ଗାଁଟିର ନାମ ଲଖିମପୁର। ନୂଆ ବୋହୂ ହୋଇ ମୀରା ଆସିଥିଲା। ସେ ଥିଲା ଗାଁର ଏକମାତ୍ର ଶିକ୍ଷିତା ବୋହୂ। ପାଖ ଗାଁରେ କିଛି କିଛି ସୁବିଧା ସୁଯୋଗ ଥିବାବେଳେ ଏ ଗାଁର ଲୋକମାନେ ସମସ୍ତ ସେଥିରୁ ବଂଚିତ ଥିଲେ। ବିଦ୍ୟୁତ ଯୋଗାଣ ନଥିଲା। ସଂଧ୍ୟା ହେଲେ ତାଟି କବାଟ ପଡ଼ି ଯାଉଥିଲା। ସ୍କୁଲ ଥିଲେ ମଧ୍ୟ ପିଲାମାନେ ସ୍କୁଲ ଦୁଆରମୁହଁ ମାଡୁ ନଥିଲେ। ଝିଅ ବୋହୂ ଖୋଲା ପଡ଼ିଆରେ ମଳତ୍ୟାଗ କରୁଥିଲେ। ଘରର ମଇଳା ପାଣିରେ ଦାଣ୍ଡ ଭାସୁଥିଲା। କିଛି ଲୋକ ନିଜ ଘରର ମଇଳା ପାଣି ପୋଖରୀକୁ ଛାଡ଼ିବା ଯୋଗୁଁ ପୋଖରୀ ଦୂଷିତ ହେଉଥିଲା।

Advertisment

ଗାଁର ଅଧିକାଂଶ ରାସ୍ତାକୁ କିଛି ମୁଷ୍ଟିମେୟ ଲୋକ ମାଡ଼ି ବସିଥିଲେ ଯାହାଫଳରେ ରାସ୍ତାସବୁ ଅଣ ଓସାରିଆ ହୋଇ ଯାଇଥିଲା। ହାଟ ନଥିବାରୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟସବୁ କମ୍‌ ଦାମରେ ଗାଁରେ ବିକ୍ରି ହେଉଥିବାରୁ ଚାଷୀମାନଙ୍କୁ ବହୁତ କ୍ଷତି ସହିବାକୁ ପଡୁଥିଲା। କୁଶଳୀ ମିସ୍ତ୍ରୀ ଓ କାରିଗର ନଥିବାରୁ ଅଣକୁଶଳୀ କାରିଗରମାନେ କମ୍‌ ମଜୁରି ପାଉଥିଲେ। ଏମାନଙ୍କ ଦ୍ବାରା ନିର୍ମିତ ରାସ୍ତାଘାଟ ଘରଦ୍ବାର ସବୁ ଫାଟି ମେଲା ହୋଇ ଯାଇଥିଲା।

ମୀରା ଏସବୁ ବିଷୟରେ ନିଜ ସ୍ବାମୀଙ୍କସହ କଥା ହେଲା। ସ୍ବାମୀ କହିଲେ-‘ଏସବୁ ସମସ୍ୟା ଆମର ନୁହେଁ’। ଏ ବିଷୟରେ କେହି କିଛି କହୁ ନାହାନ୍ତି। ତୁମେ ଚୁପ୍‌ ହୋଇ ବସ। ମୀରା ସରପଞ୍ଚଙ୍କ ପାଖକୁ ଗଲା। ଗାଁର ସମସ୍ୟାର ଚିଠା ତାଙ୍କୁ ଧରାଇ ଦେଇ ଏ ବିଷୟରେ ତାଙ୍କସହ ଆଲୋଚନା କଲା। ହେଲେ ସରପଞ୍ଚ ତା’ କଥାକୁ ବିଶେଷ ଧ୍ୟାନ ଦେଲେ ନାହିଁ। ବାଧ୍ୟ ହୋଇ ସେ ବ୍ଲକରେ ଗାଁର ଅସୁବିଧା ନେଇ ବିଡିଓଙ୍କ ସହ ଆଲୋଚନା କଲା ଓ ଉକ୍ତ ସମସ୍ୟାର ସ୍ଥିତି ନେଇ ସୂଚନା ଅଧିକାର ଆଇନ ବଳରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଆବେଦନ କଲା। ଜିଲ୍ଲା ଅଧିକାରୀଙ୍କ ଅଫିସରୁ ତା’କୁ ଡାକ ମାଧ୍ୟମରେ ଜଣାଇଦିଆ ଗଲା କି ଗାଁରେ ସମସ୍ତଙ୍କ ଘରେ ପାଇଖାନାର ସୁବିଧା ଅଛି। ଗାଁରେ ଡ୍ରେନେଜ୍‌ର ବ୍ୟବସ୍ଥା କରାଯାଇଛି। ଏସବୁ ପଢି ମୀରାର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ସେ ସିଧାସଳଖ ଅଧିକାରୀଙ୍କ ସହ ଫୋନ୍‌ରେ କଥା ହେଲା ଓ ଏ ବିଷୟରେ ଉପଯୁକ୍ତ ଯାଞ୍ଚ କରିବା ପାଇଁ ପୁଣି ସୂଚନା ଅଧିକାର ବଳରେ ଆବେଦନ କଲା।

ଠିକ୍‌ ସମୟରେ ଯାଞ୍ଚ ହେଲା। ଯାଞ୍ଚରୁ ଜଣାପଡିଲା କି ସ୍ଥାନୀୟ ସରପଞ୍ଚ ଓ ଜନ ପ୍ରତିନିଧି ମିଛ ବିଲ୍‌ କରି ଏ ବାବଦ ଆସିଥିବା ଟଙ୍କା ହେରଫେର କରିଛନ୍ତି। ଶେଷରେ ଦୋଷୀମାନେ ଦଣ୍ଡ ପାଇଲେ। ମୀରା ନିଜେ ମହିଳା ଓ ପୁରୁଷମାନଙ୍କ ଏକ ଗୋଷ୍ଠୀ ଗଢ଼ି ଏ ବିଷୟରେ ସଚେତନ କଲା। ଗାଁ’ରୁ ଅନ୍ଧବିଶ୍ବାସ ଦୂର କରିବା ପାଇଁ ଶିକ୍ଷାର ଆବଶ୍ୟକତା ରହିଛି ବୋଲି ସମସ୍ତେ ଏବେ କହିବାକୁ ଲାଗିଲେ।

ଅଷ୍ଟମ ଶ୍ରେଣୀ,
କାକଟପୁର ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ,
କାକଟପୁର, ପୁରୀ