ଥରେ ଘରମଣୀ ଜଙ୍ଗଲରେ ଚରୁ ଚରୁ ବାଟବଣା ହୋଇଗଲା। ହଠାତ୍ ତା’ ସାମନାରେ ମହାବଳ ବାଘ ହାଜର ହୋଇଗଲା। ଘରମଣୀକୁ କହିଲା ମୁଁ ତୋତେ ଖାଇବି। ଘରମଣୀ ବହୁତ ଡରିଗଲା,ହେଲେ ବୁଦ୍ଧି ଖଟାଇ ଏକ ଉପାୟ ପାଞ୍ଚିଲା। ବାଘକୁ କହିଲା ଆପଣ ହେଲେ ରାଜା,କେତେ ଜୀବଜନ୍ତୁ ଖାଇ ମୁହଁ ଦାନ୍ତ ଅସନା ହୋଇଯାଇଥିବ। ଆପଣ ଯାଆନ୍ତୁ ପ୍ରଥମେ ଝରଣା ପାଣିରେ ମୁହଁ ଧୋଇବେ ଏବଂ ଝରଣା କୁଳର ମୁଗୁନି ପଥରରେ ଦାନ୍ତକୁ ପଜେଇ ଆସି ମୋତେ ଖାଇବେ।
ଠିକ କହିଲୁ ଘରମଣୀ, କହି ବାଘ ଯେମିତି ଝରଣା କୂଳକୁ ଯାଇଛି,ଘରମଣୀ ଛୁ ମାରିଲା। ହେଲେ ଯାଉ ଯାଉ ସନ୍ଧ୍ୟା ହୋଇଗଲା ଏବଂ ଘରମଣୀ ଗୋଟିଏ ଗୁମ୍ଫାରେ ଆଶ୍ରୟ ନେଲା।
ସେଟା ଥିଲା ସିଂହ ର ଘର। ସିଂହ ଯେମିତି ଗୁମ୍ଫାରେ ପଶିଛି ଦେଖିଲା ଅନ୍ଧାରରେ ଆଖି ଦୁଇଟି ଚକ୍ ଚକ୍ କରୁଛି। ଗର୍ଜ୍ଜନ କରି ପଚାରିଲା କିଏ ରେ ତୁ?
ଘରମଣୀ ଭାବିଲା ଏବେ ନିଶ୍ଚୟ ଜୀବନ ଯିବ। ତଥାପି ଏଥର ମଧ୍ୟ ସାହସ ସଂଚୟ କରି କହିଲା”ମୁଁ ଧପ ଧପ ରାଜା,ମୋ ଶିଙ୍ଗ ଦିଟା ଗୋଜା, ଏକ ଶିଙ୍ଗରେ ଗଛକୁ ଭାଙ୍ଗେ, ଦ୍ବିତୀୟ ଶିଙ୍ଗରେ ସିଂହକୁ ମାରେ”। ଏହା ଶୁଣି ସିଂହ ପ୍ରାଣ ବିକଳରେ ସେଠାରୁ ଯାଇ ଆଉ ପାଞ୍ଚଟା ସିଂହକୁ ଧରି ଆସିଲା।
ତାଙ୍କ ଗର୍ଜ୍ଜନରେ ଗୁମ୍ଫା ଥରି ଉଠୁଥାଏ। ଘରମଣୀ ଛାତିକୁ ଦମ୍ଭ କରି କହିଲା ଏ ସିଂହ ତୋତେ ଦଶଟା ସିଂହ ଆଣିବୁ କହିଥିଲି,ତୁ କଣ ପାଞ୍ଚଟା ଆଣିଛୁ, ଆସ ତୋତେ ଆଗ ଖାଇବି।
ଏହା ଶୁଣି ସିଂହମାନେ ଭାବିଲେ ଏଇ ସିଂହ ଆମକୁ ଏଠିକୁ ମାରିବା ପାଇଁ ଆଣିଛି। ଯିଏ ଯେଉଁଆଡ଼େ ପାରିଲେ ପ୍ରାଣ ବିକଳରେ ଧାଇଁଲେ। ସକାଳ ହେବାରୁ ଘରମଣୀ ଘରକୁ ଫେରିଲା। ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ଘରମଣୀ ଶକ୍ତିଶାଳୀ ଜନ୍ତୁଠାରୁ ମଧ୍ୟ ନିଜ ଜୀବନ ବଞ୍ଚାଇ ପାରିଲା।
ପଞ୍ଚମ ଶ୍ରେଣୀ, ବିମଳା କନଭେଣ୍ଟ୍
ଭବାନୀପାଟଣା