀ ସେହି ଜଙ୍ଗଲକୁ ପଶୁପକ୍ଷୀ ଶିକାର କରିବାକୁ ଆସିଥିଲେ। ସେମାନେ ଏକ ଗଛ ମୂଳେ ଠିଆ ହୋଇ କେମିତି ଆଜି ଅଧିକ ଶିକାର କରିବେ, ସେ ବିଷୟରେ ଯୋଜନା କରୁଥିଲେ । କିଛି ସମୟ ଆଗରୁ ଉଡ଼ି ଉଡ଼ି ଆସି ସେହି ଗଛ ଡାଳରେ ଶୁଆଟି ବସି ରହି ସେମାନଙ୍କ କଥା ଶୁଣି ନେଇଥିଲା। ଆଗରୁ କେବେ ସେ ମଣିଷମାନଙ୍କ ଭାଷା ଶୁଣିନଥିଲା। ତେଣୁ କିଛି ନ ବୁଝି ନ ଶୁଝି ପୁରୁଣା ଅଭ୍ୟାସ ଯୋଗୁଁ ସେମାନଙ୍କ କଥାକୁ ନକଲ କରି କହିବା ଆରମ୍ଭ କରିଦେଲା।

ଶିକାରୀମାନେ ଜାଣିପାରିଲେ ଯେ ସେମାନଙ୍କ ଯୋଜନାକୁ କେହି ଜଣେ ଲୁଚି ଛପି ଶୁଣିନେଇଛି। ଏଣେ ତେଣେ ଲକ୍ଷ୍ୟ କଲାରୁ ସେମାନେ ଦେଖିଲେ, ସେହି ଗଛ ଡାଳ ଉପରେ ବସି ଶୁଆଟିଏ ଏପରି କହୁଛି। ସେ ଯଦି ଉଡ଼ି ଉଡ଼ି ଜଙ୍ଗଲ ସାରା ଏ କଥା ପ୍ରଘଟ କରିଦେବ, ତା ହେଲେ ସେମାନଙ୍କ ଯୋଜନା ପଣ୍ଡ ହୋଇଯିବା ସହିତ ସେମାନେ ଧରାପଡ଼ିଯିବେ ବୋଲି ଆଶଙ୍କା କଲେ। ତେଣୁ ସେମାନେ ସ୍ଥିର କଲେ, ପ୍ରଥମେ ସେହି ଶୁଆଟିର ଶିକାର କରିବେ ଓ ତା’ପରେ ଯାଇ ଆଗକୁ ବଢ଼ିବେ।

ଏହା ପରେ ସେମାନଙ୍କ ଭିତରୁ ଜଣେ ଶୁଆଟିକୁ ଲକ୍ଷ୍ୟ କରି ତୀର ପ୍ରୟୋଗ କଲା। ଶରଟି ଶୁଆ ଦେହରେ ବାଜିବାରୁ ସେ ଗଛରୁ ତଳକୁ ଖସିପଡ଼ିଲା। କିଛି ସମୟ ପରେ ପ୍ରାଣ ମଧ୍ୟ ତ୍ୟାଗ କଲା। ଶିକାରିମାନେ ତା’କୁ ନିଜ ମୁଣିରେ ରଖି ଆଗକୁ ବଢ଼ିଲେ।

ଏହିପରି ଭାବରେ କିଛି ନ ବୁଝି ନ ବିଚାରି ସବୁବେଳେ ଅନ୍ୟକୁ ନକଲ କରିବା ଗୁଣ ଯୋଗୁଁ ଶୁଆଟିକୁ ଶେଷରେ ନିଜର ଜୀବନ ଦେବାକୁ ପଡ଼ିଲା ।

କୋରୁଆ, ଅସୁରାଳି, ଭଦ୍ରକ

ସମ୍ବନ୍ଧିତ ଖବର