ବିଷ୍ଣୁଙ୍କ ଉପରେ ନବୀନ ଖପା କାହିଁକି?

ଭୁବନେଶ୍ୱର: କାର୍ଯ୍ୟକାଳ ପାଖାପାଖି ୫ବର୍ଷ ବାକି ଥିଲେ ହେଁ ଜଗତସିଂହପୁର ଜିଲ୍ଲାର ବରିଷ୍ଠ ନେତା ବିଷ୍ଣୁ ଦାସଙ୍କୁ ରାଜ୍ୟସଭାରୁ ଇସ୍ତଫା ଦେବାକୁ କୁହାଗଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦେଲେ। ଗତ ଶୁକ୍ରବାର ଦିନ ପାରାଦୀପରେ ମୁଖ୍ୟମନ୍ତ୍ରୀଙ୍କ କଳିଙ୍ଗ ବାଲିଯାତ୍ରା ଉତ୍ସବରୁ ବିଷ୍ଣୁଙ୍କୁ ଦୂରେଇ ରଖାଯାଇଥିଲା। ଏହାକୁ ନେଇ ଆଜିଯାଏ ବିଜେଡି ଆଭ୍ୟନ୍ତରୀଣ ରାଜନୀତିରେ ଚର୍ଚ୍ଚା ଆଲୋଚନା ଜାରି ରହିଛି।

ଠିକ୍‌ ଏମିତି ଏକ ସମୟରେ ଆଜି ନବୀନ ନିବାସରେ ସମସ୍ତଙ୍କ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ଦଳିତ ସେଲ୍‌ ଆବାହକ ବିଷ୍ଣୁ ଦାସଙ୍କୁ ମୁହଁ ଛିଞ୍ଚାଡିଛନ୍ତି। ବିଷ୍ଣୁ ପ୍ରଣାମ କରିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବିରକ୍ତି ଭାବ ସ୍ପଷ୍ଟ ରୂପେ ଦେଖିବାକୁ ମିଳିଥିଲା ମୁଖ୍ୟମନ୍ତ୍ରୀ କଣ କହିଲେ, ତାହା ରେକର୍ଡ ହୋଇପାରିନାହିଁ। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ମୁଖଭଙ୍ଗୀ ସଙ୍କେତ ଦେଉଛିି, ବିଷ୍ଣୁଙ୍କ ଉପରେ ତାଙ୍କର ଅସନ୍ତୋଷର ଭାଗମାପ କେତେ।

ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ବିରକ୍ତ ହୋଇଛନ୍ତି, ଏକଥାକୁ ନିଜେ ବିଷ୍ଣୁ ସ୍ୱୀକାର କରିଛନ୍ତି। ହେଲେ ଗଣମାଧ୍ୟମ ସାମ୍ନାରେ ବିଷ୍ଣୁ ଯେଉଁ ସଫେଇ ରଖିଛନ୍ତି, ତାକୁ ଅନ୍ୟମାନଙ୍କ କଥା ଦୂରେ ଥାଉ, ଖୋଦ୍‌ ବିଜେଡି ନେତାମାନେ ଗ୍ରହଣ କରିପାରିନାହାନ୍ତି। ବିଷ୍ଣୁ କହିଛନ୍ତି, କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କ୍ରାଇମବ୍ରାଞ୍ଚ ତଦନ୍ତ ଲାଗି ସେ ଦାବି କରିଥାନ୍ତେ। ଏମିତି କଥା ମନରେ ରଖି ସେ ଆଜି ନବୀନ ନିବାସ ଯାଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରିଲେନି। କାରଣ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ତିରୋଧାନ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ସେ ବାହାରି ସାରିଥିଲେ। ଏଣୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଖି ଅସନ୍ତୋଷ ବ୍ୟକ୍ତ କରି କାହିଁକି ବିଳମ୍ବରେ ଆସିଲେ ବୋଲି ପଚାରିଥିଲେ। ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ପୂର୍ବରୁ ସମୟ ନେଇନଥିବା ମଧ୍ୟ କହିଛନ୍ତି।

