ଟିକି ପ୍ରଜାପତି ଟିଏ ତା’ ମାଆ ସାଙ୍ଗରେ ଖାଦ୍ୟ ଅନ୍ବେଷଣରେ ବାହାରିଥିଲା। ବହୁତ ବାଟ ଉଡ଼ି ଉଡ଼ି ଆସିଲାଣି ଟିକି ପ୍ରଜାପତିଟି, ଥକି ପଡ଼ିଲାଣି, ହେଲେ ଫୁଲ ଗଛ ସହଜରେ ମିଳୁନାହିଁ। ଯେଉଁଠି ମିଳୁଛି ସେ ଗଛରେ ଗୋଟିଏ ବି ଫୁଲ ନାହିଁ। ଉଡ଼ୁ ଉଡ଼ୁ ସେ ତା’ ମାଆକୁ ପଚାରିଲା- ମାଆ ତୁମେ ଯେତେବେଳ ମୋ ଭଳି ଛୋଟ ଥିଲ, ସେତେବେଳେ ଖାଦ୍ୟ ଅନ୍ବେଷଣରେ କେତେ ବାଟ ଉଡ଼ି ଉଡ଼ି ଯାଉଥିଲ?
ମାଆ ପ୍ରଜାପତିଟି କହିଲା- ଆମେ ଏତେ ବାଟ ଆସୁନା, ପାଖରେ ପାଖରେ ବହୁତ ଫୁଲ ମିଳିଯାଏ।
ଟିକି ପ୍ରଜାପତିଟି ପଚାରିଲା- ତା’ ହେଲେ ଏବେ ଫୁଲ କାହିଁକି ମିଳୁନାହିଁ?
ମାଆ ପ୍ରଜାପତି ଉତ୍ତର ଦେଲା- ଆଜିକାଲି କେହି ଗଛ ଲଗାଉ ନାହାନ୍ତି ବରଂ ଗଛକୁ କାଟି ଜଙ୍ଗଲ ନଷ୍ଟ କରୁଛନ୍ତି। ଆଗରୁ ବହୁତ ଜଙ୍ଗଲ ଥିଲା। ପ୍ରତି ଲୋକଙ୍କ ବାଡ଼ି ବଗିଚାରେ ବିଭିନ୍ନ ଫୁଲ ଓ ଫଳ ଗଛ ଥିଲା। ବର୍ତ୍ତମାନ ମନୁଷ୍ୟ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ମନୁଷ୍ୟ ନିଜର ସୁଖ ସୁବିଧା ଓ ବିଳାସମୟ ଜୀବନଯାପନ ପାଇଁ ଗଛ କାଟି ଜଙ୍ଗଲ ନଷ୍ଟ କରୁଛି।
ପ୍ରଜାପତି ପଚାରିଲା- ମାଆ, ମନୁଷ୍ୟ କ’ଣ ଗୋଟିଏ ସ୍ୱାର୍ଥପର ପ୍ରାଣୀ?
ମାଆ ପ୍ରଜାପତି ଉତ୍ତର ଦେଲା- ଖାଲି ସ୍ବାର୍ଥପର ନୁହଁ, ଅବିବେକୀ ଓ ମୁର୍ଖ ମଧ୍ୟ। ସେମାନେ ଆମମାନଙ୍କୁ ବିପଦରେ ପକାଉଛନ୍ତି ସତ, ନିଜ ଗୋଡରେ ନିଜେ ମଧ୍ୟ କୁରାଢ଼ି ମାରୁଛନ୍ତି।
କୁନି ପ୍ରଜାପତି ପୁଣି ପଚାରିଲା- କେମିତି?
