ଭାଷା ଚିହ୍ନାଏ

ତୁମ କାହାଣୀ - ମନୋଜ କୁମାର ବେହେରା

ଥରେ ସୁମେରଗଡ଼ର ରାଜା ସୈନିକମାନଙ୍କ ସହିତ ଶିକାର କରିବାକୁ ଜଙ୍ଗଲକୁ ଗଲେ। ଜଙ୍ଗଲରେ ବହୁତ ଜୋର୍‌ରେ ଶୋଷ ଲାଗିଲା ରାଜାଙ୍କୁ। ତେଣୁ ଜଣେ ସୈନିକଙ୍କୁ ପାଣି ଆଣିବା ପାଇଁ ସେ ଆଦେଶ ଦେଲେ । ସେଠାରୁ କିଛି ଦୂରରେ ଜଣେ ନେତ୍ରହୀନ ବୃଦ୍ଧ ବ୍ୟକ୍ତି ରାସ୍ତାରେ ଯିବା ଆସିବା କରୁଥିବା ବ୍ୟକ୍ତିଙ୍କ ପାଇଁ ଜଳଛତ୍ର ଖୋଲି ଜଳ ଯୋଗାଉଥିଲେ।

ସୈନିକ ଜଣକ ବୃଦ୍ଧ ବ୍ୟକ୍ତିଙ୍କ ପାଖକୁ ଯାଇ କହିଲେ, ‘ଓ ପାଣିବାଲା ଗୋଟିଏ ଲୋଟା ପାଣି ଦେଲ!’ ବୃଦ୍ଧ ବ୍ୟକ୍ତି ଜଣକ ଉତ୍ତରରେ କହିଲେ, ମଁୁ ଏମିତିଆ ଅଶିଷ୍ଟ ସୈନିକଙ୍କୁ ପାଣି ପିଆଏନି।’ ଏକଥା ସୈନିକ ଯାଇ ନିଜ ସର୍ଦ୍ଦାରଙ୍କୁ କହି‌େଲ। ସବୁ ଶୁଣି ସାରି ସର୍ଦ୍ଦାର ସେହି ବୃଦ୍ଧ ବ୍ୟକ୍ତିଙ୍କ ପାଖକୁ ଯାଇ କହିଲେ, ‘ଏ ବୁଢ଼ା ଗୋଟିଏ ଲୋଟା ପାଣି ଦିଅ।’ ଏହା ଶୁଣି ସେ ପାଣି ଦେବାକୁ ମନା କରିଦେଲେ। ସର୍ଦ୍ଦାରଙ୍କୁ ଖାଲି ହାତରେ ଆସୁଥିବା ଦେଖି ରାଜା ତାଙ୍କୁ ପାଣି ବିଷୟରେ ପଚାରିବାରୁ ସେ କହିଲେ, ମହାରାଜ! ଏଇଠୁ ଅଳ୍ପ ଦୂରରେ ଜଣେ ନେତ୍ରହୀନ ବୃଦ୍ଧ ବ୍ୟକ୍ତି ଜଳଛତ୍ର ଖୋଲିଛନ୍ତି। ତାଙ୍କୁ ପାଣି ମାଗିବାରୁ ସେ ମନା କରିଦେଲେ।’ ଏହା ଶୁଣି ରାଜା ସେହି ବ୍ୟକ୍ତିଙ୍କ ପାଖକୁ ଯାଇ କହିଲେ, ‘ବାବା, ମୋତେ ବହୁତ ଜୋର୍‌ରେ ଶୋଷ ଲାଗୁଛି। ଯଦି ଆପଣ କିଛି ପାଣି ପିଇବାକୁ ଦିଅନ୍ତି ତେବେ ବହୁତ ବଡ଼ କୃପା ହେବ।’

ଏହା ଶୁଣି ବୃଦ୍ଧବ୍ୟକ୍ତି ରାଜାଙ୍କୁ କହିଲେ, ଆପଣ ବସନ୍ତୁ ରାଜା ସାହେବ। ମୁଁ ଏଇ ସଙ୍ଗେ ସଙ୍ଗେ ଆପଣଙ୍କୁ ଜଳ ଦେଉଛି ପିଇବାକୁ। ପାଣି ପିଇ ସାରିଲା ପରେ ରାଜା ବୃଦ୍ଧବ୍ୟକ୍ତିଙ୍କୁ ପଚାରିଲେ, ‘ଆପଣଙ୍କୁ ତ ଦେଖା ଯାଉନାହିଁ। ଦୟା କରି କୁହନ୍ତୁ ଆପଣ କେମିତି ଜାଣିଲେ କି ସେ ହେଉଛି ସୈନିକ, ଆଉ ମୁଁ ହେଉଛି ରାଜା।’

ବୃଦ୍ଧ ଟିକିଏ ହସି ଦେଇ କହିଲେ ମୋର ଆଖିକୁ ଦେଖା ଯାଉନାହିଁ ସତ ମାତ୍ର ମଣିଷଙ୍କୁ ଚିହ୍ନିବା ପାଇଁ ଆଖିର ଆବଶ୍ୟକତା ହୋଇ ନଥାଏ। ତା’ର ଅସଲ ମୂଲ୍ୟାଙ୍କନ ତା’ ବାଣୀ ଦ୍ବାରା ହୋଇଥାଏ। ସୈନିକ ଆଉ ସର୍ଦ୍ଦାରଙ୍କର ଚିହ୍ନଟ ମଁୁ ତାଙ୍କ ଭାଷା ଦ୍ବାରା ଆଉ ଆପଣଙ୍କୁ ଆପଣଙ୍କ ଭାଷା ଦ୍ବାରା ଚିହ୍ନିଲି।

ୟୁନିଟ୍‌-୯,
ବାୟାବାବା ମଠ ଲେନ୍‌
ଭୁବନେଶ୍ବର

ସମ୍ବନ୍ଧିତ ଖବର