ବିଷ୍ଣୁଙ୍କର ଏହି ଯୁକ୍ତି କଣ ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷର ପ୍ରକୃତ କାରଣ ନା ଏହା ପଛରେ ଅନ୍ୟ କିଛି କଥା ଅଛି। ଗୋଟିଏ ମହଲ କହୁଛନ୍ତି, ବିଷ୍ଣୁ ଜାଣତରେ ହେଉ ବା ଅଜାଣତରେ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ସରକାର ଓ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଗୃହ ବିଭାଗକୁ ଅକଳରେ ପକାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିଭାଗର ପାରଦର୍ଶିତା ନେଇ ମଧ୍ୟ ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି। ଏହା ସରକାରଙ୍କୁ ଅଡୁଆ ଭିତରକୁ ଟାଣି ନେଇଛି।

ଉଲ୍ଲେଖଯୋଗ୍ୟ, ଗତ ଶୁକ୍ରବାର ଦିନ ବିଜେଡି ଦଳିତ ସେଲ୍‌ ମୁଖ୍ୟ ବିଷ୍ଣୁ ଦାସ ସାମ୍ବାଦିକ ସମ୍ମିଳନୀ କରି କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ଏସ୍‌ଓଜି ଯବାନଙ୍କ ସଂପୃକ୍ତିକୁ ଠାରିଥିଲେ। ଘଟଣାକୁ ଅନୁସନ୍ଧାନ କରିବାକୁ ଯାଇଥିବା କମିଟି ଏମିତି ହୃଦ୍‌ବୋଧ କରିଛି ବୋଲି କହିଥିଲେ ବିଷ୍ଣୁ।

ଏହି ଦୁଇଧାଡିିର ମନ୍ତବ୍ୟ ରାଜ୍ୟ ସରକାରଙ୍କୁ ବିପଦ ଘେରକୁ ଟାଣିଆଣିଛି। କାରଣ ଘଟଣା ଦିନ କୁନ୍ଦୁଲି ଗଣଦୁଷ୍କର୍ମ ପରେ କୋରାପୁଟ ଏସପି ଗଣମାଧ୍ୟମକୁ କହିଥିଲେ, ସେ ଅଂଚଳକୁ ଏସଓଜି ଓ ବିଏସଏଫ ଯବାନମାନେ ଯାଇନଥାନ୍ତି। ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଆଶଙ୍କା କରିଥିଲେ ଯେ ଏଥିରେ ନକ୍ସଲ ସଂପୃକ୍ତ ଥାଇପାରନ୍ତି। ଏଭଳି ସ୍ଥଳେ ବିଷ୍ଣୁଙ୍କ ମନ୍ତବ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ଦେବାକୁ ବାଧ୍ୟ କରିଥିଲା।

କେବଳ ସେତିକି ନୁହେଁ, ଶ୍ରୀ ଦାସ ଦେଇଥିବା ଲିଖିତ ପ୍ରେସ ବିବୃତି ଓ ଗଣମାଧ୍ୟମକୁ ସୂଚନା ମଧ୍ୟରେ ଫରକ ଦେଖାଯାଇଥିଲା। ବିବୃତିରେ କୁହାଯାଇଥିଲା, କୁନ୍ଦୁଲି ବଜାରରୁ ଘରକୁ ଫେରୁଥିଲା ବେଳେ ବିଏସଏଫ, କୋବ୍ରା ବାହିନୀର ୪ ଜଣ ଜୋରଜବରଦସ୍ତ ଗଣଦୁଷ୍କର୍ମ କରିଥିବା କଥା ପୀଡ଼ିତାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ। ଗଣମାଧ୍ୟମରେ ସମ୍ମୁଖରେ ବୟାନ ଦେବା ବେଳେ ପୁଲିସର ପାରଦର୍ଶିତା ନେଇ ଶ୍ରୀ ଦାସ ପ୍ରଶ୍ନ ଉଠାଇବା ସହିତ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଦ୍ୱାରା ତଦନ୍ତ କରିବା ସଂପର୍କରେ କହିଥିଲେ। ଅବଶ୍ୟ ପରେ ବିଷ୍ଣୁ ପୁଣି ସ୍ପଷ୍ଟୀକରଣ ଦେଇଥିଲେ ଓ ଗଣମାଧ୍ୟମ ତାଙ୍କ କଥାକୁ ଭୁଲ ଭାବେ ଚିତ୍ରଣ କରିଛି। ସମ୍ଭବତଃ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଅସନ୍ତୁଷ୍ଟ ଥାଇପାରନ୍ତି।

