ସାହସୀ ଝିଅ

ତୁମ କାହାଣୀ - ତସନିମ୍ ସୁଲତାନା

ଦୁର୍ଗା ଅପା ଆମ ଉପର ଶ୍ରେଣୀରେ ପଢ଼େ। ତା’ ପାଇଁ ଆମେ ସମସ୍ତେ ଗର୍ବିତ। ସେ ଆମ ସମସ୍ତଙ୍କ ପାଇଁ ସାହସର ଉତ୍ସ। ସେଦିନ କୌଣସି କାମରେ ସେ ସ୍କୁଲରୁ ଘରକୁ ଫେରୁଥାଏ। ଘରେ ଶୀଘ୍ର ପହଞ୍ଚିବା ପାଇଁ ବଜାର ପଟ ରାସ୍ତାରେ ନ ଆସି ସେ ନିଛାଟିଆ ରାସ୍ତାରେ ଘରକୁ ଆସୁଥାଏ। ସେଠାରେ କିଛି ବଦମାସ ପିଲାଙ୍କ ହାବୁଡ଼ରେ ପଡ଼ିଗଲା। ତାକୁ ସେମାନେ ଏକୁଟିଆ ପାଇ ମନ୍ଦ ଉଦ୍ଦେଶ୍ୟ ରଖି ହଇରାଣ କରିବାକୁ ଲାଗିଲେ। ଅପା ସାହସ ଜୁଟାଇ ନିଜ ଗୋଇଠି ଓ ଆଣ୍ଠୁରେ ବିଶେଷ କୌଶଳ ପ୍ରୟୋଗ କରି ବଦମାସମାନଙ୍କୁ ଫୁଟବଲ ଖେଳିଲା ଭଳି ଗୋଇଠା ମାରିବାରେ ଲାଗିଲା।

ଏଇ ସମୟରେ ସେଇବାଟ ଦେଇ ଯାଉଥିବା ଜଣେ ଭଦ୍ରଲୋକ ମୋବାଇଲରୁ ୧୧୨ ନମ୍ବରକୁ ଡାଏଲ କରିବା ପରେ ସ୍ଥାନୀୟ ଥାନା ଅଧିକାରୀ ସଦଳବଳେ ଆସି ପହଞ୍ଚିଗଲେ। ବଦମାସମାନଙ୍କୁ ଠାବ କରାଯାଇ ଥାନାକୁ ଅଣା ଯାଇଥିଲା। ସେଠାରେ ଦୁର୍ଗା ଅପା ଓ ବଦମାସ ପିଲାଙ୍କ ଅଭିବାବକଙ୍କ ସାମନାରେ, ଅପରାଧୀମାନଙ୍କୁ ଚିହ୍ନଟ କରିଥିଲା। ଅପା ସେଇ ବଦମାସମାନଙ୍କ କବଳରୁ କି ଭଳି ରକ୍ଷା ପାଇଲା ତା’ର ଡେମୋ କରିବା ପାଇଁ ଥାନା ଅଧିକାରି ଦୁର୍ଗା ଅପାକୁ କହିଲେ।

ଏକଥା ଶୁଣି ଅପରାଧୀମାନେ ଛାନିଆ ହୋଇ ଯାଇଥିଲେ। ସେମାନଙ୍କୁ ଏଥର କ୍ଷମା କରିଦେବା ପାଇଁ ତାଙ୍କ ଅଭିବାବକମାନେ ନେହୁରା ହେଲେ। ଆଇନଗତ ପ୍ରକ୍ରିୟା ଶେଷ କରି ସେ ବଦମାସମାନେ ଛାଡ଼ ପାଇଲେ। ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା କାର୍ଯ୍ୟକ୍ରମରେ ଯୋଗଦେଇ ଦୁର୍ଗା ଅପା କହିଲେ-ଆମେ ନିଜକୁ ସୁରକ୍ଷା ଦେବା ପାଇଁ ଭୟ କରିବା ନାହିଁ। ଭୟ କଲେ ଏହା ଆମକୁ ଅଧିକ ଡରାଇଥାଏ। ଆମେ ଆତ୍ମବିଶ୍ବାସର ସହ ଉପସ୍ଥିତ ବୁଦ୍ଧି ଓ କୌଶଳର ପ୍ରୟୋଗ କରି ନିଜକୁ ଅନ୍ୟଠୁ ସୁରକ୍ଷିତ ରଖି ପାରିବା।

ଏଇ ଭୟ ହିଁ ଆମର ଦୁର୍ବଳତା । ଏହା ଆମକୁ ଆଗକୁ ବଢ଼ିବାକୁ ଦେଇ ନଥାଏ । ନିର୍ଭୟ ହୋଇ ଆଗକୁ ବଢ଼ିଲେ ଆମ ଦେଶରେ ନିର୍ଭୟାଭଳି ଘଟଣା ଘଟିବ ନାହିଁ। ଦୁର୍ଗା ଅପାଙ୍କ ଏଭଳି ବକ୍ତବ୍ୟ ଶୁଣି ସଭାରେ ଉପସ୍ଥିତ ଅତିଥିମାନେ ଆଶ୍ଚର୍ଯ୍ୟ ହୋଇ ତାଙ୍କ ସାହସର ପ୍ରଶଂସା କରିବାକୁ ଲାଗିଲେ। ସେଇଦିନ ଠାରୁ ଦୁର୍ଗାଅପା ବିଦ୍ୟାଳୟରେ ଆମ ସମସ୍ତଙ୍କ ରୋଲ୍‌ ମଡେଲ୍‌ ପାଲଟି ଯାଇଥିଲେ। ପ୍ରଧାନ ଶିକ୍ଷକ କ୍ରୀଡ଼ାଶିକ୍ଷକଙ୍କ ତତ୍ତ୍ବାବଧାନରେ ପ୍ରତି ସପ୍ତାହରେ ବିଦ୍ୟାଳୟରେ ସମସ୍ତ ପିଲାଙ୍କ ପାଇଁ କରାଟେ ଶିକ୍ଷା ବାଧ୍ୟତାମୂଳକ କଲେ।

ଅଷ୍ଟମ ଶ୍ରେଣୀ,
କେଜିଏନ୍ ହାଇସ୍କୁଲ,କାକଟପୁର,ପୁରୀ

ସମ୍ବନ୍ଧିତ ଖବର