ତୁମ କାହାଣୀ: ଜୀବେ ଦୟା

ମୁଁ ବାପାଙ୍କ ସହିତ ମାଂସ ଆଣିବା ପାଇଁ ଆମ ଘର ପାଖ ମଙ୍ଗଳପୁର ବଜାରକୁ ଯାଇଥିଲି। ଅବଶ୍ୟ ବାପା ଆଦୌ ଆମିଷ ଖାଆନ୍ତି ନାହିଁ କିନ୍ତୁ ଆମ ଘରେ ସମସ୍ତେ ଆମିଷ ଖା’ନ୍ତି। ଖୁସି ମନରେ ମାଂସ ଦୋକାନ ପାଖରେ ଗହଳି ଭିତରେ ଛିଡ଼ାହୋଇ ମାଂସ ପାଇଁ ଅପେକ୍ଷା କରିଥାଉ। ଠିକ ସେତିକିବେଳେ ମୋ ନଜର ପଡ଼ିଲା ଅନ୍ୟ ଏକ ଛେଳି ଉପରେ। ମାଂସ କଟାଳି ତାର ଧାରୁଆ କଟୁରିରେ ଗୋଟେ ଛେଳିକୁ ଟୁକୁରା ଟୁକୁରା କରି କାଟୁଥାଏ। ଠିକ ତା’ର ଆଖି ସାମନାରେ ଛିଡ଼ାହୋଇ ନିରୀହ ଛେଳିଟି ଏହିସବୁ ଦୃଶ୍ୟ ଦେଖି ମନେ ମନେ ଭାବୁଥାଏ କିଛି ସମୟ ପରେ ମତେ ମଧ୍ୟ ମାଂସ କଟାଳି ଟୁକୁରା ଟୁକରା କରି ପଲିଥିନରେ ଲୋକମାନଙ୍କୁ ବାଣ୍ଟିଦେବ। ଏହିକଥା ଭାବି ଭାବି ତା ଆଖିରୁ ଦୁଇଧାର ଲୁହ ବୋହିଯାଉଥାଏ।
ଏହିଦୃଶ୍ୟକୁ ନିଜ ଆଖିରେ ଦେଖିଲା ପରେ ମୋ ମନ ଖରାପ ହେଲା। ମୁଁ ଏମିତି ଭାବ ପ୍ରବଣ ହୋଇଯାଇଥିଲି ଯେ ମୋ ଆଖିରୁ ଲୁହ ବାହାରି ଗଲା। ସେଥିପାଇଁ ମୋ ମାଂସ ଖିଆକୁ ସେହି ସମୟରୁ ମନରୁ ପୋଛିଦେଲି। କ’ଣ ପାଇଁ ଏ ନିରୀହ ଜୀବଟିକୁ ମାରି ଖାଇବାରେ ଲାଭ ଅଛି ଏହିକଥା ଭାବି ମୁଁ ବାପାଙ୍କୁ କହିଲି ଯେ ବାପା ଚାଲ ଆମେ ଏଠୁ ପଳାଇବା ଓ ମାଂସ ନେବାନାହିଁ। ବାପା ମୋର କୋହଭରା ମୁହଁ ଦେଖି ବୋଧେ ମନ କଥା ବୁଝି ପାରିଥିଲେ।
ସେଇଆ ହେଲା ଆମେ ବାପ ଝିଅ ଦୁଇଜଣ ମାଂସ ନ ଆଣି ଘରକୁ ଫେରି ଆସିଲୁ। ମୋର ଭାବନାକୁ ବୋଉଙ୍କ ପାଖରେ କହି ମଁୁ କାନ୍ଦିବାକୁ ଲାଗିଲି। କହିଲି, ବୋଉ ସେ ନିରୀହ ଛେଳିକୁ ରକ୍ଷା କରିବା ପାଇଁ କେହି ଚେଷ୍ଟା କରୁନାହାନ୍ତି। ଯଦି ମତେ କିଏ ଏଭଳି ଅମାନୁଷିକ ଭାବରେ ମାରିଦିଏ ତୁ କଣ ସାହିପାରିବୁ? ତୁ କଣ ମତେ ସୁରକ୍ଷା ଦେଇପାରିବୁ ନାହିଁ? ବୋଉ ବାପା ଦୁଇଜଣ କୋହଭରା ଆଖିରେ ମତେ କୁଣ୍ଢାଇ ଧରିଥାନ୍ତି। ମୁଁ ଶପଥ କଲି ଯେ ଆଜିଠାରୁ ଆଉ ଆମିଷ ଖାଇବି ନାହିଁ କି କୌଣସି ପରିସ୍ଥିତିରେ ଜୀବ ହତ୍ୟା କରିବି ନାହିଁ।
ଶ୍ରେଣୀ ଅଷ୍ଟମ
ରଘୁନାଥ ଉଚ୍ଚବିଦ୍ୟାଳୟ ଦାମୋଦରପୁର,
ମଙ୍ଗଳପୁର, ଯାଜପୁର

ସମ୍ବନ୍ଧିତ ଖବର