ମହତ କାମ

ତୁମ କାହାଣୀ - ପ୍ରଦୀପ୍ତ କୁମାର ବିଶ୍ୱାଳ

ଖରାଛୁଟିରେ ଏ ବର୍ଷ ରାଧେଶ ପିଉସା-ପିଉସୀଙ୍କ ଘରକୁ ଆସିଚି। କିଛି ଦିନ ସେମାନଙ୍କ ପାଖରେ ରହି ସ୍କୁଲ ଖୋଲିଲା ବେଳକୁ ପୁଣି ନିଜ ଘରକୁ ଫେରିଆସିବ। ରାଧେଶର ପିଉସା-ପିଉସୀ ତାକୁ ଭାରି ଭଲ ପାଆନ୍ତି।

ପିଉସୀଙ୍କ ପୁଅ ପ୍ରତୀକ ଭାଇର ବି କଲେଜ ଛୁଟି ପାଇଁ ଘରେ ରହି ପଢ଼ାପଢ଼ି ଚାଲିଥାଏ। ତେଣୁ ପିଉସୀଙ୍କ ଘରେ ଖୁବ ମଜା । ପିଉସୀ ସୁଆଦିଆ ଖାଇବା ବନେଇବାରେ ପାରଙ୍ଗମ , ତେଣୁ ରାଧେଶର ମନ ବେଶ୍‌ ଖୁସି ଥାଏ । ଆଜିକାଲିକା ପିଲା ଭାରି ଅଳସୁଆ, ରାଧେଶ ସେଥିରୁ ବାଦ ଯିବ କେମିତି? ସକାଳେ ଡେରି ରେ ଉଠିବା ଅଭ୍ୟାସ। ରାଧେଶର ପିଉସା କଲ୍ୟାଣ ବାବୁ ଭାରି କର୍ମଠ। ସକାଳୁ ସଅଳ ଉଠନ୍ତି ଆଉ ମର୍ନିଙ୍ଗ୍ ୱାକ୍‌ ରେ ଯାଆନ୍ତି।

ସେଦିନ ସକାଳେ ଭାବିଲେ ରାଧେଶକୁ ମଧ୍ୟ ସାଙ୍ଗରେ ନେଇ ମର୍ନିଙ୍ଗ ୱାକ୍‌ରେ ଯିବେ, ତେଣୁ ତାକୁ ଡାକି ଉଠେଇଲେ। ବହୁତ କଷ୍ଟରେ ଆଖି ମଳିମଳି ରାଧେଶ ଉଠିଲା ଓ ପିଉସାଙ୍କ ସାଙ୍ଗରେ ମର୍ନିଙ୍ଗ ୱାକ୍‌ରେ ଗଲା।

‘‘ପିଉସା , ପିଉସା ହେଇ ଦେଖ ଗୋଟିଏ ପାଞ୍ଚଶ ଟଙ୍କା ନୋଟ ରାସ୍ତାରେ ପଡିଛି , କାହା ପକେଟ୍‌ରୁ ଭୁଲ ରେ ଖସି ପଡିଛି ବୋଧେ।’’ ରାସ୍ତା କଡ଼ରେ ପଡିଥିବା ପାଞ୍ଚଶ ଟଙ୍କା ନୋଟ୍‌କୁ ଦେଖି ରାଧେଶ କହିଲା।

ପିଉସା କହିଲେ – ଥାଉ ଥାଉ, ସେ ଟଙ୍କା ଉଠାନି।ଯାହାର ହେଇଥିବ ସେ ଆପେ ଆସି ନେଇଯିବ। ଅନ୍ୟ ଟଙ୍କା ପଇସା ରେ ଲୋଭ କରିବା ଅନୁଚିତ। ‘‘ହେଲେ ପିଉସା, ଯାହାର ଟଙ୍କା ଖସି ପଡିଚି, ସେ ଆସିବା ପୂର୍ବରୁ ଅନ୍ୟ କେହି ଦେଖି ଦେଲେ ୟାକୁ ନ ନେଇ କଣ ଛାଡ଼ିବ?’’ ତେବେ ତୁ’ କହ କଣ କରିବା? ପିଉସା ପୁଣି ପଚାରିଲେ

‘‘ଗୋଟେ ଆଇଡ଼ିଆ ମୋ ମନକୁ ଆସୁଚି । ଏ ଟଙ୍କାକୁ ନେଇ ପାଖ ଦୋକାନରେ ବସି କିଛି ସମୟ ଅପେକ୍ଷା କରିବା। ଟଙ୍କା ହଜେଇ ଥିବା ଲୋକ ଯଦି ଖୋଜି ଖୋଜି ଆସିବ ତେବେ ତାକୁ ଫେରେଇ ଦେବା।’’

