ବିଜେପୁରରେ ଆମେ ଜିତିବୁ: ଧର୍ମେନ୍ଦ୍ର

ବିଜେଡି କହିଲା, ଦିବାସ୍ୱପ୍ନ

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ନେଇ ତାରିଖ ଘୋଷଣା ହୋଇ ନାହିଁ। କିନ୍ତୁ ସାରା ରାଜ୍ୟର ରାଜନୈତିକ ପାଣିପାଗକୁ ବିଜେପୁର ଉଷ୍ମ କରିଦେଇଛି। ବିଜେଡି ଆଗୁଆ ତା’ର ପ୍ରାର୍ଥୀ ଘୋଷଣା କରି ସାରିଥିଲା ବେଳେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ଆହୁରି ଚର୍ଚ୍ଚାର ଖୋରାକ ଯୋଗାଇଛି। ବିଜେପୁର ଉପନିର୍ବାଚନରେ ବିଜେପିର ବିଜୟ ସୁନିଶ୍ଚିତ। ଏହି ନିର୍ବାଚନରେ ଅନୁକମ୍ପା ନୁହେଁ, ୧୭ ବର୍ଷର ଦୁର୍ନୀତି, ଭ୍ରଷ୍ଟାଚାର, ସ୍ଥାଣୁତା ବିରୋଧରେ ଜନମତ ଆସିବ ବୋଲି କେନ୍ଦ୍ର ମନ୍ତ୍ରୀ ଦମ୍ଭୋକ୍ତି ଦେଖାଇଛନ୍ତି। କିନ୍ତୁ ବିଜେଡି ଏହାକୁ ଦିବା ସ୍ୱପ୍ନ ବୋଲି ଅଭିହିତ କରିଛି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶା ଗସ୍ତରେ ଆସିଥିଲା ବେଳେ ଆଜି ଗଣମାଧ୍ୟମକୁ ବିଜେପୁର ପ୍ରସଙ୍ଗରେ ମତ ଦେଇଥିଲେ। ସେ କହିଥିଲେ, ଗତ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାର ଜନସାଧାରଣ ବିଜେଡି ବିରୋଧରେ ସେମାନଙ୍କ ଦୃଢ଼ ମତର ସୂଚନା ଦେଇସାରିଛନ୍ତି। ତେଣୁ ବିଜେଡି ବିରୋଧୀ ଏହି ମତ ଧୀରେ ଧୀରେ ଆହୁରି ଶକ୍ତିଶାଳୀ ହେବ। ଦୀର୍ଘ ବର୍ଷର ବିଜେଡି ଶାସନରୁ ମୁକ୍ତି ପାଇଁ ବିଜେପୁରରୁ ହିଁ ଶକ୍ତ ମୂଳଦୁଆ ପଡ଼ିବ।

ଅଶୋକ ପାଣିଗ୍ରାହୀଙ୍କୁ ବିଜେପି ପ୍ରାର୍ଥୀ କରିବ କି ବୋଲି ପ୍ରଶ୍ନରେ କେନ୍ଦ୍ର ମନ୍ତ୍ରୀ କହିଥିଲେ, ପ୍ରାର୍ଥୀ କିଏ ହେବ ସେ ନେଇ ସ୍ଥିର କରାଯାଇ ନାହିଁ। ଦଳର ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କଲା ପରେ ନିଷ୍ପତ୍ତି ନିଆଯିବ। ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ବିଜେଡିରେ ଯୋଗ ଦେବା ନେଇ ଶ୍ରୀ ପ୍ରଧାନ କହିଥିଲେ, ସୁବଳ ସାହୁଙ୍କ ପରଲୋକରେ ଓଡ଼ିଶା ପାଇଁ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି। ବିଜେପି ତାଙ୍କ ପରିବାରକୁ ସମବେଦନା ଜଣାଇଛି। କିନ୍ତୁ ରାଜନୈତିକ ଦୃଷ୍ଟିରୁ ତାଙ୍କ ପରିବାର କାହା ସହ ରହିବେ, ତାହା ସେମାନଙ୍କର ବ୍ୟକ୍ତିଗତ ନିର୍ଣ୍ଣୟ।

ତେବେ ବିଜେପୁର ବିଜୟ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ଦମ୍ଭୋକ୍ତି ନେଇ କଟାକ୍ଷ କରିଛି ବିଜେଡି। ଦଳର ମୁଖପାତ୍ର ପ୍ରଶାନ୍ତ ନନ୍ଦ ଗଣମାଧ୍ୟମକୁ କହିଛନ୍ତି, ଏହା ଦିବାସ୍ୱପ୍ନ। ପଞ୍ଚାୟତ ନିର୍ବାଚନ ସହ ବିଧାନସଭା ଉପନିର୍ବାଚନକୁ ତୁଳନା କରିବାର କିଛି ଅର୍ଥ ନାହିଁ। ପଞ୍ଚାୟତ ନିର୍ବାଚନ ପରେ ବି ଯେଉଁଠାରେ ନିର୍ବାଚନ ହୋଇଛି ସେଠାରେ ବିଜେଡି ଜିତିଛି। ଏପରିକି ବିଜେପି ଗଡ଼ରେ ବିଜେଡି ବିଜୟ ଲାଭ କରିଛି।

ସମ୍ବନ୍ଧିତ ଖବର