ରାଜା ବିକ୍ରମାଦିତ୍ୟଙ୍କ ରାଜ୍ୟରେ ଜଣେ ହସଖୁସିଆ ସଚ୍ଚୋଟ ବ୍ରାହ୍ମଣ ରହୁଥିଲେ। ହେଲେ ସେ ଭାରି ଗରିବ। ଦିନେ ତା’ଙ୍କ ସ୍ତ୍ରୀ ପାଖରେ ବସାଇ କହିଲେ- “ହେଇ ଦେଖୁଛନା, ଆମ ପାଖରେ ଧନ ତ କିଛି ନାହିଁ,ଆମକୁ ପଚାରିବ କିଏ ? ଧନ ଦଉଲତ ଥିଲେ ସିନା ଜଣେ ଆମକୁ ମାନ ସନମାନ ଦେବ। ଘରେ ବସିଲେ ଧନ କଣ ଗୋଡ଼ ପାଖରେ ଆସି ଠୁଳ ହୋଇଯିବ। ଏଣୁ ତୁମେ ମୋ କଥା ମାନି ବାହାରକୁ ଯାଇ କିଛି ଧନ ଦରବ ସଂଗ୍ରହ କରି ଘରକୁ ଆଣ।” ବ୍ରାହ୍ମଣୀର କଥା ଶୁଣି ବ୍ରାହ୍ମଣଙ୍କର ହାଲତ ଶୁଖିଗଲା। ରାତିରେ ଆଖିରୁ ନିଦ ହଜିଗଲା। ରାତିସାରା ଖାଲି ଗୋଟିଏ ଚିନ୍ତା, ମୋର ଘର ଧନ ଦଉଲତରେ ପୂରିବ କେମିତି ?
Sambad is now on WhatsApp
Join and get latest news updates delivered to you via WhatsApp
ତା’ ଆରଦିନ ବଡ଼ି ସକାଳୁ ଧନ ହାତେଇବା ଲାଗି ବ୍ରାହ୍ମଣ ଘରୁ ଗୋଡ଼ କାଢ଼ି ସିଧା ଜଙ୍ଗଲ ମୁହାଁ ହେବାକୁ ଲାଗିଲେ। ଜଙ୍ଗଲ ଭିତର ଦେଇ ଯାଉଥିବାବେଳେ ମଝି ବାଟରେ ଜଣେ ମହାତ୍ମାଙ୍କ ସହିତ ଭେଟ ହେଲା। ବ୍ରାହ୍ମଣଙ୍କୁ ବଡ଼ ଚିନ୍ତାରେ ପଡ଼ିଥିବାର ଦେଖି ମହାତ୍ମା କହିଲେ -‘‘ତୁମେ ଆଉ ଏଣିକି କିଛି ଚିନ୍ତା କରନି। ମୁଁ ତୁମର ସବୁ ପ୍ରକାର ବନ୍ଦୋବସ୍ତ କରିଦେଉଚି। ” ଏତକ କହି ମାହାତ୍ମା ରାଜା ବିକ୍ରମାଦିତ୍ୟଙ୍କ ଉଦେଶ୍ୟରେ ଏକ ପତ୍ର ଲେଖିଲେ। ସେଥିରେ ସେ ତାଙ୍କର ଇଛା ପୂରଣର ସମୟ ଆସିଗଲା ବୋଲି ଜଣାଇଦେଲେ। ପତ୍ରଟିକୁ ବ୍ରାହ୍ମଣଙ୍କ ହାତକୁ ବଢ଼େଇ ଦେଇ ସେଠୁଁ ନିଜ ଆଶ୍ରମ ଆଡ଼େ ମୁହାଁଇଲେ। ପତ୍ର ଖଣ୍ଡିକ ପଢ଼ି ରାଜା ବହୁତ ଖୁସୀ ହେଲେ,ଆଉ ତାଙ୍କ ପୂରା ରାଇଜର ଶାସନ ଭାର ବ୍ରାହ୍ମଣଙ୍କ ହାତରେ ସଁଅପି ଦେବାକୁ ପ୍ରସ୍ତୁତ ହୋଇଗଲେ।
ବ୍ରାହ୍ମଣ ଭାବିଲେ- ରାଜା ରାଜ୍ୟ ତ୍ୟାଗ କରିବା ଲାଗି ଏତେ ଆଗ୍ରହୀ ଆଉ ଅତ୍ୟନ୍ତ ଆନନ୍ଦ ବିଭୋର ଦେଖାଯାଉଛନ୍ତି ,ରାଜସୁଖକୁ ଆଡ଼େଇ ଦେଇ ଯୋଗୀ ପାଖକୁ ଯିବା ପାଇଁ ଯେତେବେଳେ ଆନନ୍ଦ ଅନୁଭବ କରୁଛନ୍ତି ଯୋଗୀ ପାଖରେ ନିଶ୍ଚେ କୌଣସି ଦରବ ଅଛି ଯେଉଁଥିରେ ବହୁତ ସୁଖ ରହିଛି।
ଏଇଆ ଭାବି ବ୍ରାହ୍ମଣ ଅତି ନମ୍ର ଭାବରେ କହିଲେ- ମହାରାଜ, ଆପଣ ମୋ’ଠୁ ଆପଣଙ୍କ ରାଇଜକୁ ଫେରାଇ ନିଅନ୍ତୁ। ଏ ଲାଗି ମୁଁ ମହାତ୍ମାଙ୍କ ନିକଟକୁ ଫେରି ଯାଉଛି। ରାଜାଙ୍କଠୁ ବିଦାୟ ନେଇ ବ୍ରାହ୍ମଣ ମହାତ୍ମାଙ୍କ ପାଖରେ ପହଁଚି କହିଲେ- ଯୋଗୀ ମହାରାଜ, ରାଜା ତ ନିଜ ରାଜ୍ୟ ତ୍ୟାଗ କରି ଆପଣଙ୍କ ପାଖକୁ ଆସିବାକୁ ଅତ୍ୟନ୍ତ ବ୍ୟାକୁଳ, ଆଉ ଭାରି ଖୁସୀ ବି। ଆପଣଙ୍କ ପାଖରେ ବଡ଼ ମୂଲ୍ୟବାନ ବସ୍ତୁ ରହିଛି, ତାହାକୁ ଆପଣ ଦୟା ପୂର୍ବକ ମୋ ହାତକୁ ଟେକି ଦିଅନ୍ତୁ। ଏ କଥା ଶୁଣି ମହାତ୍ମାଙ୍କ ମନ ଖୁସିରେ ନାଚିଗଲା। ସେ ବ୍ରାହ୍ମଣଙ୍କୁ ପୂର୍ଣ୍ଣ ଯୋଗ କ୍ରିୟାର ପାଠ ଶିଖାଇଲେ।
ଶେଷରେ ବ୍ରାହ୍ମଣ ଜଣେ ତପସ୍ୱୀ ହୋଇ ପରମ ସୁଖ ଅନୁଭବ କଲେ।