ଦୁଃଖର କାରଣ

ତୁମ କାହାଣୀ - ରଘୁନାଥ ସାହୁ

ଥରେ ଜଣେ ସାହୁକାର ଜଣେ ପଣ୍ଡିତଙ୍କୁ ଭୋଜନ ପାଇଁ ନିଜ ଘରକୁ ନିମନ୍ତ୍ରଣ କଲେ। ସେଦିନ ପଣ୍ଡିତଙ୍କ ଏକାଦଶୀ ବ୍ରତ ଥିଲା। ସେ ତାଙ୍କର ଦୁଇ ଜଣ ଶିଷ୍ୟଙ୍କୁ ସାହୁକାରଙ୍କ ଘରକୁ ପଠେଇ ଦେଲେ ଭୋଜନ ପାଇଁ। ଯେତେବେଳେ ଦୁଇ ଜଣ ଶିଷ୍ୟ ସେଠାରୁ ଫେରିକି ଆସିଲେ, ଜଣେ ଶିଷ୍ୟ ଦୁଃଖୀ ଥିଲେ ଆଉ ଜଣେ ଶିଷ୍ୟ ସୁଖୀ ଥିଲେ।

ଦୁଇ ଜଣଙ୍କୁ ଭିନ୍ନ ଭିନ୍ନ ରୂପରେ ଦେଖି ପଣ୍ଡିତଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିଲା। ସେ ପଚାରିଲେ ପୁଅ! ତୁମେ କାହିଁକି ଦୁଃଖୀ ଅଛ, କ’ଣ ସାହୁକାର ତୁମ ଦୁଇ ଜଣଙ୍କୁ ଅଲଗା ଅଲଗା ଖାଦ୍ୟ ଦେଇଥିଲେ।

ନା.. ଗୁରୁଦେବ!

କ’ଣ ତୁମର ବସିବା ଆସନରେ କିଛି ଅନ୍ତର ଥିଲା?

ନା.. ଗରୁଦେବ!

କ’ଣ ସାହୁକାର ଦକ୍ଷିଣା ଦେବାରେ ପାତର ଅନ୍ତର କରିଥିଲେ?

ନା.. ଗରୁଦେବ! ଦକ୍ଷିଣା ସମାନ ଭାବରେ ଦେଇଥିଲେ।

ଏବେ ପଣ୍ଡିତଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିଲା। ସେ ପୁଣି ପଚାରିଲେ ତା’ହେଲେ ତୁମ ଦୁଃଖର କାରଣ କ’ଣ?

ଦୁଃଖୀ ଶିଷ୍ୟ ଜଣକ କହିଲେ, ଗୁରୁଦେବ! ମୁଁ ଭାବିିଥିଲି ସାହୁକାର ବହୁତ ବଡ଼ ଲୋକ, ଅତିକମ୍‌ରେ ଦଶ ଟଙ୍କା ଦକ୍ଷିଣା ଦେବେ କିନ୍ତୁ ସେ ମାତ୍ର ଦୁଇ ଟଙ୍କା ଦେଲେ। ସେଥିପାଇଁ ମୁଁ ଦୁଃଖୀ।

ଏବେ ପଣ୍ଡିତ ମହାଶୟ ଆର ଶିଷ୍ୟକୁ ପଚାରିଲେ, ତୁମେ କାହିଁକି ସୁଖୀ ଅଛ?

ସେ କହିଲେ, ଗୁରୁଦେବ! ମୁଁ ଜାଣିଥିଲି ସାହୁକାର ଜଣେ କୃପଣ ଲୋକ। ଆଠଣାରୁ ଅଧିକ ଦେବେନି, କିନ୍ତୁ ଦୁଇଟଙ୍କା ଦେଇଥିବାରୁ ମୁଁ ପ୍ରସନ୍ନ।

ସେଥିରୁ ଗୁରୁଦେବ ବୁଝିପାରି କହିଲେ, ଏହା ଆମ ମନର ସ୍ଥିତି। କାମନା ଯଦି ପୂରଣ ନ ହୁଏ ତା’ହେଲେ ଦୁଃଖ। ଆଉ କାମନା ଯଦି ପୂରା ହୁଏ ସେଇଟା ସୁଖ।

ଚଣ୍ଡିଖୋଲ, ଯାଜପୁର

ସମ୍ବନ୍ଧିତ ଖବର