କିନ୍ତୁ ଅନ୍ୟ ଏକ ମହଲର କହିବା କଥା ହେଉଛି, ମୁଖ୍ୟମନ୍ତ୍ରୀ ଢେର୍‌ ଦିନ ହେଲା ବିଷ୍ଣୁଙ୍କ ଉପରେ ଅସନ୍ତୁଷ୍ଟ ଅଥନ୍ତି। କାରଣ ବିରୋଧୀ ରାଜ୍ୟରେ ସକ୍ରିୟ ହୋଇପଡିଥିବା ବେଳେ ବିଜେଡିର ଗଡ଼ ବୋଲି କୁହାଯାଉଥିବା ଉପକୂଳରେ ଦଳୀୟ ନେତାଙ୍କ ଆଚରଣ ସୁପ୍ରିମୋଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ବିଶେଷକରି ଜଗତସିଂହପୁର ରାଜନୀତିରେ ଦୁଇ ବରିଷ୍ଠ ନେତା ଦାମୋଦର ରାଉତ ଓ ବିଷ୍ଣୁ ଦାସଙ୍କ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧ ଯୋଗୁଁ ଜିଲ୍ଲା ରାଜନୀତି ଖିନ୍‌ଭିନ୍‌ ହୋଇଗଲାଣି। ନିକଟରେ ଶ୍ରୀ ଦାସଙ୍କ ପୁଅଙ୍କ ରାଜନୈତିକ ଗୋଟିଚାଳନାକୁ ନେଇ ତିର୍ତ୍ତୋଲ ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକ ଗର୍ଜନ କରିଥିଲେ। ପାରାଦୀପ ନିର୍ବାଚନମଣ୍ଡଳୀରେ ଦଳୀୟ ନେତାଙ୍କ ସହାୟତାରେ ମନ୍ତ୍ରୀ ଡାକ୍ତର ରାଉତଙ୍କ ସହିତ ଶୀତଳଯୁଦ୍ଧ ଜାରି ରଖିଛନ୍ତି ବିଷ୍ଣୁ। ବିଜେଡିର ଗୋଷ୍ଠୀକନ୍ଦଳ ଯୋଗୁଁ ସେହି ଜିଲ୍ଲାରେ ବିରୋଧୀ ସକ୍ରିୟ ହେଉଥିବା ଗୁଇନ୍ଦା ସୂଚନା ମିଳିଥିବାରୁ ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ ହୋଇଥାଇପାରନ୍ତି। ସମ୍ଭବତଃ ସେ ଏହି କାରଣରୁ ତାଙ୍କ ସଭାରେ ବିଷ୍ଣୁଙ୍କୁ ଡକାଯାଇନଥିଲା।
ପ୍ରକାଶଥାଉକି, ବିଷ୍ଣୁ ଦାସଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ନିବିଡତା ଏତେ ଥିଲା ଯେ ସେ ନିର୍ବାଚନରେ ହାରିଯିବା ପରେ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲେ। ପରବର୍ତୀ ସମୟରେ ବିଜେଡି ନେତା ପ୍ରତାପ ଦେବଙ୍କୁ ରାଜ୍ୟସଭାକୁ ପଠାଇବାକୁ ଯାଇ ନବୀନ ଫେରାଇ ଆଣିଥିଲେ ବିଷ୍ଣୁଙ୍କୁ। ସେତେବେଳେ ବିଷ୍ଣୁ ଏହାର ସାମାନ୍ୟତମ ପ୍ରତିବାଦ କରିନଥିଲେ। ପରେ ତାଙ୍କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବି ମିଳିଥିଲା ଓ ଦଳିତ ସେଲ୍‌ର ମୁଖିଆ ପଦରେ ବସାଯାଇଥିଲା। ହେଲେ ମାସ କେଇଟାରେ ଏ ସମୀକରଣ ଓ ସଂପର୍କ ବିଗିଡିଯିବା ଘଟଣା ଉପକୂଳ ଜିଲ୍ଲା ରାଜନୀତିରେ ଏକ ବଡ଼ ପରିବର୍ତନର ସଙ୍କେତ ଦେଉଛି।

ସମ୍ବନ୍ଧିତ ଖବର