‘‘ଆଉ ଯଦି କେହି ନ ଆସିଲା ?’’ ପିଉସା ପଚାରିଲେ।

ଏ ଟଙ୍କା ନେଇ ଆମେ ଆସିବା ବେଳେ ଯେଉଁ ଅନାଥାଶ୍ରମ ପଡ଼ିଲା, ସେଇଠି ଦେଇ ଦେବା। ପିଲାମାନଙ୍କ ଖାଇବା ପାଇଁ ଖର୍ଚ୍ଚ ହେବ – ରାଧେଶର ଉତ୍ତର ପିଉସା ଙ୍କ ମନକୁ ପାଇଲା। ପାଞ୍ଚଶ ଟଙ୍କାକୁ ପକେଟ୍‌ରେ ପୂରାଇ ରାଧେଶ ଓ ପିଉସା ପାଖ ଦୋକାନ ସାମ୍ନାରେ ବସିଲେ।

ପ୍ରାୟ ଅଧା ଘଣ୍ଟା ବିତିଗଲା, ହେଲେ କେହି ଟଙ୍କା ଖୋଜିବାକୁ ଆସିଲେନି। ଅଗତ୍ୟା, ପୂର୍ବ ଯୋଜନା ଅନୁସାରେ ଦୁହେଁ ଅନାଥାଶ୍ରମ ଆଡ଼େ ମୁହଁାଇଲେ। ଚାଲୁ ଚାଲୁ ରାଧେଶ କହିଲା – ‘‘ପିଉସା ଏ ପାଞ୍ଚଶ ଟଙ୍କାରେ କଣ ଅନାଥାଶ୍ରମ ପିଲାଙ୍କର ଗୋଟେ ଥରର ଖାଇବା ଖର୍ଚ୍ଚ ହେଇଯିବ ?’’

ଅନାଥାଶ୍ରମ ର ପରିଚାଳକ କଲ୍ୟାଣ ବାବୁଙ୍କର ପୂର୍ବ ପରିଚିତ। ବୁଝୁ ବୁଝୁ ଜଣା ପଡ଼ିଲା ସେଠିକା ପିଲାମାନଙ୍କର ଗୋଟେ ଥରର ଖାଇବା ଖର୍ଚ୍ଚ ନିହାତି କମ୍‌ରେ ହଜାରେ ଟଙ୍କା। ପିଉସା ରାଧେଶକୁ କହିଲେ – ‘‘ତୁ ସେଇ ପାଞ୍ଚଶ ଟଙ୍କା ଅନାଥାଶ୍ରମର ପରିଚାଳକଙ୍କୁ ଦେଇଦେ , ସେ ପିଲାମାନଙ୍କ ଖାଇବା ଫଣ୍ଡ୍‌ରେ ମିଶେଇ ଦେବେ।’’

ପିଉସାଙ୍କୁ ଚକିତ କରି ରାଧେଶ ପରିଚାଳକଙ୍କୁ ଦୁଇଟି ପାଞ୍ଚଶ ଟଙ୍କା ନୋଟ୍‌ ବଢ଼େଇ ଦେଲା। ପରିଚାଳକଙ୍କ ସାମ୍ନାରେ କିଛି ନ ପଚାରି ଘରକୁ ଫେରିଲା ବେଳେ ପିଉସା ରାଧେଶକୁ ପଚାରିଲେ – ‘‘କିରେ ତୁ’ ପରା ଗୋଟିଏ ପାଞ୍ଚଶ ଟଙ୍କା ପାଇଥିଲୁ ରାସ୍ତାରୁ?

ହେଲେ ଦୁଇଟି ନୋଟ ଦେଲୁ କେମିତି?’’

ଦାନ୍ତ ଚିପି ଚିପି ହସି ରାଧେଶ କହିଲା – ‘‘ ମୋ ସ୍କୁଲ୍‌ ପକେଟ୍‌ ମନି ସଞ୍ଚୟ ରୁ ପାଞ୍ଚଶ ଟଙ୍କା ମିଶେଇ ଦେଇ ଦେଲି।

ରାଧେଶ ର ଏ ମହତ କାମ ପାଇଁ ପିଉସା ଓ କଲ୍ୟାଣ ବାବୁ ଅତ୍ୟନ୍ତ ଖୁସି ହେଲେ।

ବାଲିଗଞ୍ଜ୍‌ ପ୍ଳେସ୍‌, କୋଲକାତା-୧୯

ସମ୍ବନ୍ଧିତ ଖବର