ମାଆ ପ୍ରଜାପତି ଉତ୍ତର ଦେଲା- ଗଛ କାଟିବା ଦ୍ବାରା ବର୍ଷା ଭଲ ହେଉ ନାହିଁ। ବର୍ଷା ନହେଲେ ମନୁଷ୍ୟର ଚାଷ କାମ ବି ଭଲ ହେଉନାହିଁ। ଗଛ ଦିନରେ ଖାଦ୍ୟ ପ୍ରସ୍ତୁତି ସମୟରେ ଅଙ୍ଗାରକାମ୍ଳ ଗ୍ୟାସ୍ ଗ୍ରହଣ କରି ଅମ୍ଳଜାନ ଗ୍ୟାସ୍ ଛାଡ଼େ। ଯାହା ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସ୍ ହ୍ରାସ ପାଏ ଓ ଅମ୍ଳଜାନ ଗ୍ୟାସ୍ ବୃଦ୍ଧିପାଏ। ଯାନବାହାନ ଚାଲିବା ଦ୍ବାରା, କଳକାରଖାନାର ଦୂଷିତ ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ବୃଦ୍ଧି ପାଉଛି। ନିଜେ ମନୁଷ୍ୟ ଅମ୍ଳଜାନକୁ ଗ୍ରହଣ କରି ଅଙ୍ଗାରକାମ୍ଳ ନିଃଶ୍ବାସରେ ଛାଡ଼ିଥାଏ। ଜନସଂଖ୍ୟା ବୃଦ୍ଧି କାରଣରୁ ଅଙ୍ଗାରକାମ୍ଳ ମଧ୍ୟ ବାୟୁମଣ୍ଡଳରେ ବୃଦ୍ଧି ପାଉଛି।
ଅଙ୍ଗାରକାମ୍ଳ ବୃଦ୍ଧି ଯୋଗୁଁ ବାୟୁମଣ୍ଡଳରେ ତାପମାତ୍ରା ବୃଦ୍ଧି ପାଉଛି। ଓଜୋନ୍ ସ୍ତରର ହ୍ରାସ ଯୋଗୁଁ ସୂର୍ଯ୍ୟଙ୍କର ପ୍ରକୋପ ଅଧିକ ହେଉଛି, ଯେଉଁଥିପାଇଁ ଜୀବଜଗତ ହନ୍ତସନ୍ତ ହେଉଛନ୍ତି। ଗଛର ଚେର ମାଟିକୁ ଜାବୁଡ଼ି ଧରିଥାଏ, ମୃତ୍ତିକା କ୍ଷୟ ହୋଇନଥାଏ। ଗଛର ପତ୍ର ମାଟିରେ ପଡ଼ି, ତାହା ପଚିଯାଇ, ମାଟିରେ ମିଶି ହ୍ୟୁମସ୍ ସୃଷ୍ଟି କରେ, ଫଳରେ ସେ ସ୍ଥାନରେ ଗଛ ଭଲ ବଢ଼େ। ଏହା ଛଡ଼ା ଅନେକ ଗଛରେ ଔଷଧୀୟ ଗୁଣ ରହିଛି। ଗଛ, ଫୁଲ, ଫଳ, ଜାଳ, ଛାଇ ସବୁକିଛି ଦେଇଥାଏ।
ଟିକି ପ୍ରଜାପତି ଟି କହିଲା- ଗଛ ଆମର କେତେ ଉପକାର କରୁଛି। ଆମକୁ ତା’ହେଲେ ଗଛ ଲଗାଇବାକୁ ପଡ଼ିବ। ଗୁଣ୍ଡୁଚି ମୂଷା ଭାଇକୁ କହିବି, ସେ ଯେଉଁ ଫଳ ଖାଇବ, ତା’ ମଞ୍ଜି ଚାରିଆଡ଼େ ଫିଙ୍ଗିବ। ସବୁ ପକ୍ଷୀ ଦିଦିମାନଙ୍କୁ ଅନୁରୋଧ କରିବି, ସେମାନେ ବି ଏମିତି କରିବେ। ମୋର କିଛି ସାଙ୍ଗଙ୍କୁ ଏ ବିଷୟରେ ବୁଝାଇବି। କାଲି ଠାରୁ ଆରମ୍ଭ ହେବ ବୃକ୍ଷରୋପଣ ଅଭିଯାନ।
ନବମ ଶ୍ରେଣୀ , ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ,
ସନ୍ତୋଷପୁର, ଗଞ୍ଜାମ