କାଉ ଓ ଗୁଣ୍ଡୁଚି ମୂଷା

ତୁମ କାହାଣୀ - ତସନିମ୍ ସୁଲତାନା

ଥରେ କାଉଟିଏ ମନ ଦୁଃଖରେ ବସିଥାଏ। ଗୁଣ୍ଡୁଚି ମୂଷାଟିର ନଜର ତା ଉପରେ ପଡ଼ିଲା। କାଉ ମନ ହାଲୁକା କରିବାକୁ ତା’ ମନ କଥା ତା’କୁ ପଚାରି ବସିଲା। କହିଲା- ଭାଇ ଦୁନିଆ ଯାକର ଅଳିଆ ଆବର୍ଜନା ମୁଁ ଖାଇ ପିଇ ସଫା କରିଦିଏ। ହେଲେ କିଛି ଲୋକେ ମୋତେ ଦେଖିଲେ ଦୂର୍ ଦୂର୍ ଛି ଛି କରନ୍ତି। ଏଥିପାଇଁ ମୋ ମନ ଭାରି ଦୁଃଖ। ତୁ ଏହାର କିଛି ସମାଧାନ ମୋତେ ବତେଇ ଦେ। ଗୁଣ୍ଡୁଚି ମୂଷାଟି କହିଲା ମୁଁ ତୋତେ ଏଇ ପଥରଟି ଦେଉଛି, ଏହାକୁ ନେଇ ତୁ ଚାରି ଜଣଙ୍କ ପାଖକୁ ଯିବୁ। ସେମାନଙ୍କଠାରୁ ଏହାର ମୂଲ୍ୟ ପଚାରି ବୁଝିବୁ। ହେଲେ କାହାକୁ ବିକ୍ରି ନକରି ସାତ ଦିନ ପରେ ମୋତେ ଏହାକୁ ଫେରେଇ ଦେବୁ। ତୋ’ ସମସ୍ୟା ସମାଧାନର ବାଟ ତୁ ନିଜେ ପାଇଯିବୁ ।
କାଉ ଏଥର ଖୁସି ହୋଇ ଏହି ପଥରଟିକୁ ନେଇ ବିଲୁଆ ପାଖକୁ ଗଲା। ବିଲୁଆ ନିରେଖି ଦେଖି କହିଲା ଏହାର ମୂଲ୍ୟ ପଚାଶ ଟଙ୍କା ହେବ। ତୁ ମୋତେ ଏଇଟି ଦେଇଦେ। କାଉ ହଉ ଦେଖିବା କହି ପଥରଟିକୁ ନେଇ କୋକିଶିଆଳି ପାଖକୁ ଗଲା। ସେ ପଥରଟିକୁ ଭଲ ଭାବରେ ଦେଖି କହିଲା -ଏହାର ଔଷଧୀୟ ଗୁଣ ରହିଛି। ତୁ ସେସବୁ ବୁଝି ପାରିବୁ ନାହିଁ। ଦେଖ୍ ତୁ ପାଞ୍ଚ ଶତ ଟଙ୍କା ନେଇ ଏଇଟିକୁ ମୋତେ ଦେଇ ଦେ । କୋକି ମୁହଁରୁ ଏହାର ଏତେ ମୂଲ୍ୟ ଶୁଣି କାଉ ଆଶ୍ଚର୍ଯ୍ୟ ହୋଇଗଲା। ହଉ ଦେଖିବା କହି ସେ ପଥରଟିକୁ ନେଇ କାଠହଣା ଚଢ଼େଇକୁ ଦେଖାଇଲା ।

କାଠହଣା ଏହାକୁ ପରୀକ୍ଷା କରି ମନେ ମନେ କହିଲା – ଆରେ ଏହାର ଭାଗ୍ୟ ଜୋର ଧରିଛି। ନହେଲେ ଏ ରତ୍ନଟି କେଉଁଠୁ ପାଇଥାନ୍ତା ? ଦେଖ ଭାଇ ତୁ ପଚାଶ ହଜାର ନେଇ ଏଇଟିକୁ ମୋତେ ଦେଇ ଦେ। କାଠହଣା ମୁହଁରୁ ପଥରର ମୂଲ୍ୟ ଶୁଣି କାଉଟିର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ସେ ହଉ ଦେଖିବା କହି ଏହାକୁ ନେଇ ପାରା ପାଖକୁ ଗଲା ।

ପାରାଟି ରାଜପ୍ରସାଦର ମଉଡ଼ମଣି ଥିଲା। ରତ୍ନଟିକୁ ନେଇ ରାଜାଙ୍କୁ ତାଙ୍କ ଜନ୍ମଦିନରେ ଉପହାର ଦେବା ପାଇଁ ପାରା ମନେ ମନେ ଯୋଜନା କଲା। ତେଣୁ କାଉକୁ କହିଲା-ତୁ କ’ଣ ମାଗୁଛୁ ମାଗ୍। ମୋତେ ଏଇଟି ଦେଇ ଦେ । ପାରା ମୁହଁରୁ ଏପରି କଥା ଶୁଣି କାଉ ଲୋଭ ବଢ଼ିଗଲା। ଏଥର ତା’ର ସମସ୍ତ ଦୁଃଖ ଦୂର ହୋଇଯିବ। ସେ ବହୁତ ଧନରତ୍ନର ମାଲିକ ହୋଇଯିବ। କିନ୍ତୁ ଗୁଣ୍ଡୁଚି ମୂଷାର କଥା ତା’ ମନେ ପଡ଼ିଗଲା। ତେଣୁ ସେ ପଥରକୁ ନ ବିକି ଗୁଣ୍ଡୁଚି ମୂଷା ପାଖକୁ ଫେରିଆସିଲା।

କାଉଟି ଗୁଣ୍ଡୁଚି ମୂଷାଠାରୁ ପଥରର ଭିନ୍ନ ଭିନ୍ନ ମୂଲ୍ୟର ରହସ୍ୟ ପଚାରିଲା। ଗୁଣ୍ଡୁଚି ମୂଷା ହସି ହସି ଉତ୍ତର ଦେଲା। ‘ଗୁଣ ଚିହ୍ନେ ଗୁଣିଆ ଓ ସୁନା ଚିହ୍ନେ ବଣିଆ । ଯିଏ ଯେମିତି ସିଏ ତା’ର ପାରିବାପଣିଆ ଅନୁଯାୟୀ ମୂଲ୍ୟ କଷିଲା। ସେମିତି ତୋ’ର ମୂଲ୍ୟ ତୋତେ ହିଁ ଜଣା। ଏଇ ରାଇଜର ଅନେକ ଲେଖକ ଓ କବି କାଉ ଜାତିର ପ୍ରଶଂସା କରି ଗଳ୍ପ ଓ କବିତା ଲେଖି ରାଜାଙ୍କ ଠାରୁ ଅନେକ ସମ୍ମାନ ପାଇଛନ୍ତି। ତୁ ନିଜକୁ ଜାଣି ଏ ସମାଜର ଉପକାର କରି ଚାଲ। ଅନ୍ୟର ପ୍ରଶଂସାରେ ସମାଲୋଚନାରେ ଦୁଃଖ ନକରି କର୍ମ କରି ଚାଲ। ଦେଖିବୁ ତୋର ଦୁନିଆ କେତେ ସୁନ୍ଦର ହୋଇଯିବ।

କାକଟପୁର ବାଳିକା ନୋଡାଲ ଉଚ୍ଚବିଦ୍ୟାଳୟ ,
କାକଟପୁର, ପୁରୀ

ସମ୍ବନ୍ଧିତ ଖବର