ରାଜ୍ୟସଭାରେ ବିରୋଧୀଙ୍କ ବ୍ୟବହାର ଅତି ଲଜ୍ଜାଜନକ ବୋଲି ମାୟାବତୀ ମନ୍ତବ୍ୟ ଦେବା ପରେ ରାଜନୀତି ସରଗରମ

ନୂଆଦିଲ୍ଲୀ: କୃଷି ବିଲକୁ ନେଇ ବର୍ଷିଲେ ମାୟାବତୀ । ବହୁଜନ ବା ଦଳିତମାନଙ୍କର ଅଧିକାର ପାଇଁ ଲଢେଇ କରି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇପାରିଥିବା ମାୟାବତୀ ଏବେ କୃଷି ବିଲକୁ ବିରୋଧ କରୁଥିବା ଦଳ ଓ ସାଂସଦମାନଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟସଭାରେ କୃଷି ବିଲ ପାରିତ ହେବା ବେଳେ ବିରୋଧୀମାନେ ଯେଭଳି ବ୍ୟବହାର ପ୍ରଦର୍ଶନ କରିଛନ୍ତି ତାହାକୁ  ମାୟାବତୀ କଡା ସମାଲୋଚନା କରିଛନ୍ତି ।

ସେ ତାଙ୍କର ଟ୍ୱିଟରରେ ଲେଖିଛନ୍ତି କି ସଂସଦକୁ ଗଣତନ୍ତ୍ରର ମନ୍ଦିର କୁହାଯାଏ । ହେଲେ ବିରୋଧୀଦଳର ସାଂସଦମାନେ ସଂସଦରେ ଯେଭଳି ବ୍ୟବହାର ଦେଖାଇଲେ ତାହା ଦ୍ୱାରା ସଂସଦର ମର୍ଯ୍ୟଦା ସମ୍ପୂର୍ଣ୍ଣ କ୍ଷୁର୍ଣ୍ଣ ହୋଇଛି । ମୌସୁମୀ ଅଧିବେଶନ ବେଳେ ବିପକ୍ଷମାନେ ଯେଭଳି ବ୍ୟବହାର ପ୍ରଦର୍ଶନ କଲେ ତାହା ସଂସଦର ମର୍ଯ୍ୟଦା, ସଂବିଧାନର ଗରିମା ଓ ଲୋକତନ୍ତ୍ର ପ୍ରତି ଲଜ୍ଜା ।

ରବିବାର ରାଜ୍ୟସଭାରେ କୃଷି ବିଧେୟକ ଉପସ୍ଥାପିତ ହେବା ପରେ ବିରୋଧୀ ସାଂସଦମାନେ ଜୋରଦାର ହଙ୍ଗାମା କରିଥିଲେ । ଟିଏମସି ସାଂସଦ ଡେରେକେ ଓବ୍ରେନ ଉପସଭାପତିଙ୍କ ଆସନ ପାଖକୁ ଯାଇ ରୋଲବୁକ୍ ଚିରିଦେଇଥିଲେ । ଏହାପରେ ଉପସଭାପତି ଧ୍ୱନୀମତ ସହାୟତାରେ ୨ ଟି କୃଷି ବିଲକୁ ପାରିତ କରିଦେଇଥିଲେ ।

ଅନ୍ୟପଟେ ଦଳିତ, ବ୍ରାହ୍ମଣ ଓ ମୁସଲମାନ ସଂପ୍ରଦାୟ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ମୟାବାତୀ ବିଜେପି ଉପରେ ଦୋଷାରୋପ କରିଛନ୍ତି । ସେ ତାଙ୍କର ଅନ୍ୟ ଏକ ଟ୍ୱିଟରେ ଲେଖିଛନ୍ତି କି ସମାଜବାଦୀ ପାର୍ଟି ସରକାର ଯେଭଳି ଭାବେ ବ୍ରାହ୍ମଣ, ଦଳିତ ଓ ମୁସଲମାନଙ୍କୁ ଖୋଜି ଖୋଜି ସେମାନଙ୍କ ଉପରେ ଅତ୍ୟାଚାର କରୁଥିଲେ ସେହିଭଳି ବିଜେପି ସରକାର ଏବେ ସେମାନଙ୍କ ଉପରେ ଅତ୍ୟାଚାର ଚଳାଇଛି । ସେମାନଙ୍କୁ ବିଭିନ୍ନ ମିଛ ମାମଲାରେ ଫସାଇ ହଇରାଣ ହରକତ କରାଯାଉଛି, ଯାହାକି ଅତ୍ୟନ୍ତ ଦୁଖଦାୟକ ।

ସମ୍ବନ୍ଧିତ ଖବର