ତୁମ କାହାଣୀ: ଦେଓମାଳୀ

ମହେନ୍ଦ୍ର କୁମାର ନାୟକ

ରାତନ ଯୁଗରେ, ଜଣେ ରାଜାଙ୍କ ପୁତ୍ର ରାଗରେ ଘର ଛାଡ଼ି ଚାଲି ଯାଉଥିଲେ। ସେ ବାଟରେ ଯାଉଯାଉ ଏକ ଘଂଚ ଜଙ୍ଗଲ ପଡ଼ିଲା। ରାଜାପୁଅ ଜଙ୍ଗଲ ବାଟକୁ ନିର୍ଭୟରେ ପାର ହେବା ସମୟରେ କାଠ ସଂଗ୍ରହ ପାଇଁ ଜଙ୍ଗଲରେ ବୁଲୁଥିବା ଜଣେ ମାଳୀପୁଅ ସହିତ ଭେଟ ହେଲା। ସାଙ୍ଗରେ ଚାଲୁ ଚାଲୁ ରାଜାପୁଅ ଓ ମାଳୀପୁଅ ମଧ୍ୟରେ ବନ୍ଧୁତା ସୃଷ୍ଟି ହେଲା। ସନ୍ଧ୍ୟା ହୋଇଗଲା। ତେଣୁ ଦୁହେଁ ମିଶି ମାଳୀପୁଅ ଘରକୁ ଗଲେ। ରାଜାପୁଅ ଘରୁ ରାଗି ଚାଲି ଆସିବା ବିଷୟରେ ମାଳୀପୁଅକୁ କହିଲା ଏବଂ ସେହିଦିନ ଠାରୁ ରାଜାପୁଅ ମାଳୀ ଘରେ ରହିଲା।

ରାଜାପୁଅ ଓ ମାଳୀପୁଅ ମଧ୍ୟରେ ଏଭଳି ଘନିଷ୍ଠ ବନ୍ଧୁତା ସୃଷ୍ଟି ହେଲା ଯେ, ଦୁହେଁ ଦୁହିଁଙ୍କୁ ଛାଡ଼ି ରହିପାରୁନଥିଲେ। ଦିନେ ଦୁହେଁ ଜାଳେଣି କାଠ ସଂଗ୍ରହ ପାଇଁ ଜଙ୍ଗଲରେ ବୁଲୁ ବୁଲୁ ରାଜାପୁଅ ଏକ ପର୍ବତ ଦେଖିଲେ। ସେ ଆଗରୁ କେବେ ପର୍ବତ ଦେଖିନଥିଲେ। ରାଜାପୁଅ ପଚାରିଲେ, ସାଙ୍ଗ ଏହା କ’ଣ, ଏତେବଡ଼ ଦେଖାଯାଉଛି?
ମାଳୀପୁଅ ହସିହସି ଉତ୍ତର ଦେଲା- ଏହା ହେଲା ପର୍ବତ ?

ପର୍ବତ ଚଢ଼ିନଥିବା ରାଜାପୁଅ ଦୋୖଡ଼ିଦୌଡ଼ି ପର୍ବତ ନିକଟକୁ ଯାଇ ତା’ ଉପରେ ଚଢ଼ିଲେ। ପର୍ବତ ଚଢ଼ିବାବେଳେ ଅଧାବାଟରେ ହଠାତ୍‌ ମୁଣ୍ଡ ବୁଲାଇ ଛାତିରେ ଯନ୍ତ୍ରଣା ହେଲା ଏବଂ ଉପରୁ ଖସି ସେ କିଛି ଦୂରରେ କଚାଡ଼ି ହୋଇ ପଡ଼ିଗଲେ। ଚିତ୍କାର ଶୁଣି ମାଳୀପୁଅ ଚମକି ପଡ଼ି ଦୌଡ଼ି ଦୌଡ଼ି ପାଖକୁ ଗଲା ଏବଂ ସାଙ୍ଗର ଏଭଳି ଅବସ୍ଥା ଦେଖି ବହୁତ ବ୍ୟସ୍ତ ହୋଇଗଲା। ମାଳୀପୁଅ ସମସ୍ତଙ୍କୁ ପାଟିକରି ଡାକିଲା। ରକ୍ତ ଜୁଡୁବୁଡୁ ରାଜାପୁଅକୁ ମାଳୀପୁଅ ଜଂଗଲରେ ଥିବା ଔଷଧୀୟ ଗଛର ପତ୍ର ଆଣି ଲଗେଇଲା, କିନ୍ତୁ ରକ୍ତ ବନ୍ଦ ହେଲାନାହିଁ ।
ପାଖରେ ଥିବା ଛୋଟିଆ ଝରଣାରୁ ଆଞ୍ଜୁଳାଏ ପାଣି ଆଣି ରାଜାପୁଅ ମୁହଁରେ ଛାଟିଲା, କିଛି ସମୟ ପରେ ରାଜାପୁଅ ଆଖି ଖୋଲି ଉତ୍ତରଦେଲେ- ସାଙ୍ଗ, ବର୍ତ୍ତମାନ ମୋର ଶେଷ ସମୟ। ଏପଟେ ମାଳୀପୁଅର ଡାକରେ ବହୁ ଲୋକ ଆସି ସେଠାରେ ଜମା ହୋଇଗଲେ, କିନ୍ତୁ ରାଜାପୁଅର ମୃତ୍ୟୁ ହୋଇଗଲା। ସାଙ୍ଗର ଏଭଳି ଅବସ୍ଥା ଦେଖି, ଦାରୁଣ ଦୁଃଖରେ ମାଳୀପୁଅର ମଧ୍ୟ ଜୀବନ ଚାଲିଗଲା।
ପ୍ରାଚୀନ କାଳରେ ତଥା ରାଜାରାଜୁଡ଼ା ଶାସନ ସମୟରେ ରାଜାମାନଙ୍କ ପୁଅ ତଥା ରଜାପୁଅଙ୍କୁ “ଦେଓ” ବୋଲି କୁହାଯାଉଥିଲା। ତେଣୁ ଦୁଇ ବନ୍ଧୁ ତଥା ରାଜାପୁଅ ଓ ମାଳୀପୁଅର ନାମାନୁସାରେ ସେହି ପର୍ବତର ନାମକୁ “ଦେଓମାଳୀ” ନାମରେ ନାମିତ କରାଗଲା ।
ନବରଙ୍ଗପୁର ଓଡ଼ିଶା

ସମ୍ବନ୍ଧିତ ଖବର