ହତ୍ୟାକାଣ୍ଡ ପଛରେ ବିଜେପିର ହାତ: ବିଜେଡି

ଛତ୍ରପୁର ବିଜେଡି କାଉନ୍‌ସିଲର୍‌ ହତ୍ୟାକୁ ନେଇ ରାଜନୀତି

ବିଜେପି କହିଲା, ବିଜେଡି ବିଧାୟକ ମୁଖ୍ୟ ଷଡ଼ଯନ୍ତ୍ରକାରୀ

ଭୁବନେଶ୍ୱର : ଛତ୍ରପୁରର ବିଜେଡି କାଉନ୍‌ସିଲର୍‌ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟା ମାମଲାକୁ ନେଇ ରାଜନୀତି ଜୋର୍‌ ଧରିଛି। ଏହି ପ୍ରସଙ୍ଗରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ଏହି ଘଟଣାରେ ବିଜେପିକୁ ବିଜେଡି ସିଧାସଳଖ ଟାର୍ଗେଟ୍‌ କରିବା ସହ କେନ୍ଦ୍ର ମନ୍ତ୍ରୀଙ୍କ ସହ ମୁଖ୍ୟ ଅଭିଯୁକ୍ତର ଘନିଷ୍ଠ ସମ୍ପର୍କ ଅଛି ବୋଲି ଦର୍ଶାଇବାକୁ ଚେଷ୍ଟା କରିଛି। ଅପର ପକ୍ଷରେ ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱରୁ କାଉନ୍‌ସିଲର୍‌ଙ୍କୁ ହତ୍ୟା କରାଯାଇଛି ବୋଲି ବିଜେପି ଆରୋପ ଲଗାଇବା ସ୍ଥାନୀୟ ବିଜେଡି ବିଧାୟକଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ବର୍ଣ୍ଣନା କରିଛି।

ଆଜି ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ ଗଣମାଧ୍ୟମକୁ କହିଥିଲେ, ଲକ୍ଷ୍ମୀଦତ୍ତଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୃଷ୍ଣ ନାୟକଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ସମ୍ପର୍କ ରହିଛି। ଗଞ୍ଜାମରେ ମୋ ବୁଥ୍‌ କାର୍ଯ୍ୟକ୍ରମ ବିଜେପି ମାଫିଆ ଓ ଗୁଣ୍ଡାମାନଙ୍କୁ ଦଳରେ ସାମିଲ୍‌ କରିଥିଲା। ଏପରିକି ସେମାନଙ୍କ ହାତ ଧରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଫଟୋ ଉଠାଇଥିଲେ। ସେହି କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବି ଉପସ୍ଥିତ ଥିଲେ। କାଉନ୍‌ସିଲର୍‌ଙ୍କୁ ବିଜେପି କର୍ମୀମାନେ ଗୋଡ଼ାଇ ଗୋଡ଼ାଇ ହତ୍ୟା କଲେ। କିନ୍ତୁ ବିଜେପିର ନେତାମାନେ ସେଥି ପାଇଁ ଅନୁତାପ କଲେ ନାହିଁ। ସିବିଆଇ ଓ ଗୁଣ୍ଡାମାନଙ୍କୁ ନେଇ ବିଜେପି ୧୨୦ର ସ୍ୱପ୍ନ ଦେଖୁଛି ବୋଲି କଟାକ୍ଷ କରିଛନ୍ତି ଶ୍ରୀ ନନ୍ଦ। ଏହି ହତ୍ୟାକାଣ୍ଡକୁ ନେଇ ବିଜେପି ବିରୋଧରେ ବିଜେଡି ରାଜନୈତିକ ଅଭିଯାନ ଆରମ୍ଭ କରିବ ବୋଲି ଜଣାପଡ଼ିଛି।

ବିଜେଡିର ଏହି ଅଭିଯୋଗକୁ ଖଣ୍ଡନ କରି ବିଜେପି। ଦଳର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ଲକ୍ଷ୍ମୀଦତ୍ତଙ୍କ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହେଲେ ସ୍ଥାନୀୟ ବିଜେଡି ବିଧାୟକ ପ୍ରିୟାଂଶୁ ପ୍ରଧାନ। ହତ୍ୟାକାରୀମାନେ ହତ୍ୟାକାଣ୍ଡ ପୂର୍ବରୁ କାହା ଘରୁ ବାହାରିଲେ ଓ କେଉଁ ରାସ୍ତାରେ ଗଲେ, ତାହା ପୁଲିସ୍‌ ଯାଞ୍ଚ୍‌ କରୁ। ବିଧାୟକଙ୍କ ବାସଭବନରୁ ଲକ୍ଷ୍ମୀଦତ୍ତଙ୍କ ଘର ପର୍ଯ୍ୟନ୍ତ ଥିବା ସିସିଟିଭି ଯାଞ୍ଚ୍‌ କଲେ ଅସଲ ସତ୍ୟ ପଦାକୁ ଆସିବ। ବିଧାୟକ ଓ ଚେୟାରମ୍ୟାନ୍‌ଙ୍କ ମଧ୍ୟରେ ଦୀର୍ଘ ଦିନର ଶତ୍ରୁତା କାରଣରୁ ବିଧାୟକଙ୍କ ରୋଷର ଶିକାର ହୋଇଥିବା ଲକ୍ଷ୍ମୀଦତ୍ତଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଶାସକ ଦଳକୁ ସୁରକ୍ଷା ଦେବା ପାଇଁ ଜିଲ୍ଲା ଏସ୍‌ପିଙ୍କୁ ବିଜେଡି ହାତବାରିସି କରି ବିଜେପି ନେତାଙ୍କ ନାଁ ନେଇ ତଦନ୍ତକୁ ବାଟବଣା କରାଯାଉଛି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି।

ଅପର ପକ୍ଷରେ ପୁଲିସ୍‌ ଡିଜି ଆର୍‌ ପି ଶର୍ମା ଗଣମାଧ୍ୟମକୁ କହିଛନ୍ତି, ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟା ମାମଲାରେ ଏ ପର୍ଯ୍ୟନ୍ତ ୧୨ ଜଣଙ୍କୁ ଗିରଫ କରାଯାଇଛି। ମାଷ୍ଟର୍‌ ମାଇଣ୍ଡ୍‌କୁ ଚିହ୍ନଟ କରାଯାଇଛି ଓ ତାଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ। ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ୍‌ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି।

ସୂଚନାଯୋଗ୍ୟ, ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ପ୍ରମୁଖ ଅଭିଯୁକ୍ତ କୁହାଯାଉଥିବା କୃଷ୍ଣ ନାୟକ ଗତ ବିଧାନସଭା ନିର୍ବାଚନରେ ଛତ୍ରପୁରରେ ସିପିଆଇ ପ୍ରାର୍ଥୀ ଥିଲେ। ତେବେ ଗତ ମେ ୨୦ରେ ଛତ୍ରପୁରରେ ଆୟୋଜିତ ଏକ ସମାବେଶରେ ଶ୍ରୀ ନାୟକ ବିଜେପିରେ ସାମିଲ ହୋଇଥିଲେ। ପରେ ତାଙ୍କୁ ବିଜେପିର ଜିଲ୍ଲା ସଂପାଦକ ନିଯୁକ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର