ନୂଆଦିଲ୍ଲୀ: ଗୁରୁବାର ଲୋକସଭାରେ ତିନି ତଲାକ୍ ବିଲ୍ ଉପସ୍ଥାପନ ପୂର୍ବରୁ ସମସ୍ତ ବିଜେପି ସାଂସଦଙ୍କୁ ଦଳ ପକ୍ଷରୁ ହ୍ବିପ୍ ଜାରି କରାଯାଇ ଗୃହରେ ଉପସ୍ଥିତ ରହିବାକୁ ଏବଂ ବିଲ୍କୁ ସମର୍ଥନ କରିବାକୁ କୁହାଯାଇଥିଲେ ମଧ୍ୟ ଏହାକୁ ୧୨ ଜଣ ଦଳୀୟ ସାଂସଦ ଅମାନ୍ୟ କରିଛନ୍ତି। ଏହି ସାଂସଦଙ୍କୁ ଏବେ ଦଳ କୈଫିୟତ ତଲବ କରିବାକୁ ପ୍ରସ୍ତୁତ ହେଉଛି। ମୁସ୍ଲିମ୍ ମହିଳା ବିବାହ ସୁରକ୍ଷା ଅଧିକାର ବିଲ୍ (ତିନି ତଲାକ୍)-୨୦୧୮ ଗୁରୁବାର ଲୋକସଭାରେ ବାଚନିକ ଭୋଟ୍ରେ ଗୃହୀତ ହୋଇଥିଲା। ବିଲ୍ ସପକ୍ଷରେ ୨୪୫ ଓ ବିରୋଧରେ ୧୨ ଜଣ ସାଂସଦ ଭୋଟ୍ ଦେଇଥିଲେ। କଂଗ୍ରେସ ଏବଂ କେତେକ ବିରୋଧୀ ଦଳ ଭୋଟ୍ ଗ୍ରହଣ ପୂର୍ବରୁ କକ୍ଷତ୍ୟାଗ କରିଥିଲେ। ତେବେ ଗୃହରେ ଉପସ୍ଥିତ ରହି ବିଲ୍କୁ ସମର୍ଥନ ପାଇଁ ବିଜେପି ଜାରି କରିଥିବା ହ୍ବିପ୍କୁ ୧୨ ସାଂସଦ କାର୍ଯ୍ୟକାରୀ କରିନଥିବାରୁ ଏବେ ଏହା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। କେତେକ ସାଂସଦ ସେମାନଙ୍କ ଅନୁପସ୍ଥିତିର କାରଣ ଜଣାଇଥିଲେ ମଧ୍ୟ ଆଉ କେତେକ ସାଂସଦ ମୁହଁ ଖୋଲୁନାହାନ୍ତି।
ଏକ ସୂତ୍ରରୁ ଜଣାପଡ଼ିଛି ଯେ ବିଜେପି ସାଂସଦ ବରୁଣ ଗାନ୍ଧୀ, ପୁନମ୍ ମହାଜନ, କିରଣ ଖେର୍, ହେମା ମାଲିନୀ, ଉଦିତ୍ ରାଜ୍, ରାଜକୁମାର ସାଇନି, କୀର୍ତ୍ତି ଆଜାଦ ଏବଂ ବିଷ୍ଣୁପଦ ରାୟ ଗୃହରେ ଉପସ୍ଥିତ ନଥିଲେ କି ଅନୁପସ୍ଥିତିର କାରଣ ଦର୍ଶାଇନାହାନ୍ତି। ସାଂସଦ ସାବିତ୍ରୀବାଇ ଫୁଲେ ଅନୁପସ୍ଥିତ ଥିଲେ ମଧ୍ୟ ସେ ପୂର୍ବରୁ ବିଜେପି ଛାଡ଼ିସାରିଛନ୍ତି। ଦଳର ବରିଷ୍ଠ ନେତା ଏମ୍ ଏମ୍ ଯୋଶୀ ଏବଂ ବି ସି ଖଣ୍ଡୁରି ଅନୁପସ୍ଥିତ ରହିବେ ବୋଲି ପୂର୍ବରୁ ଦଳର ମୁଖ୍ୟ ସଚେତକ ଅନୁରାଗ ଠାକୁରଙ୍କୁ ଜଣାଇଥିଲେ।